ଶ୍ରୀରାମାୟ ନମଃ

ଯୁଗେ ଯୁଗେ ଯେତେବେଳେ ଧର୍ମର ଅବକ୍ଷୟ ଘଟି ଅଧର୍ମର ପ୍ରାଦୁର୍ଭାବ ବଢିଛି ନରରୂପ ଧାରଣକରି ସ୍ବୟଂ ନାରାୟଣ ଧରାବତରଣ କରିଛନ୍ତି। ମାତା ଧରିତ୍ରୀ ତା ବକ୍ଷରେ ସ୍ବୟଂ ଭଗବାନଙ୍କୁ ସନ୍ତାନ ରୂପେ ପାଇ ଆନନ୍ଦରେ ବିଭୋର ହୋଇପଡିଛି। ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତ ଯେତେବେଳେ ରାକ୍ଷସ ରାବଣ ନିଜ ବାହୁବଳରେ ସ୍ବର୍ଣ୍ଣଲଙ୍କା ପ୍ରତିଷ୍ଠାକରି ଧରାକୁ ସରାମଣି ଦେବ-ମାନବଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଆରମ୍ଭ କରିଛି, ସେତେବେଳେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଆବିର୍ଭାବ ଘଟିଛି ।
ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି ମାତା କୌଶଲ୍ୟା। ଚତୁର୍ଭୁଜଧାରୀ ସ୍ବୟଂ ନାରାୟଣ ତାଙ୍କ ମନ୍ଦିରରେ ଆବିର୍ଭୂତ। ଯାହାଙ୍କୁ ଦର୍ଶନ କରିବା ପାଇଁ ଯୋଗୀମାନଙ୍କର ଯୁଗ ବିତିଯାଏ, ଆଜି ମାତାଙ୍କୁ ଦର୍ଶନଦେଇ ତାଙ୍କ ପୂର୍ବାଭିଳାଷ ପୂର୍ଣ୍ଣକରି କୃତାର୍ଥକରୁଛନ୍ତି ତାଙ୍କୁ ପ୍ରଭୁ। ଋତୁରାଜ ବସନ୍ତର ରାଜତ୍ବ। ଚୈତ୍ର ମାସ (ମଧୁମାସ), ଶୁକ୍ଳପକ୍ଷ, ତିଥି -ନବମୀ, ନକ୍ଷତ୍ର- ପୁନର୍ବସୁ, ଲଗ୍ନ – କର୍କଟ, ସମୟ-ଦିବସର ମଧ୍ୟ ଭାଗ। ମନ୍ଦ ମନ୍ଦ ବହୁଛି ଚଇତାଳି। ମଧୁରେ ବିଭୋର କରି ସର୍ବ ଶୋଭାର ଆଧାର, ସର୍ବ ସମର୍ଥ, ସର୍ବ କାରଣର କାରଣ, ଅନେକ କାରଣକୁ ଚରିତାର୍ଥକରି କରୁଣାନିଧାନ ସ୍ବୟଂ ଭଗବାନ ପ୍ରକଟିତ। ଶ୍ୟାମଳ ସୁନ୍ଦର ଶୋଭାଯୁକ୍ତ ସୁଗଠିତ ଦିବ୍ୟ ଅଙ୍ଗ –ଅବୟବ। ଦର୍ଶନମାତ୍ରକେ ସର୍ବ ସୁଖଧାମ ପ୍ରଦାନକାରୀ। ଦିନେ ମହାରାଜା ମନୁ, ମହାରାଣୀ ଶତରୂପା ଅଭିଳାଷ କରିଥିଲେ ଭଗବାନଙ୍କ ଭଳି ପୁତ୍ର ପ୍ରାପ୍ତି ହେବା ପାଇଁ। ଜନ୍ମ ଜନ୍ମାନ୍ତରର ତପସ୍ୟା ଆଜି ସଫଳ ହୋଇଛି। ସୂର୍ଯ୍ୟବଂଶୀ ମହାରାଜ ଦଶରଥ, ମହାରାଣୀ କୌଶଲ୍ୟାରୂପେ ସେମାନେ ଆଜି