ବିଶ୍ବାସରେ ବିଷ
ଡାକଘର ଟଙ୍କା ଓ ଚିଠି ଥିଲା ଗ୍ରାମାଞ୍ଚଳରେ ଏକ ଅସାଧାରଣ ବିଶ୍ବାସବୋଧ ଓ ଆତ୍ମୀୟତାର ଉଦାହରଣ। ତେଣୁ ଦେଶବ୍ୟାପ୍ତ ଏ ଡାକଘର କାର୍ଯ୍ୟାଳୟ ଥିଲା ସଭିଙ୍କ ରୁଣ୍ଡ।
‘‘କାକପୁରେ ନେଇ ପିକ ଅଣ୍ଡାଥୋଇ ଅତି ଯତନରେ ପାଳିବ, ଯେତେବେଳେ ପିକ ଚତୁର ହୋଇବ ତା ଗୋତ୍ର ସୁମରି ଉଡ଼ିଯିବ, ଉଦ୍ଧବ କହିବଟି ଗୋପୀନାଥଙ୍କୁ’’ ଛାନ୍ଦଟି େଢର ପ୍ରାଣଛୁଆଁ। ନିଜ କିଏ, ପର କିଏ? ‘‘ପୋଷା ପୁଅ ଗୁଞ୍ଜା ରୁଅ’’ କଥାକୁ ସମଝୁନ! ଆରେ ବାବୁ କେହି କାହାର ନୁହନ୍ତି, ସ୍ବାର୍ଥ ହିଁ ବନ୍ଧନର ମୁଖ୍ୟ ଓ ମୂଳ ଆକର୍ଷଣ, ୟା ଆଗରେ ସବୁ ପାଣି ଫାଟି ଯାଏ। ‘ଡାକ, ଡାକଘର’ କଥା କାହିଁ କେତେ ପୁରୁଣା ଯୁଗର କଥା।’ ‘ଡାକ ମୁନ୍ସି’ ଗଳ୍ପରୁ ଏହାର ମର୍ମ ଓ ଏଥିରେ ସଂପୃକ୍ତ ପ୍ରବଣତା ବେଶ ଅନୁଭବ୍ୟ। ୧୮୫୦ରେ ଡେଲହାଉସି ପ୍ରଥମେ ଡାକସେବା ଏ ଦେଶରେ ଆରମ୍ଭ କଲେ। ତା’ ପୂର୍ବରୁ ଯେ ଡାକ ସେବା ନଥିଲା, ତା’ ନୁହେଁ, ମାତ୍ର ସେ ଗହନ କଥା। ଆଜି ପ୍ରସଙ୍ଗକୁ ଏତେ ଫାବୁନି। ଡାକସେବା ସାରା ଦେଶରେ ଗ୍ରାମାଞ୍ଚଳକୁ ଯେମିତି ବ୍ୟାପିଥିଲା, ସେମିତି ବ୍ୟାପ୍ତି ଆଉ କାହାର କାଇଁ ଥିଲା? ‘ଡାକ ପିଅନ’ ଓ ‘ଚିଠି’ ଏ ଦେଶ ତୃଣମୂଳ ଜନତାର ଲାହିକଟା ସମ୍ପର୍କର ଯେମିତି ଥିଲେ। ବିଦେଶରୁ, ଦୂରରୁ ବାପା ଭାଇଙ୍କଠୁ ବାରତା ବା ଟଙ୍କା ଏଇ ପୋଷ୍ଟକାର୍ଡ ଓ ମନିଅର୍ଡରରୁ ମିଳୁଥିଲା। ଡାକବାଲା ଟଙ୍କା ଆଣି ଗଣିଗଣି ଗଁା ଦାଣ୍ଡରେ, ଜଣଙ୍କ ଘର ଦୁଆର ମୁହଁରେ ଦେଇ ଯାଉଥିଲା। କି ଆନନ୍ଦ, କି ବିଶ୍ବାସ ଲୋ ବୋପା। ପର୍ବ ପର୍ବାଣିରେ ଡାକବାଲାକୁ ଖୋଇବା ଆଗ୍ରହ ସେ ବଡ଼ ବିନମ୍ରତାର ସହ ଫେରାଇ ଦେଇଥାଏ। ‘ଆଜ୍ଞା ଦେଖୁ ନାହାନ୍ତି ସନ୍ଧ୍ୟା ପୂର୍ବରୁ ଏତକ ବାଣ୍ଟିବାକୁ ହେବ ହିଁ ହେବ। ଆପଣଙ୍କ ସୁସ୍ବାଦୁ ନିମନ୍ତ୍ରଣକୁ ବେଳ କାଇଁ?’ ତଥାପି ଗାଁ ସୁଲୁ ଆଈ, ରାଧିନାନୀ ସେ ତା ପକେଟରେ ଆରିସା ଦି’ଟା, ମଣ୍ଡା ଦି’ଟା ପୂେରଇ ଦିଅନ୍ତି। ମନା ଆଉ କରି ପାରେନି। ଉଭୟେ ସତରେ କି ଖୁସି ମ ! ଡାକଘର ଟଙ୍କା, ଚିଠି ଥିଲା ଏ ବିଶ୍ବାସବୋଧ ଆତ୍ମୀୟତାର ଏକ ଅସାଧାରଣ ମାର୍ମିକ ଉଦାହରଣ। ତେଣୁ ଦେଶବ୍ୟାପ୍ତ ଏ ଡାକଘର କାର୍ଯ୍ୟାଳୟରେ ସଭିଙ୍କ ରୁଣ୍ଡ। ନିୟମିତ ଚାକିରିଆ ବି ସବୁ ପୋଷ୍ଟ ମାଷ୍ଟର ନ ଥାନ୍ତି। ‘ଦ ଭିଲେଜ ପୋଷ୍ଟ ମାଷ୍ଟର‘ ଗପ ରବି ଠାକୁରଙ୍କ ଏକ ପ୍ରାଣମୟ ପରିପ୍ରକାଶ। ସେ ଯାହା ହେଉ ବହୁ ବର୍ଷର ଏ ବିଶ୍ବାସବୋଧରୁ ଡାକଘରେ ଗାଁ ଲୋକଟିଏ ଟଙ୍କା ଜମା ରଖୁଥିଲା। ସେ ଢେର ଆଶ୍ବସ୍ତ ଥିଲା ତା’ ଝାଳବୁହା ଟଙ୍କାର ନିରାପତ୍ତା ନେଇ। ମାତ୍ର ଏବେ ହୋଇଛି କ’ଣ ? ଟଙ୍କା ଦେଣ ନେଇ ନାନା ପ୍ରକାର ବ୍ୟାଙ୍କ ଓ ଦେଣ ନେଣ ବ୍ୟବସ୍ଥା କ୍ରମେ ପ୍ରଚଳିତ ହେଲା। ସେମିତି ଜୀବନବୀମା (Life Insurance Corporation) ଏକ ବହୁ ପୁରୁଣା ଓ ସମ୍ଭ୍ରାନ୍ତ ଅନୁଷ୍ଠାନ, ୟା’ର ଏଜେଣ୍ଟମାନେ ଗାଁ ଗାଁ ସହର ସହର ବୁଲି ଜମାକାରୀ ସଂଗ୍ରହ କରୁଥିଲେ। ନିଜେ ବି ଏଥିପାଇଁ କିଛି ପାରିଶ୍ରମିକ ପାଉଥିଲେ। ତେବେ ଏଜେଣ୍ଟମାନେ ଠକିବାର ଉଦାହରଣ କ୍ବଚିତ୍ ଥିଲା। ମାତ୍ର ଏବେତ ବ୍ୟାଙ୍କ୍ ମାନଙ୍କରୁ ହଜାର ହଜାର କୋଟି ଟଙ୍କାର ଠକେଇ ହେଉଛି। ଚିଟ୍ଫଣ୍ଡ୍ ଗୋଟେଗୋଟେ କ’ଣ ସବୁ ସୃଷ୍ଟି ହୋଇଛି। ୟେ ତ ଚିଟ୍ଫଣ୍ଡ୍ ନୁହଁ, ଚିତାକଟା ଫଣ୍ଡ୍ ବହୁ କ୍ଷେତ୍ରରେ ବନିଯାଇଛି। ଏ ସବୁ ଘଟଣା ପ୍ରକାଶ ସତ୍ତ୍ବେ ସାଧାରଣ ଗ୍ରାମ୍ୟ ଜନତାର ବିଶ୍ବାସବୋଧକୁ ଚହଲାଇ ପାରୁ ନଥିଲା। କାରଣ ଡାକଘର ପରି ଏ ସବୁ ସଂସ୍ଥା ଗ୍ରାମ୍ୟ ଜୀବନସହ ଓତପ୍ରୋତ ଜଡ଼ିତ ହୋଇପାରୁ ନଥିଲେ।
ଜନତା ବିଶ୍ବାସବୋଧରୁ ଅଧିକ ଫାଇଦା ଉଠାଇବା ପାଇଁ ଓ ଦୁଆର ବନ୍ଧରେ ସଞ୍ଚୟ ସୁବିଧା ଦେବାର ଏକ ଲୋଭ ଓ ବ୍ୟବସାୟିକ ଫାଇଦା ନାଁରେ କର୍ତ୍ତୃପକ୍ଷ ଡାକଘର ମାନ ପାଇଁ ମଧ୍ୟ ‘ଏଜେଣ୍ଟ’ ନିଯୁକ୍ତି କଲେ। ମାତ୍ର ଏ ଏଜେଣ୍ଟ୍ମାନେ ଜମାଖାତା(ପାସ୍ ବୁକ୍) କେତେ ଖୋଲିଛନ୍ତି, ସେଥିରେ ଟଙ୍କା ଜମା ରଖୁଛନ୍ତି