ସାକ୍ଷୀଗୋପାଳ ମନ୍ଦିରରେ ତୀର୍ଥଯାତ୍ରୀଙ୍କ ଗହଳି
ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ସାକ୍ଷୀ ଗୋପୀନାଥଙ୍କ ଦର୍ଶନ ପାଇଁ ତୀର୍ଥଯାତ୍ରୀ ମାନଙ୍କର ଭିଡ ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ କରି ସାରିବା ପରେ ତୀର୍ଥଯାତ୍ରୀ ମାନେ ସାକ୍ଷୀ ଗୋପୀନାଥଙ୍କୁ ଦର୍ଶନ କରିବାର ଏକ ବିଧି ବା ପରମ୍ପରା ରହିଆସିଛି। ତେବେ ଚଳିତ ବର୍ଷ ଅଧିକ ସଂଖ୍ୟକ ତୀର୍ଥଯାତ୍ରୀ ଏଠାକୁ ଆସୁଥିବା ଦେଖିବାକୁ ମିଳିଛି। ଦୁଇଦିନ ଧରି ମନ୍ଦିରରେ ପ୍ରବଳ ଗହଳି ଲାଗି ରହିଛି। ବସରେ ଶ୍ରଦ୍ଧାଳୁମାନେ ଏଠାକୁ ଆସୁଛନ୍ତି। ଦିନକୁ ପ୍ରାୟ ପଚାଶ ଖଣ୍ଡ ବସ୍ ଏଠାକୁ ଆସୁଛି । ଯାତ୍ରୀମାନେ ଦିଅଁଙ୍କ ଦର୍ଶନ କରିବା ସହ ଠାକୁରଙ୍କ ଶୁଖିଲି ଭୋଗ କିଣି ନେଉଛନ୍ତି । ସେହିପରି ସାକ୍ଷୀଗୋପାଳର ପ୍ରସିଦ୍ଧ ପଇଡ଼ କିଣି ପିଉଛନ୍ତି ।
ତୀର୍ଥଯାତ୍ରାକୁ ସ୍ମରଣୀୟ କରିବା ପାଇଁ ନଡ଼ିଆ ଓ ଗୁଆ ଚାରା ଗଛ ମନ୍ଦିର ନିକଟରୁ କଣି ସାଙ୍ଗରେ ନେଉଥିବା ଦେଖିବାକୁ ମିଳିଛି। ଏକ ମାସ ଧରି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ ଓ ମହାରାଷ୍ଟ୍ର ଆଦି ରାଜ୍ୟ ମାନଙ୍କରୁ ତୀର୍ଥଯାତ୍ରୀ ମାନେ ଏଠାକୁ ଆସିଥା’ନ୍ତି । ମନ୍ଦିର ସେବାୟତ ମାନଙ୍କର ଉତ୍ତମ ବ୍ୟବହାର ଯୋଗୁଁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି ବୋଲି ଜଣାପଡ଼ିଛି ।