ସ୍ବୟଂ ଭଗବାନଙ୍କୁ ପୁତ୍ରରୂପେ ଲାଭ କରିଛନ୍ତି। ଅରୂପ ଧାରଣ କରିଛନ୍ତି ସ୍ବରୂପ। ଯେଉଁ ଅଜନ୍ମା ସମଗ୍ର ସୃଷ୍ଟିର ଜନ୍ମଦାତା, ଯେ ସକଳ ଗୁଣରହିତ ସେ ସର୍ବଗୁଣ ସମ୍ପନ୍ନ ହୋଇ ଜଗତ କଲ୍ୟାଣ ପାଇଁ ଯୁଗାବତାରୀ ରୂପେ ଜନ୍ମ ନେଇଛନ୍ତି । ଆନନ୍ଦ ସାଗର ପ୍ଳାବିତ କରିଛି ଅଯୋଧ୍ୟାପୁରୀକୁ। ରାମ ଚରିତ ମାନସରେ ଗୋସ୍ବାମୀ ତୁଳସୀ ଦାସଙ୍କ ଲେଖନୀରେ – ‘ଇଷ୍ଟଦେବ ମମ ବାଳକ ରାମା, ଶୋଭା ବପୁସ କୋଟିଶତକାମା’। ଶୋଭାସ୍ଥଳ ଭଗବାନଙ୍କର ସେଇ ଶିଶୁରୂପର ସର୍ବ ଅବୟବରେ ଫୁଟିଉଠୁଛି ଅନନ୍ତ ଶୋଭା। ବିମୋହିତ ମାତା କୌଶଲ୍ୟା। ବିମୋଦିତ ପୁର-ପରିଜନ। ଯେଉଁ ଅନୁପମ ଶୋଭାମୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନକରି ଦିନେ ରାଜର୍ଷି ବିଦେହୀ ଜନକ ଦେହବିସ୍ମୃତ ହୋଇପଡିଛନ୍ତି, ବ୍ରହ୍ମାନନ୍ଦରୁ ପ୍ରେମାନନ୍ଦ ଆହରଣ କରିଛନ୍ତି, ବନବାସ ସମୟରେ ଯେଉଁ ରୂପକୁ ଦର୍ଶନକରି ଦଣ୍ଡକାରଣ୍ୟର ମୁନି-ଋଷିମାନେ ତାଙ୍କ ଅଙ୍ଗ – ସଙ୍ଗ ଲାଭ କରିବା ପାଇଁ ଉଦ୍‌ବେଳିତ ନୀରବ ଅଭିଳାଷ ପୋଷଣ କରିଛନ୍ତି, ଅବର୍ଣ୍ଣନୀୟ ତାଙ୍କ ଚରିତ୍ର ବଖାଣିବାକୁ କିଏ ବା ସମର୍ଥ ହୋଇପାରିବ। ‘ରାମ ନାମ ସୁମରିତ ଏକ ବାରା, ଉତର ହିଁ ନର ଭବ ସିନ୍ଧୁ ଆପାରା’ । ଯାହାଙ୍କର ନାମର ମହିମା ଏତେ ଗରୀୟାନ, ସେ କେଡେ ମହାନ, ସୀମିତ ଚିନ୍ତା- ଚେତନା ଚଉହଦିରେ ଏଇ ମନୁଷ୍ୟ ସେଇ ଅନନ୍ତ ମହିମାମୟଙ୍କୁ କେମିତି ବା ବର୍ଣ୍ଣନା କରିପାରିବ।
ତିନି ମାତା କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ ଗର୍ଭରୁ ଜନ୍ମନେଇଛନ୍ତି ଚାରି ପୁତ୍ର –ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ। ବାତ୍ସଲ୍ୟ ମମତାର ପ୍ରାବଲ୍ୟ। ପିତା ଦଶରଥଙ୍କ ନି‌େ‌ର୍ଦଶରେ ଉତ୍ସବମୁଖର ଅଯୋଧ୍ୟାନଗରୀ। ସରଯୂ ନଦୀର ଜଳ କଳକଲ୍ଲୋଳିନୀ। ଗୁରୁ ବ୍ରହ୍ମର୍ଷି ବଶିଷ୍ଠଙ୍କ ଦ୍ବାରା ନାମକରଣ କରାଯାଇଛି। ଯିଏ ସର୍ବ ହୃଦୟରେ ରମଣକରନ୍ତି ସେ ହିଁ ତ ରାମ। ସର୍ବଗୁଣସମ୍ପନ୍ନ ହୋଇଥିବାରୁ ଲକ୍ଷ୍ମଣ। ଭ୍ରାତୃପ୍ରେମର ଭବ୍ୟ ନିଦର୍ଶନ ଭରତ। ଶତ୍ରୁବିନାଶ କରିବାକୁ ସକ୍ଷମ ହୋଇଥିବାରୁ ଶତ୍ରୁଘ୍ନ। ଯିଏ ଅନନ୍ତ ନାମଧାରୀ ସେହି ମର୍ଯ୍ୟାଦା ପୁରୁଷୋତ୍ତମ ନରଲୀଳା ପ୍ରସଙ୍ଗରେ ଶ୍ରୀରାମ ଚନ୍ଦ୍ର ନାମରେ ନାମିତ।
ରାମାବତାର ଭଗବାନଙ୍କର ଦଶ ଅବତାର ମଧ୍ୟରୁ ସପ୍ତମ ଅବାତର। ଅଭିଶପ୍ତ ଦ୍ବାରପାଳ ଜୟ ବିଜୟ, ରାକ୍ଷସ ପ୍ରବୃତ୍ତି ନେଇ ଜନ୍ମିତ ରାବଣ କୁମ୍ଭକର୍ଣ୍ଣଙ୍କୁ ମୁକ୍ତି ଦେବାପାଇଁ, ମୁନି ନାରଦଙ୍କର ଅଭିଶାପକୁ ମୁଣ୍ଡପାତି ଗ୍ରହଣକରି ନର-ବାନର ଲୀଳା କରିବାକୁ ପଡିଛି ପ୍ରଭୁଙ୍କୁ। ଦୁରାଚାରୀ ରାବଣ କୁମ୍ଭକର୍ଣ୍ଣ, ଖର, ଦୂଷଣ ଇତ୍ୟାଦି ରାକ୍ଷସମାନଙ୍କର ବିନାଶ ଘଟିଛି। ପ୍ରଭୁଙ୍କର ବରଦ ହସ୍ତରେ ଭକ୍ତ ବିଭୀଷଣ ସ୍ବର୍ଣ୍ଣଲଙ୍କାର ରାଜସିଂହାସନରେ ଅଭିଷିକ୍ତ ହୋଇଛନ୍ତି। ଏହି ପବିତ୍ର ଦିବସରେ ମାତୃଶକ୍ତି ଉପାସନାର ନିଦର୍ଶନ ସ୍ୱରୂପ ବାସନ୍ତିକ ଦୁର୍ଗାପୂଜା-ନବରାତ୍ର ଉପାସନାର ଏହା ଶେଷ ଦିନ ମାତା ସିଦ୍ଧିଦାତ୍ରୀଙ୍କର ପୂଜା।
ରାମ ରାଜ୍ୟ ପ୍ରତିଷ୍ଠା ହେଉ। ସମସ୍ତଙ୍କ ମନ ହୃଦୟରେ ସ୍ବୟଂ ଭଗବାନ ରାମଚନ୍ଦ୍ର ରମଣ କରନ୍ତୁ। ସାମ୍ପ୍ରତିକ ପରିବେଶ ଓ ପରିସ୍ଥିତିରେ କେଉଁ ମୁହୂର୍ତ୍ତରେ ଏ ପୃଥିବୀ ମାତା ବିକଳାଙ୍ଗ ହୋଇଯିବ କିଏ କହିବ ? ପାବନ ରାମନବମୀ ପାଳନ ମଙ୍ଗଳମୟ ଅବସରରେ ବିଶ୍ବବାସୀ ରାମଙ୍କ ଚରିତ୍ର ଅବଗତ ହୁଅନ୍ତୁ ଓ ସର୍ବ କଲ୍ୟାଣ ପାଇଁ କାୟ, ମନ ଓ ବାକ୍ୟରେ ପ୍ରଚେଷ୍ଟିତ ରହି ରାମରାଜ୍ୟ ପ୍ରତିଷ୍ଠା ପାଇଁ ନିଜ ଭିତରେ ବସୁଧା ଏକ ପରିବାର ମଣି କାର୍ଯ୍ୟ କରନ୍ତୁ। ଭବ୍ୟ ‘ରାମନବମୀ’ ବ୍ରତ ତଥା ଉତ୍ସବ ପାଳନ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ- ଏହା ହିଁ କାମନା।

କୁନଲତା ତ୍ରିପାଠୀ
କଟକ
ଦୂରଭାଷ:୮୩୩୯୦୫୧୧୭୩

Comments are closed.