ସତ୍ୟବାଦୀରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା
ସାକ୍ଷୀଗୋପାଳ: ସ୍ୱାଧୀନତା ଦିବସ ଠାରୁ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ପୁରୀ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଆଜି ଅପରାହ୍ନରେ ସତ୍ୟବାଦୀ ଯୁଗର ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ପରବର୍ତ୍ତୀ ଅନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲା। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ମୌସୁମୀ ମିଶ୍ର, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ, ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରାଙ୍କ ସମେତ ଅଙ୍ଗନବାଡି କର୍ମୀ, ସ୍ବେଚ୍ଛାସେବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଜୁନିଅର ଏନସିସି କ୍ୟାଡେଟମାନେ ପରେଡ କରି ଅହିଂସା ରଥକୁ ବିଦ୍ୟାଳୟ ପରିସରକୁ ପାଛୋଟି ନେଇଥିଲେ। ରଶ୍ମିତା ମିଶ୍ର ବନ୍ଦେ ଉତ୍କଳ ଜନନୀ, ଅଙ୍କିତା ଅଭିଷିକ୍ତା ଚୌଧୁରୀ ଦେଶାତ୍ମବୋଧକ ସଂଗୀତ ଓ ଜୟପୁର ଆଇସିଡିଏସ ଛାତ୍ରୀମାନେ ମହିଳା ସଶକ୍ତିକରଣ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।
ସେହିପରି ଉତ୍କଳମଣିଙ୍କ କର୍ମକ୍ଷେତ୍ର ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମକୁ ଏହି ଅହିଂସା ରଥକୁ ମହିଳା ମହାସଂଘ ପରିଚାଳନା କମିଟି ସଦସ୍ୟା କନକ ଲତା ପଣ୍ଡା ଶତାଧିକ ମହିଳାଙ୍କ ସହିତ ଅହିଂସା ରଥକୁ ନାମ ସଂକୀର୍ତ୍ତନ, ପୁଷ୍ପମାଲ୍ୟ ପ୍ରଦାନ ଓ ହୁଳହୁଳି ପକାଇ ପାଛୋଟି ନେଇଥିଲେ। ଏହି ଅବସରରେ ଉପରୋକ୍ତ ଅତିଥି ମାନେ ଆଶ୍ରମ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ଅହିଂସା ରଥ ବ୍ରହ୍ମଗିରି ଅଭିମୁଖେ ଯାତ୍ରା କରିଥିଲା।
Comments are closed.