ଧ୍ବନିର ଝଙ୍କାର

ସଂକ୍ଷିପ୍ତ ଏବଂ ପ୍ରେରଣାଦାୟକ ବାକ୍ୟକୁ ଆମ୍ଭେମାନେ ‘ସ୍ଲୋଗାନ୍‌’ ବା ଧ୍ବନି ବୋଲି ବୁଝିଥାଉ। କୌଣସି ବିଷୟର ବିଚାର ଓ ଉଦ୍ଦେଶ୍ୟକୁ ବାରମ୍ବାର ଅଭିବ୍ୟକ୍ତ କରିବାର ସୂକ୍ତି ହିଁ ଧ୍ବନି। ଧ୍ବନିର ସଂଜ୍ଞା ହେଲା, ‘‘A short and striking or memorable phrase use in advertising.” (ଅକ୍ସଫୋର୍ଡ ଶବ୍ଦକୋଷ) କୌଣସି ବିଶେଷ ସିଦ୍ଧାନ୍ତରେ ଜନସାଧାରଣଙ୍କୁ ଆକୃଷ୍ଟ କରିବା ପାଇଁ ଧ୍ବନି ସର୍ବୋତ୍କୃଷ୍ଟ ଶକ୍ତିର ଉତ୍ସ। ଧ୍ବନିର ସୂକ୍ଷ୍ମ ସିଦ୍ଧାନ୍ତ ସହଜ ଭାବରେ ବିଶାଳ ଜନସମୁଦାୟକୁ ଏକତ୍ର କରିବାରେ ଆହ୍ବାନ ସୃଷ୍ଟି କରିଥାଏ। ସିଧାସଳଖ ଲୋକଙ୍କ ହୃଦୟକୁ ସ୍ପର୍ଶ କରି ତୀବ୍ର ବେଗରେ ମୁଖରୁ ମୁଖକୁ ବ୍ୟାପି ଯିବାର କ୍ଷମତା ରଖିଥାଏ ଧ୍ବନି।
ଆମେ ଏବେ ସେଇ ଧ୍ବନି ସଂପର୍କରେ ଆଲୋଚନା ରଖିବା- ଯାହାର ଆକର୍ଷଣରେ ଦେଶଭକ୍ତି, ଜାତୀୟତା ଓ ସ୍ବାଭିମାନର ଉଜ୍ଜ୍ବଳ ତରଙ୍ଗ ସୃଷ୍ଟି ହୋଇଛି। ‘ବନ୍ଦେ ମାତରଂ’ ଧ୍ବନିର ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ବ୍ରିଟିଶ ସରକାରଙ୍କ ଅଧୀନରେ ଉପ ଜିଲାପାଳ ଥିବା ସମୟରେ ବ୍ରିଟିଶ ଜାତୀୟ ସଂଗୀତ (God save the Queen) ଗାନ କରାଯାଉଥିଲା, ଯାହାକି ତାଙ୍କୁ ଭାରତମାତାର ବନ୍ଦନା ଗାନ ପାଇଁ ‘ବନ୍ଦେ ମାତରଂ’ ସଂଗୀତ ରଚନା କରିବାକୁ ପ୍ରେରଣା ଯୋଗାଇଥିଲା। ବଙ୍କିମଚନ୍ଦ୍ର ଏହି ସଂଗୀତକୁ ‘ଆନନ୍ଦମଠ’ ଉପନ୍ୟାସରେ ସ୍ଥାନ ଦେଇଥିଲେ। ୧୮୯୬ ମସିହାରେ ବିଶ୍ବକବି ରବୀନ୍ଦ୍ରନାଥ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନ କାଳରେ ଏହି କବିତାକୁ ଗାନ କରି ସମସ୍ତଙ୍କୁ ଜାତୀୟ ସ୍ରୋତରେ ଉଦ୍‌ବୁଦ୍ଧ କରିଥିଲେ। ଏହି ଦୁଇଟି ଶବ୍ଦ ହଜାରବର୍ଷ ଧରି ଶୋଇ ପଡିଥିବା ସୁପ୍ତ ଜନସାଧାରଣଙ୍କ ପ୍ରାଣରେ ଦେଶଭକ୍ତିର ଉନ୍ମାଦନା ସୃଷ୍ଟି କରି ଜାଗ୍ରତ କରିପାରିଥିଲା।
