ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ରୂପେ ପରିଚିତ ସମ୍ବଲପୁର ଠାରେ ରହିଥିବା ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟ ପ୍ରତି ଅବହେଳା କରାଯାଉଥିବାର ଅଭିଯୋଗ ପୁରାତନ ଛାତ୍ର ସଂଘ କରିଛି। ପଶ୍ଚିମ ଓଡିଶାରେ ଆଇନ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଏହି ମହାବିଦ୍ୟାଳୟ ୧୯୬୫ ମସିହାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା। ବାରମ୍ବାର ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପ୍ରତି ଅବହେଳା ମନୋଭାବ ପାଇଁ ଏହା ଏବେ ପଙ୍ଗୁ ଅବସ୍ଥାରେ ପଡି ରହିଛି। ସମ୍ବଲପୁରର ଏହି ଆଇନ ଶିକ୍ଷାନୁଷ୍ଠାନ ସର୍ବ ପୁରାତନ ହୋଇଥିବା ବେଳେ ସୁଧାର ହେଉ ନ ଥିବାରୁ ଏହାର ସର୍ବାଙ୍ଗୀନ ଉନ୍ନତି ପୁରାତନ ଛାତ୍ର ସଂଘ ଦାବି କରିଛି।
ଆଇନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘର ସତ୍ୟନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏ ନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ୫୫ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟ କରି ଆସୁଥିବା ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ସମ୍ପୁର୍ଣ୍ଣ ଅବହେଳା କରି ଆସୁଛନ୍ତି। ବର୍ତ୍ତମାନ ଏହି ପୁରାତନ ମହାବିଦ୍ୟାଳୟ ଏବେ ନାହିଁ ନାହିଁ ରେ ଚାଲିଛି। ମହାବିଦ୍ୟାଳୟ ପାଇଁ ୨୪ଟି ସ୍ୱିକୃତି ପ୍ରାପ୍ତ ପଦଥିବା ବେଳେ ସେଥି ମଧ୍ୟରୁ ବର୍ତ୍ତମାନ ମାତ୍ର ୫ ଜଣ ରହିଛନ୍ତି। ବର୍ତ୍ତମାନର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସମେତ ୨ଜଣ ପ୍ରଫେସର ଓ ୨ ଜଣ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ବାକି ୧୯ଟି ପଦବୀ ଖାଲି ପଡିଛି।
ଏଥି ସହ ଆଇନ ମହାବିଦ୍ୟାଳୟରେ କୋଠା ସବୁ ରକ୍ଷଣାବେକ୍ଷଣ ଓ ଶିକ୍ଷକ ଅଭାବରେ ଶିକ୍ଷା ବ୍ୟବସ୍ଥା ଭୁଷୁଡିବା ଆରମ୍ଭ କରିଛି। ବାରମ୍ବାର ଦାବି ଏବଂ ସବୁ ଦିଗରୁ ନିରାଶ ହେବା ପରେ ପୁରାତନ ଛାତ୍ର ସଂଘ ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଏକ ପିଟିସନ ଦାୟର କରି ଆଇନ ମହାବିଦ୍ୟାଳୟର ସବୁ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ଏ ନେଇ ଉଚ୍ଚ ନ୍ୟାୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ଙ୍କୁ ସବୁ ସମସ୍ୟାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେବା ସହିତ ଏ ନେଇ ନିଜ ପକ୍ଷ ରଖିବା ନିମନ୍ତେ କୂଳପତିଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। କିନ୍ତୁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଯେଉଁ ସବୁ ତଥ୍ୟ ଅଦାଲତ ସମ୍ମୁଖରେ ଉପସ୍ଥାପନ କରିଛନ୍ତି, ତାହା ସମ୍ପୁର୍ଣ୍ଣ ଭୂଲ ବୋଲି ସଂଘ ଅଦାଲତଙ୍କୁ ଜଣାଇଛି। ଏଣୁ ଉଚ୍ଚ ନ୍ୟାୟାଳୟରେ ହାଜର ହୋଇ ନିଜ ପକ୍ଷ ପୁଣି ଥରେ ରଖିବାକୁ କୁଳପତିଙ୍କୁ ଅଦାଲତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସଂଘର ସଦସ୍ୟ ମାନେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାିଦକ ସମ୍ମିଳନୀରେ ସଂଘର ସାମ୍ପାଦକ ଦୁର୍ଗା ପାଢ଼ୀ, ସଞ୍ଜୟ ବାବୁ, ପ୍ରକାଶ ଶତପଥୀ, ଚନ୍ଦ୍ରକାନ୍ତ ମହାନ୍ତି, ଅନୁପ ତରିଆ, ଅରୁଣ କୁମାର, ଏନ ମହାରଣା, ଭଗତ ସିଂହ, ପରୱେଜ ଅଲ୍ଲୀ ଖାନ, ଲକ୍ଷ୍ମୀ ମେହେର, କୌଶିକ ଗୁରୁ, ପ୍ରମୋଦ ଶରାଫ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ୩୦ ଜାନୁଆରୀରେ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା।