କି ନାହିଁ, ତା ସରକାରୀ ତହବିଲକୁ ଯାଉଚି କି ନାହିଁ, କିଏ ତାକୁ ଦେଖାରେଖା କରୁଛି? ଏବେ ଏକ ଚମକ୍ପ୍ରଦ ଓ ଉଦ୍ବେଗଜନକ ଅର୍ଥ ଆତ୍ମସାତ୍ ଖବର ବାହାରିଛି। ଲିଙ୍ଗରାଜ୍ ଥାନାରେ ଜଣେ ମହିଳା ଏଜେଣ୍ଟ ଲକ୍ଷଲକ୍ଷ ଟଙ୍କା ସରଳ ଜନତାଠୁ ଆଦାୟ କରି ତାକୁ ସରକାରୀ ତହବିଲରେ ଜମା କରି ନଥିବା ଅଭିଯୋଗ ଆସିଛି। ନିଜ ସଞ୍ଚୟକୁ କାହାକୁ ନ ଜଣେଇବାକୁ ଅନେକ ସରଳ ଜମାକାରୀ ତାଙ୍କ ଜମାଖାତାକୁ ବି ଏଜେଣ୍ଟଙ୍କ ପାଖରେ ଚରମ ଓ ପରମ ବିଶ୍ବାସରେ ଛାଡ଼ି ଦେଇଥାନ୍ତି, ଅଛନ୍ତି ମଧ୍ୟ। ୟେ ପୁଣି ଜଣେ ମହିଳା, ଜଣେ ମହିଳାଙ୍କର ଏପରି ଆସ୍ପର୍ଦ୍ଧା, ଏପରି ଦୁର୍ନୀତି କରିବାର ସାହସରୁ ମହିଳା ସଶକ୍ତୀକରଣର ବିକୃତ ଏ ପରିଚୟ ଏଇ ମହିଳା ଦେଇଛନ୍ତି।
ତେବେ ତାଙ୍କ ମୁଣ୍ଡକୁ ସବୁ ଦୋଷ ଢ଼ାଳିଦେଇ, ତାଙ୍କୁ ଥାନାରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ସହ ସଂପୃକ୍ତ ଡାକ କର୍ତ୍ତୃପକ୍ଷ ଏ ଏଜେଣ୍ଟଙ୍କ ଟଙ୍କା ଆଦାୟ ଓ ତା ଦାଖଲ ଆଦିର ଉଦ୍ଦିଷ୍ଟ ନିରାପତ୍ତା ବଳୟ ଓ ଅଙ୍କୁଶ ପ୍ରତି ଦୃଷ୍ଟି ଦେଇଥିଲେ ନା ନାହିଁ, ତା’ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗାଁ ଯାକ ଲୋକ ପଣସ ଏଠି ଖାଇଛନ୍ତି, ମାତ୍ର ଏକମାତ୍ର ଭଣ୍ଡାରିଠି କିଆଁ ଅଠା ବୋଳା? ଅଙ୍କୁଶ, ଆକଟ ଆଦି ସବୁ କାର୍ଯ୍ୟରେ ଲୋଡ଼ା। ସେଥିପାଇଁ ‘ଅଡିଟ୍’ ବ୍ୟବସ୍ଥା ରହିଛି, ମାତ୍ର ଏଠି ସେ ‘ଅଙ୍କୁଶ’ ବ୍ୟବସ୍ଥାକୁ କିଏ କାହିଁକି ଓ କେମିତି ଭୁଶୁଡ଼ାଇ ଗ୍ରାମ୍ୟ ଜନତାର ବିଶ୍ବାସବୋଧକୁ ଟଳେଇ ଦେଇଛି, ତା ପ୍ରକାଶ ନ ପାଇଲେ, ଏମିତି ଅଘଟଣ ଘଟି ଚାଲିଥିବ। ୟେ ଏକ ଦୁର୍ଘଟଣା ନୁହଁ, ଏକ ପ୍ରାୟୋଜିତ, ଯୋଜନାବଦ୍ଧ କାର୍ଯ୍ୟକ୍ରମ। ଇଏ ସିନା ଧରାପଡ଼ିଛି, ବାକି ଅନ୍ୟ କେଉଁଠି କେଉଁଠି ବି ଏହା ଘଟି ଚାଲିଛି। ନେଇ ଆଣି ଥୋଇ ପାରିଲେ ନାହିଁ ଏମାନେ, ତେଣୁ ଚୋରି ବିଦ୍ୟାଟି ଘାତକ ହେଲା।
Comments are closed.