ପଛୁଆବର୍ଗ ଜନଗଣନା ପରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର: ୨୦୧୮ ମସିହାରେ ହେବାକୁ ଥିବା ୧୦୭ ପୋର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୩ଟି ମହାନଗର ନିଗମର ୧୭୫୬ଟି ୱାର୍ଡ଼ର ନିର୍ବାଚନ ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ଏବଂ ଏହା ସହିତ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୪ ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପଞ୍ଚାୟତ ନିର୍ବାଚନ ଭଳି ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁଁ ରାଜ୍ୟର ୫୨ଭାଗ ଓବିସି ୧୭୫୬ଟି ୱାର୍ଡ଼ ମଧ୍ୟରୁ ୪୭୪ଟି ୱାର୍ଡ଼ କାଉନସିଲର ପଦ ହରାଇବେ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ପ୍ରତିନିଧି ଦଳ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରାଜ୍ୟର ନଗର ଉନ୍ନୟନ ବିଭାଗର ବିକାଶ ପ୍ରକ୍ରିୟାରୁ ୫୨ ଭାଗ ପଛୁଆବର୍ଗ ବାଦ ପଡ଼ିବାକୁ ଯାଉଛନ୍ତି। ୨୦୧୮ ମସିହାର ନିର୍ବାଚନ ୪ ବର୍ଷ ପରେ ୨୦୨୨ ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ଏହାକୁ ଆଉ ୬ ମାସ ଘୁଞ୍ଚାଇ ଦିଆଯାଇ ପଛୁଆବର୍ଗ ଜନଗଣନା ସମ୍ପୂର୍ଣ୍ଣ କରିବା ପରେ ଏହି ସବୁ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ କରାଇଲେ ରଜ୍ୟର ପଛୁଆବର୍ଗ ତାଙ୍କର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରନ୍ତେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ଏହି ପ୍ରତିନିଧି ଦଳ ଦାବି କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁଁ ସୁପ୍ରିମକୋର୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କର ପ୍ରତିନିଧିତ୍ୱ ଦିଗରେ ପ୍ରତବନ୍ଧକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁନଶ୍ଚ ପୌର ପରିଷଦ ନିର୍ବାଚନରେ ମଧ୍ୟ ଏହି ବର୍ଗ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ତେଣୁ ୬ମାସ ନିର୍ବାଚନକୁ ଘୁଞ୍ଚାଇ ରାଜ୍ୟରେ ପଛୁଆବର୍ଗ ଜନଗଣନା କରିସାରିଲା ପରେ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କରିବାକୁ ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଜରିଆରେ ନିବେଦନ କରିଛନ୍ତି।
ରାଜ୍ୟର ପଛୁଆବର୍ଗ କମିଶନ ପକ୍ଷରୁ ଗତ ୨୦୨୧ ମସିହା ମେ ମାସ ୧ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ପଛୁଆବର୍ଗ ଜନଗଣନା କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ସେହି ସମୟରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ଯୋଗୁଁ ରାଜ୍ୟ ସରକାର ଘର ଘର ବୁଲି ପଛୁଆବର୍ଗ ଜନଗଣନାକୁ ବନ୍ଦ ରଖିଥିଲେ। ଆଜି ଯେତେବେଳେ ସ୍କୁଲ୍, କଲେଜ ଖୋଲୁଛି, ବାଣିଜ୍ୟ ବ୍ୟବସାୟ ଓ ଜୀବନ ଜୀବିକା ସ୍ୱାଭାବିକ ହେବାରେ ଲାଗିଛି, ସେହି ସମୟରେ ପଛୁଆବର୍ଗ ଜନଗଣନା କରାଗଲେ କୌଣସି ଅସୁବିଧା ନାହିଁ। ତେଣୁ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏ ବିଷୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ଯୁବ ଜନସଭାର ଜାତୀୟ ସମ୍ପାଦକ ସୁନିଲ ମିଶ୍ର ପ୍ରମୁଖ ସାମିଲ୍ ହୋଇ ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ସ୍ମାରକପତ୍ର ପ୍ରଦାନ କରିଥିଲେ।
Comments are closed.