ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ଆମଦାନୀ କ୍ଷେତ୍ରରେ ରହିଥିବା ଏକ ପ୍ରତିବନ୍ଧକ ଟଳିଛି। ବାୟୁ ସୀମା ସୁରକ୍ଷା ନିମନ୍ତେ ରୁଷ୍ ଠାରୁ ଏସ୍-୪୦୦ କ୍ଷେପଣାସ୍ତ୍ର କ୍ରୟ କ୍ଷେତ୍ରରେ ଭାରତ ଉପରେ ଘୋଷଣା କରିଥିବା ପ୍ରତିବନ୍ଧକକୁ ଆମେରିକା ଉଠାଇ ନେଇଛି। ସିଏଏଟିଏସ୍ଏ ଆଇନ ଅନୁଯାୟୀ ରୁଷ୍ ଠାରୁ କ୍ଷେପଣାସ୍ତ୍ର କ୍ରୟ ପାଇଁ ଭାରତ ଉପରେ ଆମେରିକା କଟକଣା ଲାଗୁ କରିଥିଲା। ମାତ୍ର ଗୁରୁବାର ଆମେରିକା ଏହି ଆଇନର ସଂଶୋଧନ ପୂର୍ବକ କଟକଣାକୁ ଉଠାଇ ନେଇଛି।
ଗୁରୁବାର ଆମେରିକା ପ୍ରତିନିଧି ସଭାରେ ଗୃହୀତ ସଂଶୋଧନ ସିଏଏଟିଏସ୍ଏ ଆଇନ ଅନୁଯାୟୀ ଭାରତ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଆଇନର ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଆମେରିକାର ପ୍ରତିନିଧି ସଭାର ସଦସ୍ୟମାନେ କହିଥିଲେ ଯେ ଚୀନକୁ ମୁକାବିଲା କରିବା ଲାଗି ଭାରତକୁ ସହଯୋଗ କରାଯିବା ଜରୁରୀ। ଚୀନର ବିସ୍ତାରବାଦ ନୀତିକୁ ଦମନ କରିବା ଲାଗି ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଅପରିହାର୍ଯ୍ୟ। ସୀମା ବିବାଦକୁ ନେଇ ଚୀନକୁ ମୁକାବିଲା କରିବାକୁ ଭାରତ ସାମରିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ ଦେଉଥିବାବେଳେ ଆମେରିକା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବା ଠିକ୍ ନୁହେଁ ବୋଲି ସାଂସଦ ରାଓ ଖାନ୍ନା କହିଥିଲେ। କାଲିଫର୍ଣ୍ଣିଆରୁ ପ୍ରତିନିଧିତ୍ବ କରୁଥିବା ସାଂସଦ ଖାନ୍ନା କହିଥିଲେ ଯେ ସିଏଏଟିଏସ୍ଏର ସଂଶୋଧନ ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ରୁଷ୍ ଠାରୁ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀର ୪ଟି ୟୁନିଟ୍ କ୍ରୟ ଲାଗି ୫୦୦ କୋଟି ଡଲାର ବୁଝାମଣା କରିଛି ଭାରତ। ଭାରତକୁ ଗୋଟିଏ ୟୁନିଟ୍ କ୍ଷେପଣାସ୍ତ୍ର ମିଳିସାରିଛି। ଏହାକୁ ଏବେ ପଞ୍ଜାବ ସେକ୍ଟରରେ ମୁତୟନ କରାଯାଇଛି। ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିଶାଣ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ବିଶ୍ବର ସବୁଠାରୁ ମାରାତ୍ମକ ବୋଲି ବିବେଚନା କରାଯାଉଛି। ୪୦୦ କିମି ପରିସୀମା ମଧ୍ୟରେ ଏହା ଏକକାଳୀନ ଅନେକ ସ୍ଥାନକୁ ଟାର୍ଗେଟ କରିପାରିବ। ୬୦୦ କିମି ଦୂରରୁ ଏହା ୧୬୦ଟି ବସ୍ତୁର ଗତିକୁ ଟ୍ରାକ୍ କରିପାରିବ ଓ ୪୦୦ କିମି ପରିସରରେ ୭୨ଟି ସ୍ଥାନକୁ ଏକାଥରକେ ଟାର୍ଗେଟ କରିପାରିବ। ସମ୍ପ୍ରତି ୟୁକ୍ରେନ ସହିତ ଯୁଦ୍ଧରେ ନିୟୋଜିତ ଥିବା ରୁଷ୍ କହିଛି ଯେ ଯୁଦ୍ଧ ସତ୍ତ୍ବେ କ୍ଷେପଣାସ୍ତ୍ର ଯୋଗାଣ ପ୍ରକ୍ରିୟା କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ।
ଏସ୍-୪୦୦ କ୍ଷେପଣାସ୍ତ୍ର କ୍ରୟ ମାମଲାରେ ଭାରତକୁ ବଡ଼ ଆଶ୍ବସ୍ତି ; କଟକଣା ଉଠାଇଲା ଆମେରିକା
Popular Categories



