କରୋନା ଯୁଦ୍ଧ : ‘ଆଶା’ ହିଁ ଭରସା

ସମ୍ବଲପୁର (ବିରାଜ କୁମାର ମିଶ୍ର)- ବିଶ୍ୱବ୍ୟାପି କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ କରିଛନ୍ତି। ଏହି ଘଡସନ୍ଧି ମୁହୁର୍ତ୍ତରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସର୍ତକ ଦୃଷ୍ଟି ରଖିଛନ୍ତି ଆଶା କର୍ମୀ। ସରକାରଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରର ଆଖି, ନାକ ଓ କାନ ବୋଲାଯାଉଥିବା ଆଶା କର୍ମୀ ମାନଙ୍କର କାର୍ଯ୍ୟ ଓ ଦାୟିତ୍ୱ ଏବେ ବହୁଗୁଣିତ ହୋଇଛି। ତେବେ ଏହି କଷ୍ଟକର ପରିସ୍ଥିତି ମଧ୍ୟରେ ଆଶା କର୍ମୀ ମାନେ ନିଜ ପରିବାରର ଠିକ ଭାବରେ ଦେଖାରେଖା ସହିତ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ସର୍ମ୍ପକରେ ସର୍ତକ ଦୃଷ୍ଟି ରଖି ସବୁ ଖବର ସଂଗ୍ରହ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଉଛନ୍ତି। ଅଞ୍ଚଳବାସୀଙ୍କୁ କରୋନା ଭୂତାଣୁ ସଂକ୍ରମଣ ବିଷୟରେ ସଚେତନତା, କିଭଳି ଭାବରେ ହାତକୁ ଅତି କମରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା, ସର୍ତକତା ମୂଳକ ପଦକ୍ଷେପ, ଘରକୁ ସାନିଟାଇଜ କରିବା, କିଏ ଅଞ୍ଚଳକୁ ବାହାରୁ ଆସିଛି ଏବଂ କେବେ ଆସିଛି ତାହାର ଖବର ରଖି ଅଧିକାରୀଙ୍କୁ ଜଣାଇବା, ଯଦି କାହାର ଦେହ ଖରାପ ଅଛି ତାହା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରି ପ୍ରାଥମିକ ଚିକିତ୍ସା କରାଇବା, ହୋମ କ୍ୱାରେଣ୍ଟାଇନ ଙ୍କ ଘରକୁ ପ୍ରତି ଦିନ ଯାଇ ତଦାରଖ କରିବା ଇତ୍ୟାଦି ସମସ୍ତ ପ୍ରକାରର କାର୍ଯ୍ୟ ଆଶା କର୍ମୀ ମାନେ କରୁଛନ୍ତି। ସରକାର ଓ ପ୍ରଶାସନ ତରଫରୁ ବିଭିନ୍ନ ପରାମର୍ଶ ଓ ନିର୍ଦ୍ଦେଶାବଳୀ ଜାରି କରାଯାଉଥିବା ବେଳେ ପ୍ରକୃତ କ୍ଷେତ୍ରରେ ପ୍ରତି ଘରକୁ ବୁଲି ବୁଲି ଆଶା କର୍ମୀ ମାନେ ହିଁ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ମୁକାବିଲା ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଆଶା ମାନେ ହିଁ ପ୍ରଥମ ଲାଇନରେ ଛିଡା ହୋଇଛନ୍ତି। ଏଣୁ ବିଶ୍ୱବ୍ୟାପି ମହାମାରୀର ରୂପ ନେଇଥିବା ଭୂତାଣୁର ମୁକାବିଲାରେ ‘ଆଶା ହିଁ ଭରସା’ ବୋଲି ଲୋକେ କହୁଛନ୍ତି।

୧ – ନିଲମ ବିଶ୍ୱକର୍ମା, ରାମଜୀ ମନ୍ଦିର ପଡା
ଅଞ୍ଚଳରେ ସମସ୍ତଙ୍କୁ କରୋନା ସର୍ମ୍ପକରେ ବାରମ୍ବାର ସଚେତନ କରାଯାଉଛି। ବାହାରକୁ କେହି ଆସିଲେ ତୁରନ୍ତ ବିଭାଗକୁ ଜଣାଉଛି। ଯିଏ ବାହାରୁ ଅଞ୍ଚଳକୁ ଆସିଲା, ତାକୁ କ୍ୱାରେଣ୍ଟାଇନରେ ରହିବା ପାଇଁ ଆବଶ୍ୟକ ପରାମର୍ଶ ଦିଆଯିବା ସହିତ ନିୟମିତ ଭାବରେ ସେମାନେ ନିର୍ଦ୍ଦେଶ ମାନୁଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଉଛି। ୧୪ ଦିନର କ୍ୱାରେଣ୍ଟାଇନ ସମୟ ମଧ୍ୟରେ ଯଦି କୌଣସି ପ୍ରକାରର କରୋନା ସଂକ୍ରମଣର ଲକ୍ଷଣ ଦେଖା ଦିଏ, ତାହା ହେଲେ ତୁରନ୍ତ ଖବର ଦେବାକୁ ପରାମର୍ଶ ଦିଆଯାଉଛି। ସାମାଜିକ ଦୂରତା ରକ୍ଷା, ହାତକୁ ଭଲ ଭାବରେ ଧୋଇବା, ମାସ୍କ ବ୍ୟବହାର ଆଦି ସମସ୍ତ ପ୍ରକାରର ସଚେତନତା କାର୍ଯ୍ୟ କରାଯାଉଛି। ଅଞ୍ଚଳରେ କାହାରି ଦେହ ଖରାପ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରାଯାଇ ଔଷଧ ଦିଆଯାଉଛି। ଏହା ସହିତ ନିଜ ଓ ପରିବାରର ଧ୍ୟାନ ରଖିବା ସହିତ ସମସ୍ତଙ୍କର ସୁରକ୍ଷା ପାଇଁ ସର୍ତକତା ଅବଲମ୍ବନ କରୁଛି।

୨ – ଲିଲି ହରିପାଲ, ହୀରାକୁଦ
ଦୈନନ୍ଦିନ କାର୍ଯ୍ୟ ସହିତ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସ୍ୱତନ୍ତ୍ର ଭାବରେ କାର୍ଯ୍ୟରେ ଲାଗିଛୁ। ନିଜକୁ ସଂକ୍ରମଣରୁ ରକ୍ଷା କରିବା ଓ ଲୋକଙ୍କ ସଚେତନ କରିବା ପାଇଁ ଆମକୁ ଟ୍ରେନିଂ ଦିଆଯାଇଛି। ଏଣୁ ନିଜେ ସର୍ତକତା ଅବଲମ୍ବନ କରି ପ୍ରତ୍ୟେକ ଦିନ ଅଞ୍ଚଳରେ ବୁଲି ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସର୍ମ୍ପକରେ ବୁଝିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରି ଛୋଟ ଛୋଟ ଗ୍ରୃପରେ ଲୋକଙ୍କୁ କରୋନା ସର୍ମ୍ପକରେ ସଚେତନ କରୁଛି। ପ୍ରତ୍ୟେକ ଦିନ ଅଞ୍ଚଳରେ ରହିଥିବା ହୋମ କ୍ୱାରେଣ୍ଟାଇନ ମାନଙ୍କ ଘରକୁ ଯାଇ ସରକାରୀ ନିର୍ଦ୍ଦେଶ ପାଳନ କରୁଛନ୍ତି ନା ନାହିଁ, ତଦାରଖ କରୁଛି। ଆବଶ୍ୟକସ୍ଥଳରେ ଡାକ୍ତରଙ୍କ ଠାରୁ ପରାମର୍ଶ ମଧ୍ୟ ନିଆଯାଉଛି। ଗରିବ ଓ ଅସହାୟ ମାନଙ୍କୁ ଯଥା ସମ୍ଭବ ସାହାର୍ଯ୍ୟ ମଧ୍ୟ କରୁଛି। ଏବେ ମାସ୍କ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ଗରିବ ମାନଙ୍କୁ ନିଜେ ମାସ୍କ ନିର୍ମାଣ କରି ବଣ୍ଟନ କରୁଛି।

୩ – ସଞ୍ଜିତା ସିଂହ, ଦେବେଇପାଲି
ପ୍ରତିଦିନ କାର୍ଯ୍ୟର ସହିତ କରୋନା ଦାୟିତ୍ୱକୁ ଏବେ ପ୍ରାଥମିକତା ଦେଉଛି। ଏହି ଭୂତାଣୁ ଯେପରି ନ ବ୍ୟାପିବ ସେଥି ପାଇଁ କ୍ରମାଗତ ଭାବରେ ଘରକୁ ଘର ବୁଲି ବୁଲି ପ୍ରତ୍ୟହ ସଚେତନ କରୁଛି। ଲୋକଙ୍କୁ ସାବୁନରେ ହାତ ଧୋଇବା ଶୈଳୀର ପ୍ରଦର୍ଶନ, ମୁହଁ ନାକ ଆଦି କୁ ବାରମ୍ବାର ନ ଛୁଇଁବା, ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦି ବିଭିନ୍ନ ବିଷୟରେ ଲୋକଙ୍କୁ ବାରମ୍ବାର କୁହାଯାଉଛି। କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଉଛି। ଗ୍ରାମକୁ କିଏ ବାହାରୁ ଆସିଲା, କିଏ ବାହାରକୁ ଗଲା ଆଦି ସମସ୍ତ ଗତିବିଧି ଉପରେ ମଧ୍ୟ ତୀକ୍ଷଣ ନଜର ରଖୁଛି। ଗ୍ରାମରେ ୬୫୦ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସମସ୍ତ ରିପୋର୍ଟ ରଖାଯାଉଛି। ଯଦି କାହାରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯାଇ ଉଚିତ ପଦକ୍ଷେପ ନିଆଯାଉଛି। ଏହା ସହିତ ନିଜ ଓ ପରିବାରକୁ ମଧ୍ୟ ସଂକ୍ରମଣରୁ ସୁରକ୍ଷିତ କରିବା ପାଇଁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରୁଛି।

