ଅଯୋଧ୍ୟା ଘାଟରେ ଦେବ ଦୀପାବଳି ଉତ୍ସବ ପାଳିତ

ସମ୍ବଲପୁର: ସମ୍ବଲପୁରର ମାରୱାଡି ପଡା ସ୍ଥିତ ଅଯୋଧ୍ୟା ଘାଟ (ମହାନଦୀ କୂଳ) ଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ‘ଦେବ ଦୀପାବଳି’ ଉତ୍ସବ ପାଳିତ ହୋଇଯାଇଛି । ତେବେ ଚଳିତ ବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥି ମଙ୍ଗଳବାର (ଆଜି) ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହାକୁ ସୋମବାର ଆୟୋଜିତ କରାଯାଇଥିଲା । ବିଗତ ୫ବର୍ଷ ଧରି ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ସିଦ୍ଧାନ୍ତ ଜ୍ୟୋତିଷ ପରାମର୍ଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ୫ ହଜାର ୧ ଶହ ୧ ଦୀପ ପ୍ରଜ୍ୱଳନ କରାଯାଇଥିଲା ।

prayash

ଅପରାହ୍ଣ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନର ସଦସ୍ୟ ମାନେ ମହାନଗର ନିଗମର ସହାୟତାରେ ସକାଳୁ ଅଯୋଧ୍ୟା ଘାଟକୁ ସଫା କରିବା ପରେ ଦୀପ ପ୍ରଜ୍ଜ୍ଵ୍ୱଳନ ନିମନ୍ତେ ସମସ୍ତ ଆୟୋଜନ କରିଥିଲେ । ହିନ୍ଦୁ ଧାର୍ମିକ ମାନ୍ୟତାନୁଯାୟୀ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଦେବତା ମାନଙ୍କର ପୃଥିବୀ ଲୋକକୁ ଆଗମନ ହେଉଥିବାର ସେମାନଙ୍କର ସ୍ୱାଗତରେ ଦେବ ଦୀପାବଳି ପାଳନ କରାଯିବାର ଧାର୍ମିକ ମାନ୍ୟତା ରହିଛି ।

ବାରଣାସୀ, ହରିଦ୍ୱାର ଆଦି ଧାର୍ମିକସ୍ଥଳରେ ଗଙ୍ଗା କୂଳରେ ପାଳନ କରାଯାଉଥିବା ଦେବ ଦୀପାବଳି ବିଧି ଅନୁଯାୟୀ ସମ୍ବଲପୁର ଠାରେ ପାରମ୍ପରିକ ପୂଜାର୍ଚ୍ଚନା ଓ ରୀତିିନୀତି କରାଯିବାର ପରେ ମହାନଦୀ ଘାଟରେ ଏହା ଆୟୋଜିତ ହୋଇଥିଲା । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ସହଯୋଗରେ ଅନୁଷ୍ଠାନର ଆଚାର୍ଯ୍ୟ ସିଦ୍ଧାନ୍ତ, ଡା. ଅବଧେଶ ତିୱାରୀ, ନୀଳକଣ୍ଠ ପାତ୍ର, ଶମ୍ଭୁନାଥ ତିୱାରୀ, ଶ୍ୟାମ ପାଣ୍ଡେ, ଧର୍ମେନ୍ଦ୍ର ସିଂ, ଅଞ୍ଜଳି ରାଓ, ଶଙ୍କର ପାତ୍ର, ଶ୍ରୀକାନ୍ତ ତିୱାରୀ, ପ୍ରତୀକ ପାଣ୍ଡେ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

Comments are closed.