ସମାଜ ପ୍ରଭାବ; ଅଗ୍ନିବୀର ଆଶାୟୀଙ୍କୁ ମିଳିଲା ପ୍ରଶାସନର ସହଯୋଗ

ଆଲୁଅ, ପାଣି, ଭ୍ରାମ୍ୟମାଣ ଶୌଚାଳୟ ଓ ଟେଣ୍ଟର କରାଗଲା ବ୍ୟବସ୍ଥା     

ସମ୍ବଲପୁର: ସେନାରେ ସୀମିତ ଅବଧି ପାଇଁ ନିଯୁକ୍ତି ଯୋଜନା ଅଗ୍ନିବୀର ପାଇଁ ଏବେ ସମ୍ବଲପୁର ଠାରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏହି କ୍ରମରେ ସମ୍ବଲପୁରରେ ଚଳିତ ମାସ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ସହରର ଉପକଣ୍ଠସ୍ଥ ଜମାଦାରପାଲି ଠାରେ ନିଯୁକ୍ତି ରାଲି ଜିଲା ପ୍ରଶାସନର ସହାୟତାରେ ଭାରତୀୟ ସେନା ବାହିନୀ ପକ୍ଷରୁ କରାଯାଉଛି । କିନ୍ତୁ ଦୁଇ ମାସର ବ୍ୟାପକ ପ୍ରାକ ପ୍ରସ୍ତୁତି ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ସମ୍ବେଦନହୀନ ଅଧିକାରୀ ମାନଙ୍କ ପାଇଁ ରାଲି ସ୍ଥଳରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିଲା । ଫଳରେ ପ୍ରଥମ ୨ ଦିନ ଧରି ଅଗ୍ନିବୀର ଆଶାୟୀ ମାନେ ଖୋଲା ଆକାଶ ତଳେ ପର୍ଯ୍ୟାପ୍ତ ପାନୀୟ ଜଳର ସୁବିଧା ବିନା ମୋବାଇଲ ଆଲୁଅ ଭରସାରେ ଜୀବନକୁ ବାଜି ଲଗାଇ ରହିବାକୁ ବାଧ୍ୟ ହୋଇଥିଲେ ।

prayash

ଏ ସର୍ମ୍ପକରେ ଦୈନିକ ଖବରକାଗଜ ‘ସମାଜ’ରେ ପ୍ରଶାସନିକ ଅବ୍ୟବସ୍ଥା ସର୍ମ୍ପକରେ ରବିବାର ଖବର ପ୍ରକାଶନ ହେବା ପରେ ପ୍ରଶାସନ ତତ୍ପର ହୋଇ ଅଗ୍ନିବୀର ଆଶାୟୀ ମାନଙ୍କୁ କିଛିଟା ମୌଳିକ ସୁବିଧା ପ୍ରଦାନ କରିଛି । ରବିବାର ଖବର ପ୍ରକାଶନ ପରେ ତୁରନ୍ତ ରାଲି ସ୍ଥଳ ସନ୍ନିକଟ ଅଞ୍ଚଳରେ ପାନୀୟ ଜଳର ସୁବିଧା, ଭ୍ରାମ୍ୟମାଣ ଶୌଚାଳୟ, ରହିବା ପାଇଁ ଅସ୍ଥାୟୀ ସେଡ (ଟେଣ୍ଟ), ଆଲୁଅ ଏବଂ ଆଖପାଖର ଜମିକୁ ସମତଳ କରିବା କାର୍ଯ୍ୟ କରାଯାଇଛି । ଏ ସର୍ମ୍ପକରେ ଜିଲା ନିଯୁକ୍ତି ଅଧିକାରୀ ଶଙ୍କର ଚରଣ ମୁର୍ମୁ କହିଛନ୍ତି ଯେ, ଆମେ ନିୟମିତ ସ୍ଥିତି ଉପରେ ନଜର ରଖିଛୁ ଏବଂ ଯଥା ସମ୍ଭବ ସମସ୍ତ ବ୍ୟବସ୍ଥା କରାଯାଉଛି । ଅଗ୍ନିବୀର ଆଶାୟୀ ମାନଙ୍କୁ ଯେଭଳି ଅସୁବିଧା ନ ହେବ ସେଥି ପାଇଁ ଆମେ ଚେଷ୍ଟିତ ବୋଲି ନିଯୁକ୍ତି ଅଧିକାରୀ ମୁର୍ମୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଠାରେ ଆୟୋଜିତ ହେଉଥିବା ରାଲି ପାଇଁ ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ବରଗଡ, ଢ଼େଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲାରୁ ପ୍ରାୟ ୩ ହଜାର ଆଶାୟୀ ଆସି ଡେରା ଜମାଇଛନ୍ତି । ସେନା ବାହିନୀ ପକ୍ଷରୁ ଆୟୋଜିତ ହେଉଥିବା ଏହି ନିଯୁକ୍ତି ରାଲିକୁ ସୁବ୍ୟବସ୍ଥିତ କରି ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨ ମାସ ହେବ ବାରମ୍ବାର ପ୍ରାକ ପ୍ରସ୍ତୁତି ବୈଠକ ଓ ସମୀକ୍ଷା ସତ୍ୱେ କିନ୍ତୁ ପ୍ରକୃତ ସମୟ ଓ କାର୍ଯ୍ୟକ୍ଷେତ୍ରରେ ତାହା ପ୍ରତିଫଳିତ ହୋଇ ପାରି ନ ଥିଲା । ଫଳରେ ‘ସମାଜ’ରେ ଏସମ୍ପର୍କରେ ଖବର ପ୍ରକାଶନ ହୋଇଥିଲା । ତେବେ ଆଗକୁ ଯେଭଳି ଆଉ କୌଣସି ପ୍ରକାରର ଅସୁବିଧା ନ ହେବ ସେଥି ପ୍ରତି ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି ।

kalyan agarbati

Comments are closed.