ପରାଜୟ ଦ୍ବାରରେ ରୁଷ୍, ଖେରସନରୁ ହଟାଇଲା ସୈନ୍ୟ
ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ପୁଟିନ
ମସ୍କୋ : ରୁଷ୍-ୟୁକ୍ରେନ ଯୁଦ୍ଧରେ ରୁଷ୍ ଏକପ୍ରକାର ପରାଜୟ ଆଡକୁ ଗତିକରୁଛି। କାରଣ ୟୁକ୍ରେନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିଥିବା ରୁଷ୍ ଏବେ ନିଜର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ୟୁକ୍ରେନର ଖେରସନ ଅଞ୍ଚଳରୁ ରୁଷ୍ ଏହାର ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି। ବୁଧବାର ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଦକ୍ଷିଣ ୟୁକ୍ରେନର ଖେରସନ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନିର୍ଦେଶ ଦେଇଛନ୍ତି। ରୁଷ୍ ସେନାର ଏପରି ପଛଘୂଞ୍ଚା ଯୁଦ୍ଧ ଶେଷର ସୂଚନା ଦେଇଛି। ଏହି ଅଞ୍ଚଳକୁ ଏବେ ୟୁକ୍ରେନ ସେନା ନିଜ ଦଖଲକୁ ନେବାକୁ ଉଦ୍ୟମ ଚଳାଇଛି। ଫେବୃଆରୀରେ ରୁଷ୍ ଏହାର ସାମରିକ ଅଭିଯାନରେ ଖେରସନ ଅଞ୍ଚଳକୁ ପ୍ରଥମେ ଦଖଲ କରିଥିଲା। ଏବେ ଏହି ଅଞ୍ଚଳକୁ ୟୁକ୍ରେନ ନିଜ ଅକ୍ତିଆରକୁ ନେବା ଲାଗି ଜୋରଦାର ସଂଘର୍ଷ ଚଳାଇଛି। ରୁଷ୍ ସେନାମୁଖ୍ୟ ଜେନେରାଲ ସର୍ଗେଇ ସୁରୋଭିକିନ୍ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି ଯେ ଖେରସନରେ ଯୁଦ୍ଧ ଜାରି ରଖିବା ଲାଗି ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସେନା ବିଫଳ। ଆମେ ଆମ େସୖନିକଙ୍କ ଜୀବନ ରକ୍ଷା ନିମନ୍ତେ ସେମାନଙ୍କୁ ଫେରାଇ ଆଣିବାକୁ ବାଧ୍ୟ ହୋଇଛୁ। ୟୁକ୍ରେନରୁ ରୁଷ୍ର ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଭାରତର କୂଟନୈତିକ ଚାପ ରହିଥିବା ମଧ୍ୟ କୁହାଯାଇଛି। କାରଣ ମଙ୍ଗଳବାର ଭାରତ ଓ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଯୁଦ୍ଧ ବନ୍ଦକୁ ଗୁରୁତ୍ବ ଦିଆଯାଇଥିଲା।
ଅନ୍ୟପଟେ ଇଣ୍ଡୋନେସିଆର ବାଲିରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ। ରୁଷ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ ଏହି ସମ୍ମିଳନୀରେ ପୁଟିନଙ୍କୁ ଏକ ପ୍ରକାର ହଟହଟ୍ଟା ହେବାକୁ ପଡିବାର ଆଶଙ୍କା ରହିଛି। ତେଣୁ ଏହି ଆଶଙ୍କାକୁ ଏଡାଇବା ପାଇଁ ପୁଟିନଙ୍କ ପରିବର୍ତ୍ତେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋପ ପ୍ରତିନିଧିତ୍ବ କରିବେ। ନଭେମ୍ବର ୧୫ ଓ ୧୬ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ରୁଷ-ୟୁକ୍ରେନ ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। କାରଣ ୟୁରୋପୀୟ ରାଷ୍ଟ୍ରଗୁଡିକ ଏହି ପ୍ରସଙ୍ଗରେ ରୁଷ୍କୁ ଘେରିବାର ଯୋଜନା କରିଛନ୍ତି।
Comments are closed.