ସାର୍ଥକ ଜୀବନର ଅର୍ଥ

ଏ ସଂସାରରେ ଈଶ୍ବରଙ୍କର କୌଣସି ବି ସୃଷ୍ଟି ଉଦ୍ଦେଶ୍ୟବିହୀନ ନୁହେଁ। ତେବେ ପ୍ରଶ୍ନ ଉଠେ, ଏ ଜନସଂଖ୍ୟାସ୍ଫୀତ ବସୁନ୍ଧରାରେ କେତେ ସଂଖ୍ୟକ ମଣିଷ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସମର୍ଥ ହୋଇଥା’ନ୍ତି। ସେମାନଙ୍କ ଭିତରୁ କେତେ ପ୍ରତିଶତ ଲୋକ ନିଜ ଜୀବନକୁ ସାର୍ଥକ କରିପାରିଥାନ୍ତି? ଯିଏ ଜୀବନରେ ସଫଳ, ତା’ର ଜୀବନ ଯେ ସାର୍ଥକ, ଏ କଥା ସତ୍ୟ ନୁହେଁ; କାରଣ ସଫଳତା ଓ ସାର୍ଥକତା ଏକା କଥା ନୁହେଁ। ଯିଏ ଜୀବନକୁ ସାର୍ଥକ କରିବାକୁ ଚାହୁଁଛି, ତାକୁ ବି ବହୁ ବିଫଳତାର ସ୍ବାଦ ଚାଖିବାକୁ ପଡ଼ିପାରେ। ଏଠି ସକ୍ରେଟିସମାନଙ୍କୁ ବିଷପାନ କରିବାକୁ ପଡ଼େ। ଯିଶୁମାନଙ୍କୁ କ୍ରୁଶବିଦ୍ଧ ହେବାକୁ ହୁଏ। ଗାନ୍ଧୀ ମଣିଷମାନେ ଗୁଳିଚୋଟରେ ଟଳି ପଡ଼ନ୍ତି। ଏ ଭଳି ମଣିଷମାନେ ବାରବାର ବିଫଳ ହୁଅନ୍ତି ସତ; ମାତ୍ର ସେହି ବିଫଳତା ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଇ ଚାଲିଥାଏ। ଏଣୁ ମନରେ ଏକ ସ୍ବାଭାବିକ ପ୍ରଶ୍ନ ଆସେ- ମଣିଷର ଏକ ସଫଳ ଜୀବନ ଲୋଡ଼ା ନା ସାର୍ଥକ ଜୀବନ ଲୋଡ଼ା? ଏ କ୍ଷେତ୍ରରେ ଭାରତୀୟ ଦର୍ଶନ କହେ- ଜୀବନରେ ସଫଳତା ଓ ସାର୍ଥକତା ଉଭୟକୁ ପ୍ରାପ୍ତ କରାଯାଇପାରେ। ଜୀବନର ପ୍ରାଥମିକ ଲକ୍ଷ୍ୟ ସଫଳତା ଓ ପରମ ଲକ୍ଷ୍ୟ ସାର୍ଥକତା ହେଲେ ସଫଳତା ଓ ସାର୍ଥକତା ଭିତରେ ଏକ ସୁନ୍ଦର ସେତୁ ନିର୍ମାଣ କରାଯାଇପାରେ। ପାଶ୍ଚାତ୍ୟ ଦର୍ଶନରେ ଇନ୍ଦ୍ରିୟ ଜଗତ ଯେତିକି ସତ୍ୟ ପ୍ରାଚ୍ୟ ଦର୍ଶନରେ ଆଧ୍ୟାତ୍ମିକ ଜଗତ ସେତିକି ସତ୍ୟ। ଧନଜନ ଗୋପଲକ୍ଷ୍ମୀ ଯଶକୀର୍ତ୍ତି ସଫଳତାର ପରିମାପକ ହେଲାବେଳେ, ମାନବିକତା ଓ ଆଧ୍ୟାତ୍ମିକତା ସାର୍ଥକତାର ମାପକାଠି।
ସାର୍ଥକ ଜୀବନର ବାସ୍ତବ ଅର୍ଥ ଖୋଜୁଖୋଜୁ ବିଶ୍ବ ପ୍ରସିଦ୍ଧ ଆପଲ୍‌ କମ୍ପାନୀର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସଙ୍କ କଥା ସ୍ମରଣକୁ ଆସେ। ସାରାଜୀବନ ଧନସମ୍ପତ୍ତି, ମାନସମ୍ମାନ ଓ ପଦପଦବୀ ପଛରେ ଦୌଡ଼ିଦୌଡ଼ି ହାଲିଆ ହୋଇ ପଡ଼ିଥିବା ଆଜିର ମଣିଷ, ଷ୍ଟିଭ ଜବସ୍‌ଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରୁ ଅନେକ କିଛି ଶିଖିବାର ଅଛି। ଷ୍ଟିଭ୍‌ ଜବ୍‌ସ ଜଣେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ। ନିଜ ଜୀବନକାଳ ମଧ୍ୟରେ ସେ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇପାରିଥିଲେ। ତାଙ୍କର ନାମ ସାରା ପୃଥିବୀରେ ସୁବିଖ୍ୟାତ ହୋଇ ସାରିଥିଲା। ସଫଳତାର ଶୀର୍ଷରେ ପହଞ୍ଚିସାରିଥିବାବେଳେ ହଠାତ୍‌ ସେ ଦୁରାରୋଗ୍ୟ ଅଗ୍ନାଶୟ କର୍କଟ ରୋଗରେ ପୀଡ଼ିତ ହେଲେ। ଦେଶବିଦେଶର ବହୁ ସ୍ବନାମଧନ୍ୟ ଡାକ୍ତରଙ୍କର ଆପ୍ରାଣ ଉଦ୍ୟମ ସତ୍ତ୍ବେ ସେ ମାତ୍ର ଛପନ ବର୍ଷ ବୟସରେ ​‌େ​‌ଶଷ ନିଃଶ୍ବାସ ତ୍ୟାଗ କଲେ। ଡାକ୍ତରଖାନାର ବିଛଣାରେ ଶୋଇଶୋଇ ନିଶ୍ଚିତ ମୃତ୍ୟୁ ସହିତ ଦିନରାତି ସଂଘର୍ଷ କରୁଥିବା ସମୟରେ ସେ ଲେଖିଥିବା ଏଇ କଥା କେଇ ପଦ ଆଜି ବି ଆଖିରେ ଲୁହ ଆଣିଦିଏ।
ତାଙ୍କରି ଭାଷାରେ ସେ ଲେଖିଥିଲେ- ଖୁବ୍‌ କମ୍‌ ସମୟ ମଧ୍ୟରେ ବ୍ୟାବସାୟିକ ଦୁନିଆର ଶିଖର ଦେଶରେ ପହଞ୍ଚି ସାରିଥିଲି ମୁଁ। ଅନ୍ୟମାନଙ୍କ ଆଖିରେ ମୋ ଜୀବନ ସଫଳତାର ଏକ ଜୀବନ୍ତ ଉଦାହରଣ ହୋଇସାରିଥିଲା; କିନ୍ତୁ ସାରାଜୀବନ କଠିନ ପରିଶ୍ରମ ଛଡ଼ା ମୁଁ କରିଛି କ’ଣ? ଜୀବନରେ ଆନନ୍ଦ କ’ଣ ମୁଁ ଜାଣିପାରିଲି ନାହିଁ। ଧନସମ୍ପତ୍ତିକୁ ହିଁ ଜୀବନ ବୋଲି ମାନି ନେଇଥିଲି ମୁଁ। ଏବେ ରୋଗଶଯ୍ୟାରେ ପଡ଼ିପଡ଼ି ଜୀବନର ଶେଷ କେଇଟା ନିଶ୍ବାସର ହିସାବନିକାସ କରୁକରୁ ମୁଁ ବୁଝିପାରୁଛି ଯେ ମୋର ସମସ୍ତ ଧନସଂପଦ, ଖ୍ୟାତି ଓ ପ୍ରସିଦ୍ଧି, ଯାହାକୁ ନେଇ ମୁଁ ଦିନେ ବହୁତ ଗର୍ବ ଅନୁଭବ କରୁଥିଲି, ତାହା ଆଜି ମୋ ପାଇଁ ଅର୍ଥହୀନ ହୋଇପଡ଼ିଛି। ଅନ୍ଧକାର ଭିତରେ ଡାକ୍ତରଖାନାର ଜୀବନରକ୍ଷକ ଯନ୍ତ୍ରପାତି ସବୁରୁ ନିର୍ଗତ ନାଲିନେଳି ଆଲୁଅ ସାଙ୍ଗକୁ ପାଳି ଧରି ଭାସି ଆସୁଥିବା ଘୁଁ ଘୁଁ ଶବ୍ଦ ସବୁ ମୋତେ ଆଗନ୍ତୁକ ଯମଦୂତଙ୍କ ପଦଧ୍ବନିର ସଙ୍କେତ ଦେଉଛନ୍ତି। ସାରାରାତି ଡାକ୍ତରଖାନାର ବେଡ ଉପରେ ଉଜାଗର ରହି ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିବାରେ ଯେଉଁ ମର୍ମାନ୍ତିକ ଯନ୍ତ୍ରଣା ଅଛି, ତାକୁ ଅନୁଭବୀ ଛଡ଼ା କିଏ ବୁଝିପାରିବ କହ?
