ନକଲି ଔଷଧ ବିରୋଧରେ ଚଢ଼ଉ ଅଭିଯାନ ଜାରି, ମିଳିଲା ୪୨୦ଟି ନକିଲି ବଟିକା

ସମ୍ବଲପୁର: ଏକ ବର୍ଷ ବ୍ୟବଧାନରେ ପୁର୍ନବାର ରାଜ୍ୟରେ ନକଲି ଔଷଧ ବିକ୍ରିର ସୂଚନା ପରେ ଡ୍ରଗ ବିଭାଗ ପକ୍ଷରୁ କିଛି ଦିନ ହେବ ବ୍ୟାପକ ଚଢ଼ଉ ଅଭିଯାନ ରାଜ୍ୟ ସାରା ଜାରି ରହିଛି। ଏହି କ୍ରମରେ ଗୁରୁବାର ସମ୍ବଲପୁର ଠାରେ ଏକ ହୋଲସେଲ ଏଜେନ୍ସିରୁ ନକଲି ଔଷଧ ବ୍ୟାଚର କାଗଜପତ୍ର ଆଦି ମିଳିବା ପରେ ଉକ୍ତ ଔଷଧ ଗୁଡିକୁ ବଜାରରୁ ଫେରାଇ ଆଣିବା ପାଇଁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ଏହା ପରେ ଶୁକ୍ରବାର ପୁର୍ନବାର ଡ୍ରଗ ବିଭାଗ ପକ୍ଷରୁ ବ୍ୟାପକ ଖାନତଲାସି ବିଭିନ୍ନ ଔଷଧ ଦୋକାନ ଗୁଡିକରେ କରାଯାଇଛି। ସମ୍ବଲପୁର ସହରରେ ୬ଟି ଔଷଧ ଦୋକାନରେ ଚଢ଼ଉ କରାଯାଇଥିବା ବେଳେ ଗୋଟିଏ ଔଷଧ ଦୋକାନରୁ ଖ୍ୟାତନାମା କମ୍ପାନୀ ଗ୍ଲେନମାର୍କ କମ୍ପାନୀର ଔଷଧ (ଟେଲମା – ୪୦) ର ୪୨୦ ଟି ନକଲି ବଟିକା ଜବତ କରାଯାଇଛି। ବିଭାଗ ପକ୍ଷରୁ ଜବତ ହୋଇଥିବା ବଟିକା ଗୁଡିକୁ ସିଲ କରି ଯାଞ୍ଚ ପାଇଁ ପଠାଯାଇଛି। ଅପରପକ୍ଷରେ ଜୀବନରକ୍ଷାକାରୀ ଔଷଧ ଗୁଡିକର ଭେଜାଲ କରି ନକଲି ଔଷଧ ବଜାରରେ ବିକ୍ରି ହେଉଥିବାର ଜଣାପଡ଼ିବା ପରେ ଜନତା ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ, କରୋନାର କରାଳ ପ୍ରକୋପ ଜାରି ରହିଥିବା ବେଳେ ଗତ ବର୍ଷ ଜୁନ ମାସରେ ସାରା ରାଜ୍ୟରେ ନକଲି କରୋନା ଓ ଜୀବନ ରକ୍ଷାକାରୀ ଔଷଧ ଧରା ପଡ଼ିବା ପରେ ଏକ ବର୍ଷର ବ୍ୟବଧାନ ପରେ ପୁର୍ନବାର ନକଲି ଔଷଧ କଳାବଜାରୀ ମାନେ ବଜାରରେ ସକ୍ରିୟ ହୋଇଛନ୍ତି। ଉଚ୍ଚ ରକ୍ତଚାପ ଓ ହୃଦୟ ରୋଗର ନିୟନ୍ତ୍ରଣ ପାଇଁ ଖ୍ୟାତନାମା କମ୍ପାନୀ ଗ୍ଲେନମାର୍କ କମ୍ପାନୀର ଔଷଧ (ଟେଲମା – ୪୦) ର ନକଲି ଔଷଧ ବଜାରକୁ ଆସିଛି। ଏଣୁ ତୁରନ୍ତ ବିଭାଗ ପକ୍ଷରୁ ସାରା ରାଜ୍ୟର ବିଭିନ୍ନ ଜିଲାରେ ଚଢ଼ଉ କରାଯାଉଥିବା କ୍ରମରେ ସମ୍ବଲପୁର ଠାରେ ମଧ୍ୟ ଚଢ଼ଉ କରାଯାଉଛି। ବିଗତ ବର୍ଷ ମଧ୍ୟ ନକଲି ଔଷଧ ସମ୍ବଲପୁର ଠାରେ ମିଳିଥିବା ବେଳେ ଚଳିତ ବର୍ଷ ମଧ୍ୟ ନକଲି ଔଷଧ ଠାବ ପରେ ଏହି ବେଆଇନ ଧନ୍ଦାର ଚେର ସୂଦୁର ଲମ୍ବି ଥିବାର କୁହାଯାଉଛି। ଅପରପକ୍ଷରେ ନକଲି ଔଷଧ ବିକ୍ରେତା ମାନଙ୍କ ବିରୋଧରେ ଡ୍ରଗ ବିଭାଗ ସମେତ ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଏସୋସିଏସନ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏହାର ଫାଇଦା ଅସାଧୁ ବେପାରୀ ମାନେ ସାମାନ୍ୟ ଆର୍ଥିକ ଲାଭ ପାଇଁ ଜନତାଙ୍କ ଜୀବନ ସହିତ ଖେଳୁଛନ୍ତି। ଏଣୁ ଜନତାଙ୍କ ବୃହତ୍ତର ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ବେଆଇନ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ କରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରୁ ଦାବି ହେଉଛି।

Comments are closed.