www.samajalive.in
Sunday, December 7, 2025
13.1 C
Bhubaneswar

ଉତ୍ତରାୟଣୀ ସମବାୟ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ କେବେ ?

ପିପିଲି :ସମଗ୍ର ରାଜ୍ୟରେ ଏବେ ଆଳୁ ସଂକଟ ଦେଖାଦେଇଛି। ବଜାରରେ ଆଳୁ କିଲୋ ପ୍ରତି ୪୫ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଅଧିକ ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ଗତ ସାଢେ ୫ବର୍ଷ ଧରି ଅଚଳ ହୋଇ ପଡି ରହିଥିବା ପୁରୀ ଜିଲା ସାତଶଙ୍ଖ ସ୍ଥିତ ମା’ ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାର ଅଦ୍ୟାବଧି ପୁନଃ କାର୍ଯ୍ୟକ୍ଷମ ନହେବା ଫଳରେ ଏହା ଉପରେ ନିର୍ଭର କରୁଥିବା ଜିଲାର ୧୦ଟି ବ୍ଲକରେ ଆଳୁଚାଷୀ ଏବେ ସଙ୍କଟରେ। ଏହି ଶୀତଳ ଭଣ୍ଡାର ଅଚଳ ହେବା ହିଁ ଜିଲାରେ ଆଳୁ ଚାଷ ହ୍ରାସ ପାଇବାର ମୁଖ୍ୟ କାରଣ ଅଟେ । ଫଳରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଗତ ୫ବର୍ଷ ଧରି ଆଳୁ ଚାଷ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେବେ ଏହି ଶୀତଳଭଣ୍ଡାରର ପୁନଃର୍ଦ୍ଧାର କାର୍ଯ୍ୟ ପିପିପି ମୋଡ୍‍ରେ କରାଯିବା ପାଇଁ ଗତ ବର୍ଷ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ତାହା ଏବେ ନାଲିଫିତା ତଳେ ପଡି ରହିଥିବା ଅଭିଯୋଗ ହୋଇଛି ।

ପୁରୀ ଜିଲାରେ ଆଳୁଚାଷର ପ୍ରୋତ୍ସାହନ ଓ ପ୍ରସାର ପାଇଁ ଚାଷୀଙ୍କର ଆର୍ଥିକ ଭାଗିଦାରିରେ ସାତଶଙ୍ଖ ଠାରେ ମା’ ଉତ୍ତରାୟଣୀ ସମବାୟ ଶୀତଳଭଣ୍ଡାର ସମବାୟ ଭିତ୍ତିରେ ନିର୍ମାଣ କରାଯାଇଥିଲା । ଜିଲାର ୧୦ଟି ବ୍ଳକର ୫ ହଜାରରୁ ଉର୍ଦ୍ଧ ଚାଷୀ ଏହି ଶୀତଳଭଣ୍ଡାରରେ ସଭ୍ୟ ଅଛନ୍ତି । ତେବେ, ଗତ ୨୦୧୯ ମେ ମାସ ୩ ତାରିଖ ଫଣି’ ବାତ୍ୟାରେ ଏହି ଶୀତଳଭଣ୍ଡାରର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଆଳୁ ଶୁଖାଇବା ଓ ଅଖାରେ ପ୍ୟାକିଂ କରିବା ପାଇଁ ଉଦ୍ଦିଷ୍ଟ ଡ୍ରାଇଂ ସ୍ପେସ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କାର୍ଯ୍ୟାଳୟ ଗୃହ ମଧ୍ୟ ଭାଙ୍ଗିଯାଇଥିଲା । ଶୀତଳଭଣ୍ଡାରର ଜରୁରୀ କାଳୀନ ଦ୍ୱାର ଭାଙ୍ଗି ଯାଇ ପବନରେ ଉଡି ଯାଇଥିଲା । ସେହି ସମୟରେ ସେଠାରେ ଗଚ୍ଛିତ ଥିବା ୫ହଜାରରୁ ଉର୍ଦ୍ଧ ଆଳୁ ପ୍ୟାକେଟ୍‍ ନଷ୍ଟ ହୋଇଯାଇଥିଲା । ସେହିଦିନ ଠାରୁ ଏହି ଶୀତଳଭଣ୍ଡାର ସଂପୂର୍ଣ୍ଣ ଅଚଳ ହୋଇ ପଡିରହିଛି । ୧.୫୮ ଏକର ପରିମିତ ଏହି ଶୀତଳଭଣ୍ଡାରରେ ୨ହଜାର ମେଟ୍ରିକ୍‍ ଟନ୍‍ ତଥା ୪୦ହଜାର ଆଳୁ ପ୍ୟାକେଟ୍‍ ରହିବାର କ୍ଷମତା ରହିଛି । ଶୀତଳଭଣ୍ଡାରରେ ଥିବା ୧୨୦ କେଭି କ୍ଷମତା ସଂପନ୍ନ ଜେନେରେଟର, ସମସ୍ତ ଯନ୍ତ୍ରାଂଶ, ଚାମ୍ବର ସମେତ ମୋଟର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯନ୍ତ୍ରାଂଶ ସଂପୂର୍ଣ୍ଣ ଠିକ୍‍ ରହିଥିବା ସୂଚନା ମିଳିଛି । କେବଳ ଜରୁରୀ କାଳୀନ ଦ୍ୱାରର ମରାମତି ସାଙ୍ଗକୁ ଡ୍ରାଇଂ ସ୍ପେସ, ପ୍ରି କୁଲିଂ ରୁମ୍‍ ର ଆବଶ୍ୟକ ମରାମତି ସହ ବିଦ୍ୟୁତ୍‍ ବିଲ୍‍ ପଇଠରେ ରିହାତି କରାଯାଇ ପାରିଲେ ଖୁବ୍‍ କମ୍‍ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସୂଚନା ମିଳିଛି।

