ସମ୍ବଲପୁର ଘରୋଇ କଲେଜ ର୍ୟାଗିଂ ଘଟଣା: ଜିଲାପ୍ରଶାସନର ଦ୍ୱାରସ୍ଥ ହେଲେ ପିଡିତ ଛାତ୍ର
ସମ୍ବଲପୁର:ସମ୍ବଲପୁରର ଉପକଣ୍ଠସ୍ଥ ମାଝିପାଲୀ ଠାରେ ଥିବା ଏକ ଘରୋଇ ଆବାସିକ କଲେଜ ବୈଦିକ ପ୍ଲସ ୨ ସାଇନ୍ସ କଲେଜରେ ଜଣେ ଛାତ୍ରଙ୍କୁ ୪ ଜଣ ଛାତ୍ର ପ୍ରବଳ ମାଡ ମାରିବା ଘଟଣାରେ ପିଡିତ ଛାତ୍ର ଓ ପରିବାରବର୍ଗ ଜିଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ବୁଧବାର ଦିନ ପୂର୍ବାହ୍ନରେ ପିଡିତ ଛାତ୍ର ଓ ତାଙ୍କର ପିତା ମାତା ଜିଲା ଶିଶୁ ସୁରକ୍ଷା ପ୍ରକୋଷ୍ଠରେ ଏକ ଲିଖିତ ଅଭିଯୋଗ କରି ସେମାନେ ବୈଦିକ କଲେଜର ଚେୟାରମେନ ଆନନ୍ଦ ଅଗ୍ରୱାଲ, କଲେଜର ପ୍ରିନ୍ସିପାଲ ମହେଶ୍ୱର ମିଶ୍ର, ୱାଡେନ ଓ ଘଟଣା ସହିତ ସଂଶ୍ଲିଷ୍ଟ ୪ ଜଣ ଛାତ୍ରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦୃଢ଼ ଦାବୀ କରିଛନ୍ତି। ନାବାଳିକ ଛାତ୍ରର ଅବସ୍ଥା ଭଲ ନାହିଁ, ବିନା ସାହାରାରେ ସେ ଚାଲି ମଧ୍ୟ ପାରୁ ନାହାନ୍ତି। ଏଣୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ମୁଁ ଏ ଘଟଣା ସର୍ମ୍ପକରେ କୌଣସି ସୂଚନା ପୂର୍ବରୁ ପାଇ ନ ଥିଲି। ତେବେ ଛାତ୍ରର ପିତାମାତା ବୁଧବାର ମୋତେ ଲିଖିତ ଅଭିଯୋଗ କରିବାରୁ ଘଟଣା ସର୍ମ୍ପକରେ ଜାଣିବାକୁ ପାଇଛି। ସେମାନେ ଲିଖିତ ଭାବରେ ଥାନାରେ ଏତାଲା ଦେବା ସହିତ ଏସପିଙ୍କୁ ମଧ୍ୟ ଜଣାଇଛନ୍ତି। ଏଣୁ ଜିଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ ଆଇନ ଅନୁଯାୟୀ ନିଶ୍ଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ମୁଁ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବି ବୋଲି ଡିସିପିଓ ସୁଚିସ୍ମିତା କହିଛନ୍ତି। ଏହା ସହିତ ସେମାନେ ଉପ ଜିଲାପାଳଙ୍କ ମଧ୍ୟ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। କଲେଜ କତ୍ତୃପକ୍ଷ ସମସ୍ତ ଘଟଣା ସର୍ମ୍ପକରେ ଜାଣିଥିଲେ ସୁଦ୍ଧା କଲେଜର ବ୍ରାଣ୍ଡ ନେମ ଖରାପ ହେବ ବୋଲି ନାବାଳକ ଛାତ୍ରକୁ କୌଣସି ଡାକ୍ତରଖାନାରେ ଭର୍ତ୍ତି କରି ନ ଥିଲେ। ଏ ସର୍ମ୍ପକରେ ନାବାଳକ କହିଛନ୍ତି ଯେ, ଶନିବାର ଓ ରବିବାର ଦୁଇ ଦିନ ଧରି ତାଙ୍କୁ ୪ ଜଣ ବାଳକ ମାଡ ମାରିଥିବା ବେଳେ ଏହି କଥା କାହାକୁ ନ କହିବା ପାଇଁ ସେମାନେ ଧମକ ଦେଇଥିଲେ। ଏପରିକି ସେମାନେ ସବୁ ବେଳେ ଏପରିକି ଶୌଚାଳୟ ଗଲା ସମୟରେ ମଧ୍ୟ ପ୍ରତି ମୁହୁର୍ତ୍ତରେ ତାଙ୍କୁ ଜଗି ରହୁଥିଲେ। ତେବେ ବହୁ କଷ୍ଟରେ ସେ ସୋମବାର ଦିନ ସକାଳୁ ଜଣେ ଚିହ୍ନା ପରିଚିତ ଦିଦିଙ୍କୁ ଘଟଣା ବିଷୟରେ ଜଣାଇବା ପରେ ସେ ପ୍ରିନ୍ସପାଲ ଙ୍କୁ ଜଣାଇଥିଲେ। ଏହା ପରେ ପ୍ରିନ୍ସପାଲ ଚିକିତ୍ସା କରିବା ପାଇଁ ପଠାଇଥିଲେ। ତେବେ ପରେ ପରିବାରଙ୍କୁ ଫୋନ କରିବା ପାଇଁ କହିଥିଲେ ସୁଦ୍ଧା ପରିବାରଙ୍କୁ ଘଟଣା ସର୍ମ୍ପକରେ ଜଣାଇ ଦିଆଯାଇ ନ ଥିଲା ବୋଲି ପିଡିତ ଛାତ୍ର କହିଛନ୍ତି। ଏ ସର୍ମ୍ପକରେ ପିଡିତ ଛାତ୍ରର ପିତା ଗୌରଚରଣ ମିଶ୍ର କହିଛନ୍ତି ଯେ, କଲେଜର ଚେୟାରମେନ, ପ୍ରିନ୍ସପାଲ, ୱାଡେନ ଓ ଚାରି ଜଣ ଛାତ୍ରଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରାଯିବା ସହିତ ତୁରନ୍ତ ଗିରଫ କରାଯାଉ। ଘଟଣା ଘଟିଯିବା ପରେ ମଧ୍ୟ ମୋତେ କୌଣସି ସୂଚନା ଦିଆଯାଇ ନ ଥିଲା। ଆମେ ସେ ପଟରୁ ଏକ କାମରେ ଯାଉଥିବା ବେଳେ ପୁଅକୁ ଦେଖିବା ପାଇଁ ମଙ୍ଗଳବାର ହଷ୍ଟେଲକୁ ଯିବା ପରେ ପୁଅକୁ ପାଇ ନ ଥିଲି। ସେମାନେ ତୁରନ୍ତ କଲେଜ ପରିସରରେ ଥିବା ଚିକିତ୍ସାଳୟରେ ପୁଅଙ୍କୁ ଦେଖାଇଥିଲେ ଏବଂ ପ୍ରିନ୍ସପାଲ କହିଥିଲେ ଯେ ଆମେ କଲେଜର ବଦନାମ ହେବା ଭୟରେ ଆପଣଙ୍କୁ ଜଣାଇ ନ ଥିଲୁ। ଗତକାଲି କଲେଜର ଚେୟାରମେନ କମ୍ପ୍ରମାଇଜ କରିବା ପାଇଁ କହୁଥିଲେ, କିନ୍ତୁ ମୁଁ ରୋକଠୋକ ମନା କରି ଦେଇଛି। ମୋର ଛୁଆ ଯେଭଳି ନିର୍ୟ୍ୟାତନା ଶିକାର ହେଲା ଅନ୍ୟ କୌଣସି ଛୁଆ ସେଭଳି ସ୍ଥିତିର ସମ୍ମୁଖୀନ ନ ହୁଅନ୍ତୁ ବୋଲି ମୋର କାମନା ଏବଂ ଆଇନ ଅନୁଯାୟୀ କଲେଜ କତ୍ତୃପକ୍ଷଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଗୌରଚରଣ କହିଛନ୍ତି। ଏ ସର୍ମ୍ପକରେ ପିଡିତ ଛାତ୍ରର ମାତା ଗୀତାଞ୍ଜଳୀ ମିଶ୍ର କହିଛନ୍ତି ଯେ, ମୋର ଛୁଆକୁ ଏତିକି ମାଡ ମାରିଛନ୍ତି ଯେ ସେ ବସି ଉଠି ପାରୁ ନାହିଁ, ରାତିତମାମ ଶୋଇପାରୁ ନାହିଁ। ସେମାନେ ଜାଣିଶୁଣି ସବୁ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଏଣୁ କଲେଜର ଚେୟାରମେନ ଆନନ୍ଦ ଅଗ୍ରୱାଲ ଓ ଅନ୍ୟ ମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମୋର ଦାବୀ। ଯଦି ଆମେ କାଲି ନାଇଁ ଯାଇଥିଲେ ନ ଯାଇଥିଲେ ଆମର ଛୁଆକୁ ସେମାନେ ବୋଧହୁଏ ମାରି ଦେଇଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରର ମାତା ଗୀତାଞ୍ଜଳୀ। ସୂଚନାଯୋଗ୍ୟ ଯେ, ବୈଦିକ ପ୍ଲସ ୨ ସାଇନ୍ସ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷରେ ପାଠ ପଢ଼ୁଥିବା ସ୍ଥାନୀୟ ସମ୍ବଲପୁର ଜିଲା ଧମା ଥାନା ଅର୍ନ୍ତଗତ ମାଳତୀ ଗୁଣ୍ଡେରପୁର ଅଞ୍ଚଳର ନିବାସୀ ଗୌରଚରଣ ମିଶ୍ରଙ୍କୁ ପୁତ୍ରଙ୍କୁ କଲେଜର ହଷ୍ଟେଲରେ ଗତ ଶନିବାର ରାତ୍ରିରେ ଚାରି ଜଣ ଛାତ୍ର ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି। ଏ ନେଇ ଶାସନ ଥାନାରେ ୧୯୧/୨୦୧୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପିଡିତ ଛାତ୍ରଙ୍କର ଅନୁଯାୟୀ ଗତ ୧୪ ତାରିଖ ଶନିବାର ରାତ୍ରିରେ ଅଭିଯୁକ୍ତ ଛାତ୍ର ମାନେ ଏକ ବାଥରୁମ ମଧ୍ୟରେ ଭର୍ତ୍ତି କରି ରାତ୍ର ପ୍ରାୟ ସାଢ଼େ ୯ଟା ୩୦ରୁ ମଧ୍ୟରାତ୍ର ପ୍ରାୟ ୧ଟା ୪୫ ପର୍ୟ୍ୟନ୍ତ ଦୀର୍ଘ ୪ ଘଣ୍ଟା କାଳ ତାଙ୍କୁ ଲୁହା ଛଡ, ଷ୍ଟିଲ ପାଇପ, ବେଲ୍ଟ ଓ ବାଡିରେ ମରଣାନ୍ତକ ମାଡ ମାରିଥିଲେ। ଏହା ପରେ ପୁଣି ରବିବାର ଦିନ ମଧ୍ୟ ମାଡ ମାରିଥିଲେ। ଗତ ଶନିବାର ରାତିରେ ଦୁଇଜଣ ଭଉଣୀ ମାନଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଆକ୍ରମଣ କରିଥିବା ଛାତ୍ର ମାନେ ଆସି କଣ ପାଇଁ କଥା ହେଉଛ ବୋଲି କହିଥିଲେ। ଏହା ପରେ ତୁମେ କଣ ପାଇଁ ଆମର ନାମରେ କଲେଜ କତ୍ତୃପକ୍ଷଙ୍କୁ ଅଭିଯୋଗ କରୁଛ ବୋଲି କହିଥିଲେ। ଏହା ପରେ ସେମାନେ ମାଡ ମାରିବା ଆରମ୍ଭ କରିଦେଇଥିଲେ। ପିଡିତ ଛାତ୍ରଙ୍କ ମାତାପିତା ମଙ୍ଗଳବାର ଦିନ ତାଙ୍କର ଜଣେ ସର୍ମ୍ପକୀୟ ଙ୍କର ଘରକୁ ସେହି ରାସ୍ତାରେ ଯାଉଥିବା ବେଳେ ପୁଅକୁ ଦେଖିବା ପାଇଁ କଲେଜର ହଷ୍ଟେଲକୁ ଯାଇଥିଲେ। ଏହା ପରେ ଯାଇ ସବୁ ଘଟଣା ପଦାରେ ପଡିଥିଲା। ବିଗତ ଦିନ ବୁର୍ଲା ଭିମସାର ଠାରେ ର୍ୟାଗିଂ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଥିବା ବେଳେ ମୋଟା ଅଙ୍କର ଟଙ୍କା ନେଇ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବା ଆବାସିକ କଲେଜରେ ଏଭଳି ଘଟଣା ସମସ୍ତଙ୍କ ଆର୍ଶ୍ଚଯ୍ୟ ଚକିତ କରୁଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ର୍ୟାଗିଂ ଘଟଣା ମହାମାରୀ ପରି ବ୍ୟାପୁଥିବା ବେଳେ ବେସରକାରୀ ଆବାସିକ କଲେଜ କତ୍ତୃପକ୍ଷ କିଭଳି ଏହି ଘଟଣାକୁ ଜାଣି ପାରିଲେ ନାହିଁ ଅଥବା ଜାଣିଶୁଣି ନିରବଦ୍ରଷ୍ଟା ସାଜିଥିଲେ, ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବୀ ହେଉଛି।