 

୪ – ବବିତା ନାଥ, ମୁଣ୍ଡେନପାଲୀ
କରୋନା ପାଇଁ ସମସ୍ତଙ୍କୁ ହାତ ଧୋଇବା ପଦ୍ଧତି ସର୍ମ୍ପକରେ ଭଲ ଭାବରେ ଜଣାଇବା ସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା, ସ୍ୱଚ୍ଛତା ଆଦି ସର୍ତକତା ମୂଳକ ପଦକ୍ଷେପ ଗୁଡିକ ସର୍ମ୍ପକରେ ଲୋକଙ୍କୁ ସଚେତନ କରୁଛୁ। ଆମ ଗ୍ରାମରେ ୧୮୫ ପରିବାର ରହୁଥିବା ବେଳେ ନିୟମିତ ଭାବରେ ସମସ୍ତଙ୍କ ଘରକୁ ବୁଲି ବୁଲି ସଂକ୍ରମଣ ପ୍ରତିହିତ ସର୍ମ୍ପକରେ ବୁଝାଇବା ସହିତ କରୋନାର ମୁକାବିଲା ପାଇଁ ଶପଥ ପାଠ କରାଉଛୁ। ଗ୍ରାମକୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖୁଛି। ଯିଏ ବାହାରୁ ଆସିଲା ତାକୁ ତୁରନ୍ତ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯିବା ସହିତ ସରକାରୀ ନିର୍ଦ୍ଦେଶାବଳୀ ବୁଝାଇ ଉପରିସ୍ଥ ଅଧିକାରୀ ମାନଙ୍କ ଜଣାଇ ଦିଆଯାଉଛି। ଦୈନନ୍ଦିନ କାର୍ଯ୍ୟ ସହିତ କରୋନା ସର୍ମ୍ପକରେ ଆମକୁ ଟ୍ରେନିଂ ଦିଆଯାଇଛି। ନିଜକୁ ସଂକ୍ରମଣର ବଞ୍ଚାଇବା ପାଇଁ ହେଣ୍ଡ ଗ୍ଲୋଭ, ମାସ୍କ, ସାମାଜିକ ଦୂରତ୍ୱ ଆଦି ପ୍ରତିଷେଧକ ମୂଳକ ପଦକ୍ଷେପ ନେଇ ଲୋକଙ୍କୁ ସଚେତନ କରୁଛି।

 

୫ – ଯାଜ୍ଞସେନୀ ପ୍ରଧାନ, ଠେମରା
କରୋନା ଭୂତାଣୁର ସଂକ୍ରମଣ ବିପଦ ବିଶ୍ୱରେ ଆରମ୍ଭ ଦିନ ଠାରୁ ହିଁ ଆମକୁ ବିଭାଗ ତରଫରୁ ସର୍ତକ କରାଯାଇଛି। ବିଭାଗ ତରଫରୁ ନିୟମିତ ଭାବରେ ଦିଆଯାଉଥିବା ନିର୍ଦ୍ଦେଶ ଗୁଡିକୁ କାର୍ଯ୍ୟକାରୀ କରି ଲୋକଙ୍କ ସଚେତନ କରାଯାଉଛି। ଲକ ଡାଉନ ପୂର୍ବରୁ ଗ୍ରାମବାସୀଙ୍କ ସମେତ ଗ୍ରାମ ଦେଇ ଯାତାୟାତ କରୁଥିବା ବାଇକ ଓ ଅନ୍ୟ ଯାନବାହାନ ଗୁଡିକୁ ଅଟକା ଯାଇ ସଂକ୍ରମଣ ରୋକିବାକୁ ସଚେତନ କରାଯାଇଛି। ଏବେ ନିୟମିତ ଭାବରେ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହିତ ବାହାରୁ କିଏ ନୂତନ ବ୍ୟକ୍ତି ଗ୍ରାମକୁ ଆସିଲେ ତାହା ଉପରେ ନଜର ରଖାଯାଉଛି। ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବା ସହିତ ନିୟମିତ ସେମାନେ ନିୟମ ମାନୁଛନ୍ତି କି ନାହିଁ ତାହା ତଦାରଖ କରି ବିଭାଗକୁ ରିପୋର୍ଟ ପ୍ରଦାନ କରୁଛି। ଛୋଟ ଛୋଟ ରୋଗବ୍ୟାଧି ପାଇଁ ଯେଭଳି ଲୋକେ ଡାକ୍ତରଖାନାକୁ ଯାଇ ଭିଡ ନ ଜମାଇବେ ସେଥିପ୍ରତି ଦୃଷ୍ଟି ରଖି ଆବଶ୍ୟକ ସ୍ଥଳରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଦିଆଯାଉଛି।

Comments are closed.