ମନ୍ଦିର ବେଢାରେ ଚୁଡାଘସାର ମହକ ସାଙ୍ଗକୁ ହରିନାମ କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି

ସାକ୍ଷୀଗୋପାଳଙ୍କ ଲକ୍ଷ୍ମୀ ନାରାୟଣ ବେଶଦର୍ଶନ

ସାକ୍ଷୀଗୋପାଳ: କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି l ପବିତ୍ର ବଡ଼ ଏକାଦଶୀ ତଥା ଦେବୋପତଥାନ ଏକାଦଶୀ। ଏହି ପବିତ୍ର ଅବସରରେ ସାକ୍ଷୀଗୋପାଳ ମନ୍ଦିର ରେ ଠାକୁର ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ମନୋରମ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା। ଠାକୁରଙ୍କର ଏହି ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ନିମନ୍ତେ ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ଼ ମଧ୍ୟରେ ଯାଇ ମନ୍ଦିରରେ ପ୍ରବେଶ କରିଥିଲେ।
ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତରୁ ଆସିଥିବାରୁ ବର୍ଷ ସାରା ସାକ୍ଷୀଗୋପାଳ ମନ୍ଦିରରେ ଗହମରୁ ପ୍ରସ୍ତୁତ ସାମଗ୍ରୀରେ ଭୋଗ ନୈବେଦ୍ୟ ଅର୍ପଣ କରାଯାଇ ଥାଏ। ବର୍ଷକରେ ଆଜି ଗୋଟିଏ ଦିନ ନିମନ୍ତେ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁତ ଚୁଡାରେ ପ୍ରସ୍ତୁତ ଚୁଡାଘସା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା। ସ୍ଥାନୀୟ ଭକ୍ତ ମାନେ ମନ୍ଦିର ବେଢାରେ ଗୁଣ୍ଡ ଚୁଡାରେ ଚିନି କିମ୍ବା ଗୁଡ଼ ସହିତ ଅଳେଇଚ, ଦେଶୀ କମଳା, ଗୋଲ ମରିଚ, ନଡ଼ିଆ ଲବଙ୍ଗ, ଛେନା ଓ କର୍ପୁର ଆଦି ମିଶ୍ରଣ କରି ସ୍ୱାଦିଷ୍ଟ, ସୁମିଷ୍ଟ ଓ ସୁବାସିତ ଚୁଡାଘସା ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ।

ଚୁଡାଘସା ମହକରେ ମନ୍ଦିର ପରିସର ମହକି ଉଠିଥିଲା। ଶହଶହ ସଂକୀର୍ତ୍ତନ ମଣ୍ଡଳୀ ମନ୍ଦିର ବେଢା ଓ ବେଢା ବାହାରେ ହରିନାମ ଗାୟନ କରିବା ସହିତ ସଂକୀର୍ତ୍ତନ ପରିବେଷଣ କରିଥିଲେ। ହରିନାମ ସଂକୀର୍ତ୍ତନରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ମୟ ପରିଵଶ ସୃଷ୍ଟି ହୋଇଥିଲା।ଗତକାଲି ରାତ୍ର ୨ ଟାରୁ ମନ୍ଦିର ଦ୍ଵାର ଉନ୍ମୋଚନ, ମଙ୍ଗଳ ଆଳତି, ଵେଶ ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀ ନାରାୟଣ ଵେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଵଲ୍ଲଭ, ସକାଳ ଧୂପ, ଵାଳଧୁପ ଓ ଆଳତି ଦେଵନୀତି ପରେ ସକାଳ ୬ ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡ଼ିଓ ଲିପ୍ସା ରାୟ, ଆଇଆଇସି ବିଜୟକେତନ ବେହେରା, ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶିନୀ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ, ପରିଚାଳନା କମିଟି ସଭ୍ୟ ପ୍ରତାପ ମହାପାତ୍ର, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ ନନ୍ଦ ଓ କର୍ମକର୍ତ୍ତା ବୃନ୍ଦ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ମନ୍ଦିରକୁ ରଙ୍ଗ ବେରଙ୍ଗ ଆଲୋକ ଓ ଫୁଲମାଳ ସଜ୍ଜା ଯାଇଥିବାବେଳେ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ୩ ଦିନ ବ୍ୟାପି ଆୟୋଜିତ ଶ୍ରୀ ରାଧା ଉତ୍ସବରେ ପଲ୍ଲିଶ୍ରୀ ମେଳା ପ୍ରଦର୍ଶନୀ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଉଦଯାପିତ ହୋଇଥିଲା।

ମେଳାରେ ଲକ୍ଷ୍ମୀପୂଜା ମାଣପେଡି, ଖଟୁଲି, ପିଢା, କଟୁରୀ, ଦା, ପନିକି, କୋରଣା, ମାଣ, ଭୋଗେଇ, ବତୋ, ଵାଉଁଶିଆ ଆଦି ଆଦି ଵିଭିନ୍ନ ଘରକରଣା ସାମଗ୍ରୀର ଅସ୍ଥାୟୀ ଦୋକାନ, ଓରମାସ ମେଳା ରେ ବେଶ ଭଲ କାରବାର ହୋଇଥିଲା। ବଡ଼ ସିଂହାର ବେଶ ପରେ ଠାକୁର ଉଠିଥିଲେ। ରୁପା ଟାବେରାରେ ବିରାଜମାନ କରିଥିଲେ। ନୂତନ ପଟବସ୍ତ୍ର ପରିଧାନ କରିଥିଲେ l ଆଳତି, ଉପଚାର ଓ କୋରା ଭୋଗ ଅନୁଷ୍ଠିତ ହୋଇଥିଲା। ପରେ ପୁଷ୍ପାଞ୍ଜଳି ଓ ପହୁଡ଼ ଅନୁଷ୍ଠିତ ହୋଇଥିଲା।

Comments are closed.