ସୁନ୍ଦର ଜୀବନଟିଏ ବଞ୍ଚିବା ପାଇଁ ଟଙ୍କା ପଇସାର କିଛିଟା ଆବଶ୍ୟକତା ତ ନିଶ୍ଚୟ ଅଛି; କିନ୍ତୁ ତା’ଠାରୁ ଅନେକ ବେଶି ଆବଶ୍ୟକତା ରହିଛି ଏକ ସୁନ୍ଦର ସମ୍ପର୍କର, ଏକ ମନମତାଣିଆ ସ୍ବପ୍ନର, ଆଖି ଲାଖି ରହୁଥିବା କଳାକୃତିର ଏବଂ ଅଜଣା ଅଶୁଣା ସ୍ଥାନରେ ଭ୍ରମଣ କରି ଅନିର୍ବଚନୀୟ ଆନନ୍ଦ ଉଠେଇବାର। ଅନ୍ଧଭାବରେ ଧନସଂପଦ ପଛରେ ଅହରହ ଦୌଡ଼ିବାର ଫଳ ସ୍ବରୂପ ମଣିଷ ଏକ ଯନ୍ତ୍ରମାନବରେ ପରିଣତ ହୋଇଯାଏ; ଯାହାର ଜ୍ବଳନ୍ତ ଉଦାହରଣ ମୁଁ ନିଜେ। ମୋର ଏ ସମସ୍ତ ଧନସମ୍ପତ୍ତି ମୁଁ ମରିଗଲେ ମୋ ସାଥିରେ ଯିବେ ନାହିଁ। ନା’ ମୋତେ ସେମାନେ ଏ ଆସନ୍ନ ମୃତ୍ୟୁମୁଖରୁ ବଞ୍ଚେଇ ପାରିବେ ନା ସେମାନେ ମୋ ଯନ୍ତ୍ରଣାରୁ କାଣିଚାଏ ଲାଘବ କରିପାରିବେ? କିଛି ବି ନୁହେଁ। ମୋ ସହିତ ଯଦି କିଏ ରହିଯିବେ ସେମାନେ ହେଲେ ମୋ ଜୀବନରେ ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ ସାଇତା ସୁନ୍ଦର ପ୍ରେମର ଶାଶ୍ବତ ସ୍ମୃତି, ଅଜଣାଅଶୁଣା ମଣିଷମାନଙ୍କର ନିଃସ୍ବାର୍ଥପର ଭଲ ପାଇବା ଏବଂ ସେମାନଙ୍କର ହୃଦୟଖୋଲା ଆଶୀର୍ବାଦ। ଟଙ୍କାପଇସା ଦେଇ କିଣି ହେଉନଥିବା ଏହି ସବୁ ସମ୍ପତ୍ତି ଜଣେ ମଣିଷ ପାଇଁ ଅମୂଲ୍ୟ ରତ୍ନଠାରୁ କୌଣସି ଗୁଣରେ କମ୍‌ ନୁହେଁ। ପ୍ରେମ ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚେଇ ଦେଇପାରେ; କିନ୍ତୁୁ ହାୟ! ମୋ ଜୀବନରେ ସେ ସବୁକୁ ମୁଁ କେବେ କୌଣସି ମୂଲ୍ୟ ଦେଇପାରିଲି ନାହିଁ।
ଏବେ ବୁଝୁଛି, ଜୀବନର ସବୁଠାରୁ ଦାମିକା ଶଯ୍ୟାର ନାମ ହେଲା ରୋଗଶଯ୍ୟା। ଦରମା ଦେଇ ଡ୍ରାଇଭରଟିଏ ରଖାଯାଇପାରେ, କର୍ମଚାରୀ ରଖାଯାଇ ପାରନ୍ତି, କିନ୍ତୁ ତୁମ ପାଇଁ ରୋଗଶଯ୍ୟାରେ ଶୋଇବା ପାଇଁ ଜଣେ ମାତ୍ର ଲୋକ ବି ମିଳିବେ ନାହିଁ। ସଂସାରରେ ଟଙ୍କା ପଇସା ବଳରେ ଅନେକ କିଛି କିଣିହେବ; କିନ୍ତୁ ଜୀବନଟିଏ କିଣିହେବ କି? ଅପରେସନ୍‌ ଟେବୁଲ୍‌ ଉପରେ ​‌େ​‌ଶାଇବା ସମୟରେ ଅନେକ ଅନୁତାପ କରିଛି ଯେ ‘ସୁସ୍ଥ ଜୀବନର ରହସ୍ୟ’ ପୁସ୍ତକଟି ସମୟ ଥାଉଥାଉ କାହିଁକି ଯେ ନ ପଢ଼ିଲି! ଆଉ କିଛି ଘଣ୍ଟା