ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ୪ ଦିନବ୍ୟାପି ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ସମ୍ବଲପୁର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ୨୦୨୧ ମସିହାରୁ ଚଳିତ ବର୍ଷର ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେଉଛି । ଏହି କ୍ରମରେ ସମ୍ବଲପୁର ଜିଲା ଭାରତୀୟ ଜନତା ପାର୍ଟିର ଶାଖା ତରଫରୁ ୪ ଦିନବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲା ଭାଜପା ପକ୍ଷରୁ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସୀଙ୍କ ସୂଚନାନୁଯାୟୀ, ଆସନ୍ତା ୧୨ ତାରିଖରେ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ମୋଟର ସାଇକେଲ ରାଲି କରାଯିବ । ମୋଟର ସାଇକେଲ ରାଲି ସକାଳ ୧୦ଟାରୁ ସ୍ଥାନୀୟ ଭତରାରୁ ଆରମ୍ଭ ହୋଇ ସମ୍ବଲପୁର ସହର ପରିକ୍ରମା ପରେ ହୀରାକୁଦ, ବୁର୍ଲା ଦେଇ ଗୋଶାଳା ଠାରେ ମଧ୍ୟାହ୍ନ ୨ଟାରେ ସମ୍ପନ୍ନ ହେବ ।

ସେହିଭଳି ୧୩ ତାରିଖ ସକାଳ ସମୟରେ ସ୍ଥାନୀୟ ଜେଲ ଛକରୁ ଅଇଁଠାପାଲି ଛକ ପର୍ଯ୍ୟନ୍ତ ୫ ଶହ ମିଟର ଲମ୍ବର ତ୍ରିରଙ୍ଗା ଯାତ୍ରା ଆୟୋଜିତ ହେବ । ସନ୍ଧ୍ୟାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ତ୍ରିରଙ୍ଗା ପତାକା ବଣ୍ଟନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆସନ୍ତା ୧୪ ତାରିଖ ସନ୍ଧ୍ୟା ୫ଟାରେ ଜିଲାର ପ୍ରତ୍ୟେକ ମଣ୍ଡଳରେ ବିଭାଜନର ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ । ଏହି ଅବସରରେ ସମସ୍ତ ମଣ୍ଡଳ ଅଞ୍ଚଳରେ ଜାତୀୟ ପତାକା ଧରି ମୌନ ଯାତ୍ରା ଗୁଡିକ ଆୟୋଜିତ ହେବ । ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଜିଲା କାର୍ଯ୍ୟାଳୟ ସମେତ ସମସ୍ତ ମଣ୍ଡଳ ଓ ବୁଥ ସ୍ତରରେ ଜାତୀୟ ପତାକା ଉତ୍ତୋଳନ କରାଯିବ ବୋଲି ଭାଜପା ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.