ଉର୍ଦୁ କବି ତଥା କଂଗ୍ରେସ ନେତା ମୌଲାନା ହସରତ ମୋହାନୀ ‘ଇନ୍‌କିଲାବ୍ ଜିନ୍ଦାବାଦ୍’ (କ୍ରାନ୍ତିର ଜୟ ହେଉ) ଧ୍ବନିର ସ୍ରଷ୍ଟା। ଇଂରାଜୀରେ ଏହି ସ୍ଲୋଗାନକୁ ‘Long live the revolution’ କୁହାଯାଏ। ମହାନ କ୍ରାନ୍ତିକାରୀ ବିପ୍ଲବୀ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂ ଏପ୍ରିଲ ୧୯୨୯, ଦିଲ୍ଲୀର ସେଣ୍ଟ୍ରାଲ୍ ଆସେମ୍ବ୍ଲି (central assembly)କୁ ବୋମାରେ ଉଡେଇବା ସମୟରେ ଏହି ଶକ୍ତିଶାଳୀ ଧ୍ବନିକୁ ଉଦ୍ଦାମ କଣ୍ଠରେ ଉଚ୍ଚାରଣ କରି ସାରା ଭାରତର ସଂଗ୍ରାମୀଙ୍କ ମନରେ ଉଗ୍ର ଜାତୀୟତା ସୃଷ୍ଟି କରିଥିଲେ। ଦିଲ୍ଲୀ ନ୍ୟାୟାଳୟର ବିଚାରପତିଙ୍କ ସମ୍ମୁଖରେ ‘ଇନ୍‌କିଲାବ ଜିନ୍ଦାବାଦ୍’ ଧ୍ବନିଦେଇ ଦେଶପ୍ରେମର ବହ୍ନିକୁ ପ୍ରଜ୍ବଳିତ କରିଥିଲେ। ନବୀନ କ୍ରାନ୍ତିକାରୀମାନଙ୍କୁ ଏହି ଧ୍ବନି ଚୁମ୍ବକ ପରି ଆକର୍ଷଣ କରୁଥିଲା। ‘ଇନ୍‌କିଲାବ ଜିନ୍ଦାବାଦ୍’ର ଝଙ୍କାର ବ୍ରିଟିଶ୍ ସରକାରଙ୍କ ଛାତିରେ ଛନକା ଭରି ଦେଉଥିଲା ଯେତିକି, ଭାରତୀୟଙ୍କୁ ଉତ୍ସାହିତ କରୁଥିଲା ସେତିକି।
‘ଜୟ ହିନ୍ଦ୍’ ବିଶେଷ ରୂପରେ ଆମ ଦେଶଭକ୍ତିର ପ୍ରକଟ ନିମିତ୍ତ ପ୍ରୟୋଗ କରାଯାଇଥାଏ। ନେତାଜୀ ସୁଭାଷ ବୋଷ ଚାହୁଁଥିଲେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏପରି ଏକ ଧ୍ବନି ସୃଷ୍ଟି କରିବା, ଯାହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଭାରତୀୟ ଭାବର ପ୍ରତ୍ୟୟ ଆଣିପାରୁଥିବ। ନେତାଜୀଙ୍କ ବିଶ୍ବସ୍ତ ଆଜାଦ ହିନ୍ଦ୍ ଫୌଜର ମେଜର ଆବିଦ୍ ହସନ୍ ସୋଫ୍ରାନି ‘ଜୟ ହିନ୍ଦ୍’ ଧ୍ବନିର ପରିକଳ୍ପନା କରିଥିଲେ, ଯାହାକି ନେତାଜୀଙ୍କୁ ଗଭୀରଭାବେ ସ୍ପର୍ଶ କରିଥିଲା ଓ ପସନ୍ଦ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଧ୍ବନିକୁ ଆଜାଦ ହିନ୍ଦ୍ ଫୌଜର ପ୍ରତିଟି ପଦକ୍ଷେପରେ ନେତାଜୀ ପ୍ରୟୋଗ କରିଥିଲେ। ସେବେଠାରୁ ଆମ ଭାରତୀୟ ସେନା ପାଇଁ ‘ଜୟ ହିନ୍ଦ୍’ ମାନ୍ୟତା ପ୍ରାପ୍ତ ଧ୍ବନି ହୋଇରହିଛି। ନେତାଜୀଙ୍କ ଆଉ ଏକ ପ୍ରଭାବଶାଳୀ ଧ୍ବନି- ‘ଦିଲ୍ଲୀ ଚଲୋ’। ୧୯୪୩ ମସିହା ଜୁଲାଇ ୫ ତାରିଖ ସିଙ୍ଗାପୁର ଟାଉନହଲ୍ ସାମ୍ନାରେ ଆଜାଦ ହିନ୍ଦ୍ ଫୌଜର ‘ସୁପ୍ରିମ୍ କମାଣ୍ଡର’ ନେତାଜୀ ସୁଭାଷ ବୋଷ ପାଖାପାଖି ୪୦ହଜାର ସୈନ୍ୟଙ୍କୁ ଦିଲ୍ଲୀ ଅଧିକାର କରିବା ପାଇଁ ‘ଦିଲ୍ଲୀ ଚଲୋ’ ଡାକରା ଦେଇଥିଲେ। ନେତାଜୀଙ୍କ ଆଉ ଏକ ଧ୍ବନି ମଧ୍ୟ ଖୁବ୍ ପ୍ରସିଦ୍ଧ ଥିଲା, ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ (Give me blood, I will give you freedom)। ୧୯୪୪ ମସିହା ଜୁଲାଇ ୪ ତାରିଖରେ ନେତାଜୀ ନିଜର ଫୌଜଙ୍କ ସହିତ ବର୍ମାରେ ପହଞ୍ଚି ରେଂଗୁନର ଜୁବ୍ଲି ହଲରେ ଯେଉଁ ଐତିହାସିକ ଭାଷଣ ଦେଇଥିଲେ,ତା’ର ମୁଖ୍ୟ ଆକର୍ଷଣ ଥିଲା ଏହି ଧ୍ବନି।
ଅହିଂସାର ପୂଜାରୀ ସ୍ବାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀ ୧୯୪୨ ମସିହାରେ ବମ୍ବେର କ୍ରାନ୍ତି ମଇଦାନର ଅଖିଳ ଭାରତୀୟ କଂଗ୍ରେସ ‘ବୈଠକରେ କରୋ ୟା ମରୋ’ (Do or Die) ଧ୍ବନି ଦେଇ ଦେଶର ସମଗ୍ର ଜନତାଙ୍କୁ ଏକଜୁଟ କରିପାରିଥିଲେ। ଭାରତଛାଡ ଆନ୍ଦୋଳନର ପରିପ୍ରେକ୍ଷୀରେ ‘କର ବା ମର’ ଧ୍ବନି ଜନ ଉନ୍ମାଦନା ସୃଷ୍ଟି କରିଥିଲା। ବାପୁ କହିଥିଲେ- ସମଗ୍ର ଭାରତବାସୀ ‘କରୋ ୟା ମରୋ’ ସ୍ଲୋଗାନକୁ ମନ୍ତ୍ର ଭାବରେ ନିଜର ଶ୍ବାସ ପ୍ରଶ୍ବାସରେ ଗୁଞ୍ଜରିତ କର। ବାସ୍ତବରେ ଏଇ ଧ୍ବନିର ପ୍ରଭାବ ଲୋକଙ୍କ ପ୍ରାଣରେ ଦ୍ବିଗୁଣିତ ଉତ୍ସାହ ଭରି ଦେଇଥିଲା। ବିଲ ବଣ ପାହାଡ କାନ୍ତାର ଜନପଦ ଉପକଣ୍ଠ, ଦିଲ୍ଲୀରୁ ପଲ୍ଲୀ- ସର୍ବତ୍ର ଏଇ ଧ୍ବନିର ଝଙ୍କାର ତୀବ୍ର ବେଗରେ ବିଚ୍ଛୁରିତ ହୋଇ ବ୍ରିଟିଶ୍ ସିଂହାସନକୁ ଦୋହଲାଇ ଦେଇଥିଲା । ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଏଇ ଧ୍ବନିର ମହ ବେଶ୍ ଶକ୍ତିଶାଳୀ ଥିଲା।