ପରେ ଏ ସଂସାରରୁ ମୁଁ ବିଦାୟ ନେବି। ଜୀବନର ଶେଷ ଦୃଶ୍ୟରେ ଅଭିନୟ କରିବା ସମୟରେ ଅନେକ କଥା ମନେ ପଡ଼ୁଛି; କିନ୍ତୁ ହାତରେ ଆଉ ସମୟ ନାହିଁ। କେବଳ ଶେଷ ସଂଳାପରେ ଏତିକି କହିବି- ‘ଜୀବନରେ ଯଦି ପାରୁଛ ପ୍ରେମ ବାଣ୍ଟି ଚାଲ। ନିଜର ପରିବାର, ପିଲାପିଲିଙ୍କ ଛଡ଼ା ବନ୍ଧୁବାନ୍ଧବ, ସହକର୍ମୀ ଏବଂ ସାରା ସମାଜ ଓ ଦୁନିଆ ପାଇଁ ପ୍ରେମର ମହାସାଗରଟିଏ ହୋଇ ବହିଯାଅ। ନିଜର ମୂଲ୍ୟ ବୁଝ, ଅନ୍ୟମାନଙ୍କ ପାଇଁ ଏକ ଆଲୋକ ବର୍ତ୍ତିକା ହୋଇ ରହିଯାଅ।’
ପାଠକେ! ଜୀବନ ଆମର କାନ୍ଦିବାରୁ ପ୍ରାରମ୍ଭ ହୁଏ। ଆମ ମୃତ୍ୟୁ ଯଦି ଅନ୍ୟମାନଙ୍କ ଆଖିକୁ ଓଦା କରିଦେଇ ପାରିଲା, ତେବେ ତାହା ହିଁ ହେବ ଆମ ଜୀବନର ସାର୍ଥକତା। ଏ ସଂସାରରେ କିଏ କେତେ କାଳ ବଞ୍ଚିଲା, ତାହା ଯେତିକି ମହତ୍ତ୍ବପୂର୍ଣ୍ଣ ନୁହେଁ, କିଏ କେମିତି ଜୀବନଟିଏ ବଞ୍ଚିଲା, ତାହା ବେଶି ଗୁରୁତ୍ବପୂର୍ଣ୍ଣ। ନିଜେ ନିଜ ପାଇଁ ଭଲରେ ବଞ୍ଚିବା ଏକ ବିଶେଷ ଯୋଗ୍ୟତା ହୋଇପାରେ, ମାତ୍ର ଦେଶ ଓ ଜାତି ପାଇଁ ମହତ୍‌ କର୍ମ କରି ବଞ୍ଚିବାରେ ଜୀବନର ସାର୍ଥକତା ନିହିତ। ଆଜିକୁ ଅଢ଼େଇ ହଜାର ବର୍ଷ ତଳେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଜଣେ ବ୍ୟକ୍ତି ବିଷପାତ୍ର ହାତରେ ଧରି ଅନନ୍ୟ ଅସୀମ ବିଶ୍ବାସରେ ସାରା ବିଶ୍ବକୁ କହିଥିଲେ- ‘To a good man, alive or dead, no evil would ever happen’ (ଯିଏ ଭଲ ମଣିଷ, ସେ ଜୀବିତ ଥାଉ କି ମୃତ, ତା’ର କୌଣସି ଦୁର୍ଭାଗ୍ୟ ଆସିବ ନାହିଁ)।’ ଏଣୁ ଏ ନ୍ୟାୟାଳୟରେ ଆକଣ୍ଠ ବିଷପାନ କଲା ପରେ ବି କାଲି ସକାଳୁ ଆଉ ଗୋଟିଏ ପିଆଲା ବିଷ ପିଇବାକୁ ମୋର ଆଦୌ କୁଣ୍ଠା ନାହିଁ। କେବଳ ଏତିକି ମାତ୍ର ପାର୍ଥକ୍ୟ ଯେ, ବିଷ ପିଇସାରିବା ପରେ ମୁଁ ଯିବି ‘ମରିବାକୁ’, ଆଉ ଆପଣମାନେ ଯିବେ ‘ବଞ୍ଚିବାକୁ’। ଏଥିରୁ କେଉଁଟି ଶ୍ରେୟସ୍କର, ତାହା ସମୟ ହିଁ ସ୍ଥିର କରିବ। ବିଦାୟ ବନ୍ଧୁ! ବିଦାୟ….।’

ପବିତ୍ର ସୁବୁଦ୍ଧି
ପ୍ରାଧ୍ୟାପକ, ନୀଳମାଧବ କଲେଜ,କଣ୍ଟିଲୋ
ଦୂରଭାଷ:୬୩୭୦୬୪୫୭୮୯

Comments are closed.