ସମବାୟ ସମିତି ସମ୍ପାଦକଙ୍କ ୭ ଦଫା ଦାବିପତ୍ର
ଆଠଗଡ : ଆଠଗଡ ବ୍ଲକ ଓ ଏନଏସିରେ କାର୍ଯ୍ୟରତ ୨୬ ଟି ପ୍ରାଥମିକ କୃଷି ସେବା ସମବାୟ ସମିତିର ସଂପାଦକମାନେ ୭ ଦଫା ଦାବି ନେଇ ଆଠଗଡ ସମବାୟ ସହକାରୀ ନିବନ୍ଧକଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୧୦ ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରା ନଗଲେ ୧୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସଂପାଦକ ମାନେ ପ୍ରଦାନ କରିଥିବା ଦାବିଗୁଡିକ ମଧ୍ଯରେ ବିନା କାରଣରେ ନିଜିଗଡ ସେବା ସମବାୟ ସମିତିର କର୍ମଚାରୀଙ୍କ ବନ୍ଦ ରହିଥିବା ୪ ମାସର ଦରମା ତୁରନ୍ତ ପ୍ରଦାନ, ସମିତିର ପରିଚାଳନା ପରିଷଦଙ୍କୁ କେଉଁ ଆଧାରରେ ବୈଠକ ଭତ୍ତା ପ୍ରଦାନ କରାଯିବ ତାର ସ୍ପଷ୍ଟୀକରଣ ଦେବା, ସମିତିରେ କାର୍ଯ୍ୟରତ ଡିଇଓ ମାନଙ୍କର ୧୦ ଲକ୍ଷ ଟଙ୍କା ବୀମା ବ୍ୟବସ୍ଥା କରିବା, ଧାନ କିଣା ପୂର୍ବରୁ ସମିତି ସ୍ତରରେ ଯେଉଁ ପ୍ରସ୍ତୁତି କରାଯିବ ଯଥା ୧୫୦୦ ରୁ ୨୦୦୦ ସ୍କୋୟାର ଫୁଟର ବିଶ୍ରାମସ୍ଥଳ, ଚେୟାର, ଟେବୁଲ, ପାନୀୟ ଜଳର ବ୍ୟବସ୍ଥା ନିମନ୍ତେ ବ୍ୟୟ ପରିମାଣର ଲିଖିତ ନିର୍ଦ୍ଦେଶ ପ୍ରଦାନ, ସମିତି ସ୍ତରରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀ ମାନଙ୍କର ଧାର୍ଯ୍ୟ ୬ଷ୍ଠ ବେତନ କମିଟିର ସୁପାରିଶ ମୁତାବକ ବେତନ ଓ ଡିଏ ଆଗାମୀ ଜାନୁୟାରୀ ପହିଲା ଠାରୁ ପ୍ରଦାନ ପ୍ରଭୃତି ଅନ୍ତର୍ଭୁକ୍ତ।
ସମିତି ସଂପାଦକ ସଂଘ ପକ୍ଷରୁ ଏକ ପ୍ରତିନିଧିଦଳ ଆଠଗଡ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ବିଜେନ୍ଦ୍ର କୁମାର ମହାନ୍ତିଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ। ଡିସେମ୍ବର ୧୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସମୟରେ ସମିତିସ୍ତରରେ ଚାଷୀଙ୍କର ଅବା ସରକାରଙ୍କର ଯେ କୌଣସି ଲୋକାଭିମୁଖୀ ଯୋଜନାରେ ସମସ୍ୟା ସୃଷ୍ଟି ହେଲେ ସମିତି କର୍ମଚାରୀମାନେ ଦାୟୀ ରହିବେ ନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ସମ୍ବାଦ ସମିତି ସଂପାଦକ ଓ କର୍ମଚାରୀ ଆନ୍ଦୋଳନ କଲେ ମଣ୍ଡିରେ ଧାନ କ୍ରୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ଚାଷୀଙ୍କ ମଧ୍ଯରେ ଚିନ୍ତା ବଢିଲାଣି । ସମିତି ସମ୍ପାଦକଙ୍କ ପକ୍ଷରୁ ଦାବିପତ୍ରର ନକଲ ଆଠଗଡ ବିଧାୟକ, ସମବାୟ ସମିତି ସମୂହ କଟକ ଜିଲ୍ଲା ନିବନ୍ଧକ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ ଶାଖାର ପରିଚାଳକଙ୍କୁ ପ୍ରଦାନ କରାଯାଇଛି।
Comments are closed.