‘ସତ୍ୟମେବ ଜୟତେ’ ଭାରତର ରାଷ୍ଟ୍ରୀୟ ଆଦର୍ଶ ବାକ୍ୟ ଭାବେ ମାନ୍ୟତାପ୍ରାପ୍ତ। ଆମ ରାଷ୍ଟ୍ରର ପ୍ରତୀକ ଅଶୋକସ୍ତମ୍ଭର ନିମ୍ନରେ ଏହି ବାକ୍ୟ ଶୋଭା ପାଉଛି। ସତ୍ୟର ଜୟ ହେଉ- ଆଦର୍ଶ ସୂକ୍ତିଟି ମୁଣ୍ଡକ ଉପନିଷଦରୁ ଉଦ୍ଧୃତ। ବିଶିଷ୍ଟ ଶିକ୍ଷାବିତ୍, ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ମଦନ ମୋହନ ମାଲବ୍ୟ ଏହି ଧ୍ବନିକୁ ଲୋକପ୍ରିୟ କରାଇବାର ଶ୍ରେୟ ନିଅନ୍ତି। ୧୯୫୦ ମସିହା ଜାନୁଆରୀ ୨୬ରେ ‘ସତ୍ୟମେବ ଜୟତେ’ ବାକ୍ୟକୁ ରାଷ୍ଟ୍ରୀୟ ଧ୍ବନି ଭାବେ ଘୋଷଣା କରାଯାଇଛି।
ଭାରତର ଆଉ ଏକ ପ୍ରସିଦ୍ଧ ଜନାଦୃତ ଧ୍ବନି- ‘ଜୟ ଯବାନ, ଜୟ କିଷାନ’। ୧୯୬୫ ମସିହା ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଏହି ନାରା ଦେଇଥିଲେ। ଶାସ୍ତ୍ରୀଜୀଙ୍କ ଏହି ବିଖ୍ୟାତ ନାରା ଏକପକ୍ଷରେ ସୀମାରେ ଲଢୁଥିବା ଯବାନମାନଙ୍କ ମନରେ ସାହସ, ଧୈର୍ଯ୍ୟ ଓ ଦେଶଭକ୍ତି ବୃଦ୍ଧି କରିବା ସହିତ ଅନ୍ୟପକ୍ଷରେ କୃଷକମାନଙ୍କୁ କୃଷିକାର୍ଯ୍ୟରେ ମନୋନିବେଶ ପାଇଁ ଉତ୍ସାହ ଭରିଦେଇଥିଲା।
ଏସବୁ ବ୍ୟତୀତ ମହମ୍ମଦ ଇକବାଲ୍‌ଙ୍କ ‘ସାରେ ଜହାଁ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା’, ବାଲ ଗଙ୍ଗାଧର ତିଲକଙ୍କ ‘ସ୍ବରାଜ ମୋର ଜନ୍ମସିଦ୍ଧ ଅଧିକାର, ମୁଁ ଏହାକୁ ନେଇକରି ରହିବି’, ଜବାହରଲାଲ ନେହେରୁଙ୍କର ‘ଆରାମ ହରାମ୍ ହୈ’ (Rest is Rust), ଇନ୍ଦିରା ଗାନ୍ଧୀଙ୍କର ‘ଗରିବୀ ହଟାଓ’, ଅଟଳ ବିହାରୀ ବାଜପେୟୀଙ୍କ ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ’ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ସ୍ବଚ୍ଛ ଭାରତ’ ଧ୍ବନି ଜନମାନସକୁ ଆକର୍ଷିତ କରିପାରିଛି।

ପ୍ରଫୁଲ୍ଲ କୁମାର ପାଣି
କାମାକ୍ଷାନଗର
ଦୂରଭାଷ:୬୩୭୨୪୫୯୯୬୦

Comments are closed.