ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

କେନ୍ଦୁଝରଗଡ଼଼ : ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ଅଧିନ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଜଣେ ଶିକ୍ଷୟିତ୍ରୀରେ ଶିକ୍ଷାଦାନ ଚାଲିଥିବା ବେଳେ ଅନ୍ତତଃପକ୍ଷେ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। ଏହି ଦାବିକୁ ଦାୟିତ୍ୱରେ ଥିବା ଅଧିକାରୀ ଅଣଦେଖା କରି ଆସୁଥିବାରୁ ଶିକ୍ଷକ ନିଯୁକ୍ତି ଦାବିରେ ସୋମବାର ନିଜ ନିଜ ପିଲାମାନଙ୍କୁ ଧରି ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ସାମିଲ ହୋଇଥିଲେ।

ଏହି ଖବର ଜାଣିବା ପରେ ପଳାଶପଙ୍ଗା ସିଆରସିସି ଶରତ ଚନ୍ଦ୍ର ଦେହୁରୀ ଓ ସଦର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତରଣୀସେନ ମୁଣ୍ଡା ଉକ୍ତ ବିଦ୍ୟାଳୟରେ ପହଞ୍ଚି ଆନ୍ଦୋଳନରତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ତୁରନ୍ତ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ପ୍ରତିଶ୍ରୁତି ପରେ ଅଭିଭାବକ ଆନ୍ଦୋଳନରୁ ଓହରିବା ସହ ମଧ୍ୟାହ୍ନ ୧୨ଟାରୁ ଶିକ୍ଷାଦାନ କାର୍ଯ୍ୟକ୍ରମ ସ୍ୱାଭାବିକ ହୋଇଥିଲା। ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ୬ ରୁ ୧୪ବର୍ଷ ଶିଶୁଙ୍କୁ ମାଗଣାରେ ବାଧ୍ୟତାମୂଳକ ଶିକ୍ଷାଦାନ ବ୍ୟବସ୍ଥା ପ୍ରଚଳନ କରିଆସୁଛନ୍ତି।

ଏଥିସହ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ନିଃଶୁଳ୍କ ଶିକ୍ଷାଦାନ ସହ ପାଠ୍ୟ ଉପକରଣ, ପୋଷାକ ଓ ମଧ୍ୟାହ୍ନଭୋଜନ ମାଗଣାରେ ଯୋଗାଇ ଦେଇ ଆସୁଥିଲେ ହେଁ ଆଦିବାସୀବହୁଳ କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ସରକାରଙ୍କ ଏହି ବ୍ୟବସ୍ଥା ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆକୃଷ୍ଟ କରିପାରିନାହିଁ। ଅପରପକ୍ଷେ ଆବଶ୍ୟକ ଶ୍ରେଣୀଗୃହ ସାଙ୍ଗକୁ ଶିକ୍ଷକ ପଦ ଖାଲି ପଡ଼ିବା ଯୋଗୁଁଁ ଜିଲାର ଅନେକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବା ପରିସ୍ଥିତିକୁ ପହଞ୍ଚିଛି।

ଏହି କାରଣରୁ ଏବେ ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଏବେ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ପଦ ଖାଲି ଯୋଗୁଁଁ ତାଲା ପଡ଼ିବାକୁ ଯାଉଛି। ୧୯୯୦ ମସିହାରେ ଗଢ଼ି ଉଠିଥିବା ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଜଣ ଛାତ୍ର ଓ ୧୨ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୧୮ଜଣ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ଅଭାବରୁ ଗୋଟିଏ ଶ୍ରେଣୀଗୃହରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଏକାଠି ବସି ଅଧ୍ୟୟନ କରୁଛନ୍ତି। ଏଥିସହ ଶିକ୍ଷକ ଅଭାବରୁ ପଞ୍ଚମଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକ ନିକଟସ୍ଥ ଟାଙ୍ଗରାଣୀ ଓ ସରାସକୋଲା ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରିନେବାରୁ ଏବେ ପଞ୍ଚମଶ୍ରେଣୀରେ ଜଣେହେଲେ ଛାତ୍ରଛାତ୍ରୀ ନଥିବା ବିଦ୍ୟାଳୟର ସ୍ଥିତିକୁ ବେଶ୍‌‌ ଜାହିର କରୁଛି।

Comments are closed.