www.samajalive.in
Sunday, December 14, 2025
19.1 C
Bhubaneswar

ଚୁଲା ଓ ସିଲିଣ୍ଡର ପଡିଛି, ଚୁଲିକୁ ମହିଳାଙ୍କ ଭରସା

ବଲାଙ୍ଗିର: ସେ ରୋଷେଇ ଘର ହେଉ କି ବିଧାନସଭା। ସେ ପଲ୍ଲି ହେଉ କି ଦିଲ୍ଲୀ। ସବୁଠି ଉଜ୍ଜ୍ୱଳାର ଜ୍ୱଳା। ରୋଷେଇ ଶାଳରେ ମହିଳାଙ୍କ ଆଖିରେ ବାଜିବନି ଚୁଲିର ଧୂଆଁ। ଆଖିରୁ ଝରିବନି ଲୁହ। ଏଥିପାଇଁ ୨୦୧୬ ମସିହାରେ କେନ୍ଦ୍ରର ବିଜେପି ସରକାର ଆରମ୍ଭ କଲେ ଉଜ୍ଜ୍ୱଳା ଯୋଜନା। ଯୋଜନାର ବୟସ ଯେତେ ବଢୁଛି ଉଜ୍ଜ୍ୱଳା ହିତାଧିକାରୀଙ୍କ କଷ୍ଟ ସେତିକି ଦ୍ୱିଗୁଣିତ ହେଉଛି। ସାଧାରଣ ଭାବେ ଗରିବ ଲୋକଙ୍କ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ତାହା ଏବେ ଦାଉ ସାଧୁଛି। ବର୍ଦ୍ଧିତ ଗ୍ୟାସ ଦାମ୍ ମହିଳାମାନଙ୍କୁ ପୁଣି ଚୁଲି ମୁଣ୍ଡକୁ ଫେରିଯିବାକୁ ବାଧ୍ୟ କରିଛି।
ବଲାଙ୍ଗିର ଜିଲା ଡୁଡୁକାସିରା ଗାଁର ତାପସୀ ଭୋଏ। ହାତରେ ଉଜ୍ଜ୍ୱଳାରେ ପାଇଥିବା ଗ୍ୟାସ କାର୍ଡ। ତିନି ବର୍ଷ ପୂର୍ବରୁ ଏହି କାର୍ଡ ପାଇଥିଲେ ତାପସୀ। କାର୍ଡ ସିନା ପାଇଛନ୍ତି ହେଲେ ତାପସୀ ପାଇପାରୁ ନାହାନ୍ତି ଗ୍ୟାସ ଚୁଲିର ତାପ। ଆଉ ଗ୍ୟାସ ସିଲିଣ୍ଡର ରୋଷେଇ ଘରେ ନୁହଁଳ ତାହା ପଡିଛି ବାଡିପଟରେ ଥିବା କାଠଗଦାରେ। ଆଉ ଗ୍ୟାସଚୁଲି ବି ପଡିଛି ଘର ଭିତରେ। ଅହେତୁକ ଗ୍ୟାସ ଦର ବୃଦ୍ଧି ପରେ ଏପରି ଅବସ୍ଥା ଆସି ଯାଇଛି ମହିଳାମାନଙ୍କର। ଏହି ଗରିବ ପରିବାର ଗ୍ୟାସ ଭରିବେ କିପରି? ସକାଳ ହେଲେ ତାପସୀକୁ ଘାରିଛି ଚୁଲି ଜାଳିବାର ଚିନ୍ତା। ଜଙ୍ଗଲକୁ କାଠ ସଂଗ୍ରହ କରିବା ତାଙ୍କର ନିତି ଦିନିଆ କାମ। ସେ ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ବେଳେ ତାଙ୍କ ବୋହୂ ଚୁଲି ଜାଳି ରୋଷେଇ କରୁଛନ୍ତି। ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଉଜ୍ଜ୍ୱଳା ଯୋଜନା। ବଲାଙ୍ଗିର ଜିଲାରେ ୫ଲକ୍ଷ ୫୪ହଜାର ୭୪୧ଜଣ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ହେବା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨ଲକ୍ଷ ୬୯୪ହଜାର ୨୩ ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏହି ହିତାଧିକାରୀଙ୍କୁ ଗ୍ୟାସ ଚୁଲା ଓ ସିଲିଣ୍ଡର ଦିଆଯାଇଛି। ହେଲେ ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ତାପସୀ ଉଜ୍ଜ୍ୱଳାର ହିତାଧିକାରୀ ହୋଇଥିଲେ ବି ଚୁଲିରେ ରାନ୍ଧିବା ଉଜ୍ଜ୍ୱଳା ଯୋଜନାର ଗହନ କଥା ବଖାଣୁଛି। କେବଳ ତାପସୀ ନୁହନ୍ତି, ତାଙ୍କ ଭଳି ବହୁ ହିତାଧିକାରୀ ଏବେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ହୋଇଥିଲେ ବି ବର୍ଦ୍ଧିତ ସିଲିଣ୍ଡର ଦରକୁ ନେଇ ମୁହଁ ଫେରାଇବା ଆରମ୍ଭ କଲେଣି।

 

- Advertisement -

ମିଳିଥିବା ତଥ୍ୟ ଅନୁସାରେ, ପୂର୍ବ କିଛି ମାସ ତଳେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୯୧୬ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଥିବା ବେଳେ ଏଇ କିଛି ମାସ ହେଲା ସିଲିଣ୍ଡର ପିଛା ଦାମ ୯୨୭ ଟଙ୍କା ରହିଛି। ଆଗକୁ ଏହି ଦାମ୍ ଅଧିକ ହେବାର ଆଶଙ୍କା ରହିଛି। ସେହିପରି କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ରିହାତି ଦରରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାର ଘୋଷଣା ବି ଫସର ଫାଟିଗଲାଣି। ତଥ୍ୟ ଅନୁସାରେ, ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ଏବେ ରିହାତି ମିଳୁଛି ମାତ୍ର ୧୦ଟଙ୍କା ୬୮ ପଇସା। ଯାହାକି ସମୁଦ୍ରକୁ ଶଂଖେ ସଦୃଶ। ଏଭଳି ଅବସ୍ଥାରେ ଗ୍ୟାସ ଚୁଲା ଛାଡି ମହିଳାମାନେ ଚୁଲି ମୁହାଁ ପୁଣି ହେବାକୁ ବାଧ୍ୟ ହୋଇଛନ୍ତି। ଗ୍ୟାସ ଦର ଅହେତୁକ ଦରବୃଦ୍ଧିକୁ ନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଗର୍ଜନ, ପ୍ରତିବାଦ, ବିରୋଧ। କିନ୍ତୁ କେହି ଶୁଣିବାକୁ ନାହିଁ କି ସମାଧାନର କୌଣସି ବିକଳ୍ପ ବ୍ୟବସ୍ଥା ବି ହୋଇ ପାରି ନାହିଁ। ସିଧା ସଳଖ ରୋଷେଇ ଶାଳରେ ମହଙ୍ଗା ମାଡ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories