ତୁମ୍ବରେ ବିନ୍ଧ ଅନୁକୂଳ

0

ପୁରୀ : ତିନିରଥ ପାଇଁ ନିର୍ମିତ ତୁମ୍ବରେ ବୁଧବାର ବିନ୍ଧ ଅନୁକୂଳ କରାଯାଇଛି। ୩ ମୁଖ୍ୟ ମହାରଣା ସେବକ ନଡ଼ିଆ ଓ ମାହାର୍ଦ ଲାଗିକରି ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ୪୨ଟି ତୁମ୍ବ ମଧ୍ୟରୁ ଏପର୍ଯ୍ୟନ୍ତ ୩୩ଟିର ନିର୍ମାଣ ଶେଷ ହୋଇଛି । ପ୍ରତି ତୁମ୍ବରେ ୩୨ଟି ଲେଖାଏଁ ବିନ୍ଧ କରାଯିବ। ସେଥିରେ ୧୬ଟି ଲେଖାଏଁ ଅର ସଂଯୋଗ କରାଯିବ। ପ୍ରତି ଅର ପାଇଁ ୨ଟି ବିନ୍ଧ କରାଯାଉଛି। ଅର ବାଡ଼ିଆ ହେବା ପରେ ତୁମ୍ବ ଦୁଇପାଶ୍ୱର୍ରେ ଠେକ କରାଯିବ। ଫାସି କାଠରେ ତୁମ୍ବ ନିର୍ମାଣ କରାଯାଉଛି। ଅର ପାଇଁ ସାହାଜ ଓ ଧଉଁରା କାଠ ବ୍ୟବହାର କରାଯିବ। ଖପୁରିଆ କରତକଳରେ ଅର ଓ ପହି ନିର୍ମାଣ କରାଯାଉଛି। ଆଉ ୯ଟି ତୁମ୍ବ ନିର୍ମାଣ ବାକି ଅଛି। ଆଗାମୀ ୨୮ତାରିଖ ଦିନ ନୃସିଂହ ଚତୁର୍ଦଶୀ ତିଥିରେ ଗୁଜ ଅନୁକୂଳ କରାଯିବା ବିଧି ରହିଛି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ତ୍ୱାବଧାନରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ବୁଧବାର କେତେକ ଭାଇପୁଅ ମହାରଣା କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେମାନଙ୍କୁ ତୁମ୍ବରେ ବିନ୍ଧ କରିବା ପାଇଁ ନିୟୋଜିତ କରାଯାଇଛି।୨୦ଇଞ୍ଚ ଗୋଲେଇ ଏବଂ ୪୦ଇଞ୍ଚ ଲମ୍ବ ମାପରେ ତୁମ୍ବପାଇଁ କାଠ କଟାଯାଇଥିଲା। ବିନ୍ଧ ଅନୁକୂଳ ପୂର୍ବରୁ ସୂତା ଓ ବାଡ଼ି ପକାଯାଇ ସେଗୁଡ଼ିକୁ ପୁଣିଥରେ ମାପ କରାଯାଇଛି।
ସୂତା ବାଡ଼ା ହେବାପରେ ବଳକା ଅଂଶ କରତରେ କଟାଯାଇ ବିନ୍ଧ ପାଇଁ ଚିହ୍ନ ଦିଆଯାଇଛି। ରଥ ନିର୍ମାଣରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଚକ ନିର୍ମାଣ । ତିନିରଥରେ ୪୨ଟି ଚକ ଲାଗିବ। ତୁମ୍ବରେ ୧୬ଟି ଲେଖାଏଁ ଅର ଏବଂ ୫ଟି ଲେଖାଏଁ ପହି ସଂଯୋଗ କରାଯାଇ ଚକ ନିର୍ମାଣ କରାଯିବ। ଗତବର୍ଷ ରଥଯାତ୍ରା ପୂର୍ବଦିନ ଗୋଟିଏ ଅଖ ଭାଙ୍ଗିଯିବା ସହ ଚକରେ ଫାଟ ଦେଖାଦେଇଥିଲା। ତେଣୁ ଚଳିତବର୍ଷ ପ୍ରଥମଥର ପାଇଁ ବୌଦ୍ଧ ଜଙ୍ଗଲରୁ ୫ଫୁଟ ଗୋଲେଇ ବିଶିଷ୍ଟ ପାକଳ ଫାସିକାଠ ତୁମ୍ବ ନିର୍ମାଣ ପାଇଁ ଅଣାଯାଇଛି।

Leave A Reply