ଠାକୁର ଶ୍ରୀଶ୍ରୀ ଗୋପାଳଜୀଉଙ୍କର କାଳୀୟ ଦଳନ ବେଶ ଅନୁଷ୍ଠିତ
ପବିତ୍ର କାଳୀୟ ଦଳନ ଏକାଦଶୀ ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କର କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉଙ୍କର ବିଜେ ପ୍ରତିମା ଲବଣି ଚୋରା କୃଷ୍ଣ ବିମାନରେ ବିଜେ କରି ରଙ୍ଗଣୀ ସାହି ଗ୍ରାମକୁ ଯାଇଥିଲେ। ରଙ୍ଗଣୀ ସାହି ମଣ୍ଡପରେ ଶ୍ରୀଜୀଉ ବିରାଜମାନ କରିଥିଲେ। ସର, ମାଖନ ଓ ପନ୍ତି ଭୋଗ ପରେ ଆଳତୀ ଓ ଉପଚାର ଅନୁଷ୍ଠିତ ହୋଇଥିଲା। ମହାଭୋଇ ବଂଶର କୁଳବଧୂ ମାନେ ଶ୍ରୀଜୀଉଙ୍କୁ ବନ୍ଦାପନା କରିଥିଲେ। ରଙ୍ଗଣୀ ସାହିରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଦୁଆରି ଭୋଗ ଅନୁଷ୍ଠିତ ହୋଇଥିଲା। ନୀତିକାନ୍ତି ଶେଷ ପରେ ଶ୍ରୀଜୀଉ ବିମାନରେ ବିଜେ କରି ତୀର୍ଥ ପୁଷ୍କରିଣୀ କେତକୀଝର ନିକଟରେ ମଣ୍ଡପରେ ଅବସ୍ଥାନ କରିଥିଲେ। ଉପଚାର, ଆଳତୀ ଓ ହୋମ ଅନୁଷ୍ଠିତ ହୋଇଥିଲା।
ଶ୍ରୀକୃଷ୍ଣ ବେଶଧାରୀ ସେବାୟତ (ସତ୍ୟନାରାୟଣ ଶତପଥି) କେତକୀ ଝର ପୁଷ୍କରିଣୀରୁ ପଦ୍ମ ଫୁଲ ତୋଳିଥିଲେ। କାଳୀୟ ନାଗ ବେଶଧାରୀ ସେବକ (ପଦ୍ମନାଭ ଦଳେଇ) ପଦ୍ମଫୁଲ ତୋଳୁଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କୁ ଦଂଶନ କରିଥିଲେ। ବିଷ ଜ୍ୱାଳାରେ ଶ୍ରୀକୃଷ୍ଣ ଅଚେତ ହୋଇ ପଡ଼ିଥିଲେ। ଗରୁଡ଼ ସେବକ (ନାରାୟଣ ମହାପାତ୍ର) ଶ୍ରୀଜୀଉଙ୍କୁ ଝାଡ଼ିବା ସହିତ ଅମର ଲଡ଼ୁ ପ୍ରଦାନ କରିଥିଲେ। ଶ୍ରୀଜୀଉ ସୁସ୍ଥ ହୋଇଥିଲେ। ଶ୍ରୀଜୀଉ ବିମାନରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ।
ମନ୍ଦିରରେ ସିଂହାସନ ଉପରେ ଶ୍ରୀ ସପ୍ତଫେଣୀ ନାଗ ମସ୍ତକରେ ଶ୍ରୀଜୀଉ ବିରାଜମାନ କରିଥିଲେ। ପରେ ପଣାଭୋଗ ଅନୁଷ୍ଠିତ ହୋଇଥିଲା। ବଡ଼ ସିଂହାର ପରେ ପହୁଡ଼ ଅନୁଷ୍ଠିତ ହୋଇଥିଲା।
Comments are closed.