- Advertisement -

ତେବେ ଏନେଇ ବହୁବାର ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ପିପିପି ମୋଡ୍‍ରେ ଏହି ଶୀତଳଭଣ୍ଡାରର ଆବଶ୍ୟକ ମରାମତି ସହ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଉତ୍ତରାୟଣୀ ପିଜିଏସ୍‍ ଆଣ୍ଡ ଏମ୍‍ସିଏସ୍‍ ଲିଃ ର ପ୍ରଶାସକଙ୍କ ପକ୍ଷରୁ ଗତ ୨୦୨୩ ମସିହା ଫେବୃଆରୀ ମାସରେ ବିଜ୍ଞାପନ ପ୍ରକାଶ ପାଇଥିଲା । ତଦନୁଯାଇ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ତାହା ଅଦ୍ୟାବଧି ଫଳପ୍ରଦ ହୋଇନଥିବା ସଂପର୍କରେ ଶୀତଳଭଣ୍ଡାରର ପୂର୍ବତନ ପରିଚାଳନା ପରିଷଦ ସଦସ୍ୟ ତଥା ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ସୂଚନା ଦେଇଛନ୍ତି । ରାତ୍ର ଜଗୁଆଳ ନଥିବା ବେଳେ ଏହାର ରକ୍ଷଣାବେକ୍ଷଣ କରିବାକୁ କେହି ନଥିବାରୁ ଏହାର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ସାଢେ ୫ବର୍ଷ ଧରି ଅଚଳ ହୋଇ ପଡିଥିବା ଏହି ଶୀତଳ ଭଣ୍ଡାରର ପୁନଃର୍ଦ୍ଧାର ତଥା ପୁନଃ କାର୍ଯ୍ୟକ୍ଷମ ଦିଗରେ କାଳବିଳମ୍ବ ହେଉଥିବାରୁ ଆଳୁଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଳୁକୁ ସଂରକ୍ଷିତ କରି ରଖିବା ପାଇଁ ଏକମାତ୍ର ଭରସା ଥିବା ଏହି ଶୀତଳଭଣ୍ଡାରଟି ଅଚଳ ହେବା କାରଣରୁ ପିପିଲି, ଡେଲାଙ୍ଗ, ବଳଙ୍ଗା, ସତ୍ୟବାଦୀ, କଣାସ, ନିମାପଡା, ଗୋପ ସମେତ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଆଳୁ ଚାଷ ପ୍ରତି ବିଶେଷ ଆଗ୍ରହ ପ୍ରକାଶ ନକରିବାରୁ ଏବେ ବଜାରରେ ଆଳୁର ଦର ବହୁତ ଅଧିକ ଥିବା ସଂପର୍କରେ କେତେକ ଆଳୁଚାଷୀ ପ୍ରକାଶ କରିଛନ୍ତି । ସାଧାରଣତଃ ଡିସେମ୍ବର ମାସରେ ଚାଷୀମାନେ ଆଳୁଚାଷ କରୁଥିବା ବେଳେ ଜାନୁଆରୀ ଶେଷ ସପ୍ତାହରୁ ଅମଳ ଆରମ୍ଭ ହୋଇଥାଏ । ମାର୍ଚ୍ଚ ୧୦ରୁ ଏକମାସ ପର୍ଯ୍ୟନ୍ତ ଏହି ଶୀତଳ ଭଣ୍ଡାରରେ ଆଳୁ ରଖାଯାଉଥିବା ବେଳେ ସେପ୍ଟେମ୍ବର ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଏଠାରେ ଆଳୁ କଢା ଯାଇଥାଏ । ତେଣୁ ଆଳୁଚାଷ ପୂର୍ବରୁ ସରକାରଙ୍କ ପକ୍ଷରୁ ତୁରନ୍ତ ଏହାର ଆବଶ୍ୟକ ମରାମତି କରାଯାଇ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଚାଷୀଙ୍କ ମହଲରେ ଦାବି ହୋଇଛି ।

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

‘ପୁଷ୍ପା ୨ ଦି ରୁଲ୍‌’ ; ଭାଙ୍ଗିଲା ରେକର୍ଡ, ଆଡ୍‌ଭାନ୍ସ ବୁକିଙ୍ଗ୍‌ରେ ଏତିକି କୋଟି କଲା ଆୟ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories