ରାଜଧାନୀରେ ଅପମିଶ୍ରିତ ଖାଦ୍ୟ ବିକ୍ରି: ୩୦ ଦୋକାନରୁ ୫୦ କିଲୋ ସାମଗ୍ରୀ ନଷ୍ଟ; ୧୧ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର : ଜାନୁଆରୀ ୮ରୁ ରାଜଧାନୀରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ । ପ୍ରବାସୀଙ୍କ ଆଗମନକୁ ନେଇ ଭୁବନେଶ୍ବର ସହର ସୌନ୍ଦର୍ଯ୍ୟକରଣ କରାଯାଉଛି। ରାସ୍ତା ମରାମତି ସହିତ କାନ୍ଥବାଡ଼କୁ ଚିତ୍ରିତ କରାଯାଉଛି । କିନ୍ତୁ ବିଏମ୍ସି ସ୍ଵାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସହର ଭିତରେ ଥିବା ଉଠା ଦୋକାନରେ ଅପମିଶ୍ରିତ ଖାଦ୍ୟର ମାନ ନିୟମିତ ଯାଞ୍ଚ ହେଉନାହିଁ। ବେପାରୀମାନେ ଅସଲି ବ୍ରାଣ୍ଡର ଖାଦ୍ୟ ସାମଗ୍ରୀ ବଦଳରେ ନକଲି ସାମଗ୍ରୀ ବ୍ୟବହାର କରୁଛନ୍ତି। ଏପରିକି ବାସି ଖାଦ୍ୟ ଓ ପୋଡ଼ାତେଲରେ ପ୍ରସ୍ତୁତ ଖାଦ୍ୟକୁ ବିକ୍ରି କରାଯାଉଛି।
ଅନେକ ବ୍ୟବସାୟୀ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପଞ୍ଜୀକରଣ ଲାଇସେନ୍ସ କରିନାହାନ୍ତି। କିଛି ବ୍ୟବସାୟୀ ପଞ୍ଜୀକରଣ ଲାଇସେନ୍ସ କରିଥିବା ବେଳେ ସମୟ ଭିତରେ ତା’ର ନବୀକରଣ କରୁନାହାନ୍ତି। ନିୟମିତ ଯାଞ୍ଚ ନହେବାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ। ରାଜ୍ୟରେ ଖାଦ୍ୟସୁରକ୍ଷା ଆୟୋଗ କାର୍ଯ୍ୟ କରୁଥିବା ସତ୍ତ୍ୱେ ଅପମିଶ୍ରିତ ଖାଦ୍ୟର ବିକ୍ରି ବଢ଼ିଚାଲିଛି।
ଏସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକୃତ ପଦାକାରୀ ସତ୍ୟଜିତ ପଟେଲ କହିଛନ୍ତି, ତାଙ୍କ ଜୋନ୍ ଅଞ୍ଚଳରେ ନିୟମିତ ବ୍ୟବଧାନରେ ଉଠାଦୋକାନୀ, ହୋଟେଲ, ରେସ୍ତୋରାଁ ଓ ଫାଷ୍ଟଫୁଡ ଦୋକାନ ଯାଞ୍ଚ କରାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ପଟିଆ ଓ କିଟ୍ ଅଞ୍ଚଳରେ ୨୦ରୁ ୩୦ଟି ହୋଟେଲ, ରେସ୍ତୋରାଁ, ଫାଷ୍ଟଫୁଡ୍ ଓ ଠେଲାଗାଡ଼ି ଦୋକାନୀଙ୍କ ଖାଦ୍ୟ ଯାଞ୍ଚ କରାଯାଇଥିଲା। ପ୍ରାୟ ପ୍ରାୟ ୫୦ କେ.ଜି. ବାସି ଓ ଅସୁରକ୍ଷିତ ଖାଦ୍ୟକୁ ନଷ୍ଟ କରାଯିବା ସହିତ ୧୦ ଦୋକାନୀଙ୍କଠାରୁ ୧୧ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ ହୋଇଛି। ଆଗକୁ ଏହି ଚଢ଼ଉ ପ୍ରକ୍ରିୟା ଜୋରଦାର କରାଯିବ ବୋଲି ସେ କହିଛନ୍ତି। ସେହିପରି ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ ଓ ମଧ୍ୟଭାଗ ଅଞ୍ଚଳରେ ଯାଞ୍ଚ ସମ୍ପର୍କରେ ଜାଣିବା ଲାଗି ଅଧିକୃତ ପଦାଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଏସମ୍ପର୍କରେ ଖାଦ୍ୟ ସୁରକ୍ଷା ବିଭାଗ ନିର୍ଦେଶକ ଡ. ଶଶିକାନ୍ତ ମିଶ୍ର କହିଛନ୍ତି, ମାନବ ସମ୍ବଳ ଅଭାବ ଯୋଗୁଁ ଚଢ଼ଉ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇ ପାରୁନି। ଏ ଦିଗରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
Comments are closed.