ପରମାଣୁ ଆକ୍ରମଣ ଯୋଜନା ନାହିଁ : ପୁଟିନ

ରୁଷ୍‌ର ପରମାଣୁ ସମରାଭ୍ୟାସ ଆରମ୍ଭ

ମସ୍କୋ : ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ରୁଷ୍‌ର କୌଣସି ଯୋଜନା ନାହିଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ଗୁରୁବାର ଆନ୍ତର୍ଜାତିକ ବିଦେଶ ନୀତି ବିଶେଷଜ୍ଞ ସମ୍ମିଳନୀରେ ଯୋଗଦେଇ ରୁଷ୍‌ ରାଷ୍ଟ୍ରପତି ପୁଟିନ ଏହା କହିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷ୍ ପରମାଣୁ ଅସ୍ତ୍ର ପ୍ର‌େ‌ୟାଗର ତିଳେମାତ୍ର ରାଜନୈତିକ କିମ୍ବା ସାମରିକ ଉଦେଶ୍ୟ ନାହିଁ। କାରଣ ଏହା ରୁଷର କୌଣସି ଲକ୍ଷ୍ୟ ସାଧନ କରିବ ନାହିଁ। ପୁଟିନଙ୍କ ଏପରି ମନ୍ତବ୍ୟ ସମଗ୍ର ବିଶ୍ବକୁ ଆଶ୍ବସ୍ତିର ବିଷୟ ହୋଇଛି। କାରଣ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାକୁ ପୁଟିନଙ୍କ ଧମକ ସମଗ୍ର ବିଶ୍ବକୁ ଆଶଙ୍କା ମଧ୍ୟକୁ ଟାଣି ନେଇଥିଲା। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ଉପରେ ବିଷୋଦଗାର କରି ପୁଟିନ କହିଛନ୍ତି ଯେ ଅନ୍ୟ ରାଷ୍ଟ୍ରଉପରେ ପ୍ରଭୁତ୍ବ ବିସ୍ତାର କରିବା ଲାଗି ଏମାନେ ଉଦ୍ୟମ ଚଳାଇଛନ୍ତି। ମାତ୍ର ସମ୍ପ୍ରତି ବିଶ୍ବ ଏବେ ଏପରିସ୍ଥିତିରେ ପହଞ୍ଚିଛି ଯେ କୌଣସି ରାଷ୍ଟ୍ର ପାଶ୍ଚାତ୍ୟ ରାଷ୍ଟ୍ରର ବସତା ସ୍ବୀକାର କରିବାକୁ ନାରାଜ। ଏହି ଅବସରରେ ପୁଟିନ କହିଛନ୍ତି ଯେ ଆନ୍ତର୍ଜାତିକ ବ୍ୟାପାରରେ ଭାରତର ଗୁରୁତ୍ବ ବୃଦ୍ଧି ପାଇବାରେ ଲାଗିଛି।
ପରମାଣୁ ଆକ୍ରମଣ ଯୋଜନା କହୁଥିବା ରୁଷ୍‌ ଏହା ବାର୍ଷିକ ପରମାଣୁ ସମରାଭ୍ୟାସ ଆରମ୍ଭ କରିଛି। ଏହି ସମରାଭ୍ୟାସରେ ନିୟମିତ ଭାବେ ପ୍ରତିବର୍ଷ ହୋଇଥାଏ। ତେବେ ୟୁକ୍ରେନ ସହିତ ଯୁଦ୍ଧ ଲାଗି ରହିଥିବା ସମୟରେ ରୁଷ୍ ଏପରି ସମରାଭ୍ୟାସ କରିବାକୁ ନେଇ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରୁଷ୍‌ର ଏହି ସମରାଭ୍ୟାସକୁ ରାଷ୍ଟ୍ରପତି ପୁଟିନ କ​‌େ​‌ଣ୍ଟ୍ରାଲ ରୁମ୍‌ରେ ଥାଇ ଅନୁଧ୍ୟାନ କରୁଛନ୍ତି। ରୁଷ୍‌ର ପରମାଣୁ ସମରାଭ୍ୟାସକୁ ପୂର୍ବରୁ ନାଟୋ ଏହାର ପରମାଣୁ ସମରାଭ୍ୟାସ ଆରମ୍ଭ କରିସାରିଛି। ‘ଷ୍ଟେଡଫାଷ୍ଟ ନୁନ୍‌’ ନାମରେ ନାଟୋ ଆରମ୍ଭ କରିଥିବା ପରମାଣୁ ସମରାଭ୍ୟାସ ଅକ୍ଟୋବର ୧୭ରୁ ଆରମ୍ଭ ହୋଇଛି। ବେଲଜିୟମ୍‌ରେ ଚାଲିଥିବା ଏହି ସମରାଭ୍ୟାସ ଅକ୍ଟୋବର ୩୦ରେ ଶେଷ ହେବ। ଏହି ସମରାଭ୍ୟାସରେ ୧୪ଟି ଦେଶ ଭାଗ ନେଇଛନ୍ତି। ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି ଯେ ନାଟୋ ନିଜର ପରମାଣୁ ଦକ୍ଷତା ପ୍ରଦର୍ଶନ ନିମନ୍ତେ ଏହି ସମରାଭ୍ୟାସ କରୁଛି।
ୟୁକ୍ରେନ ବିରୋଧୀ ଯୁଦ୍ଧରେ ଇରାନ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିବାବେଳେ ଏହାକୁ ବନ୍ଦ କରିବା ଲାଗି ଆମେରିକା କହିଛି। ଆମେରିକା କହିଛି ଯେ ଇରାନ ଯୋଗାଉଥିବା ଅସ୍ତ୍ରଶସ୍ତ୍ରରେ ନିରୀହ ଜନତାଙ୍କର ମୃତ୍ୟୁ ହେଉଛି। ତେଣୁ ଇରାନ ଏପରି ଅସ୍ତ୍ରଶସ୍ତ୍ର ଯୋଗାଣରୁ ବିରତ ରହୁ। ରୁଷ୍‌-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେରଜୋଗ ବୁଧବାର ଆଲୋଚନା କରିବାବେଳେ ଇରାନର ସହାୟତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ରୁଷ୍‌କୁ ଇରାନ ଡ୍ରୋନ ଯୋଗାଉଥିବାରୁ ଇସ୍ରାଏଲ ବାଧ୍ୟ ହୋଇ ୟୁକ୍ରେନକୁ ସହାୟତା ଦେବ ବୋଲି ଆଇଜାକ କହିଛନ୍ତି।

kalyan agarbati

Comments are closed.