ରୂପଦେଇପୁର ଜଗନ୍ନାଥଙ୍କ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ହାତୀବେଶ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ରୂପଦେଇପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶନିବାର ପବିତ୍ର ଦେବସ୍ନାନ ପୂଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଠାକୁରଙ୍କ ହାତୀବେଶକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ୨୩ ତାରିଖ ରବିବାର ପୂର୍ବାହ୍ନ ୧୧ଟାରେ ଠାକୁର ମାନଙ୍କୁ ଅଣସର ଘରେ ବିଜେ କରାଯିବ । ଏହି ଅବସରରେ ରୂପଦେଇପୁରର ଓଡିଶା ପ୍ରସିଦ୍ଧ ନାଗାଯାତ୍ରା ରବିବାର ଓ ସୋମବାର ରାତିରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ରୂପଦେଇପୁର ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶନିବାର ପ୍ରତ୍ୟୁଷରେ ଠାକୁରଙ୍କ ବିଭିନ୍ନ ସେବାନୀତି କରାଯାଇଥିଲା । ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସଂକୀର୍ତ୍ତନ, ଘଣ୍ଟ,ଘଣ୍ଟା,କାହାଳି ଓ ଚାମର ସେବାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ମନ୍ଦିରର ରତ୍ନମଣ୍ଡପରୁ ପହଣ୍ଡି ଶୋଭାଯାତ୍ରାରେ ନିଆଯାଇ ସ୍ନାନମଣ୍ଡପରେ ବିଜେ କରାଯାଇଥିଲା । ନିକଟବର୍ତ୍ତୀ ଭାର୍ଗବୀ ନଦୀ ଓ ମନ୍ଦିର ବାମ୍ଫିରୁ ୫୪ କଳସ ପବିତ୍ର ଜଳ ଅଣାଯାଇ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ଠାକୁରଙ୍କୁ ନୂତନ ବସ୍ତ୍ର, ତୁଳସୀ, ଚନ୍ଦନ ଆଦି ଲାଗି କରାଯିବା ପରେ ପୁଷ୍ପ ଓ ତୁଳସୀ ଟାହିଆ ମସ୍ତକରେ ଲାଗି କରାଯାଇଥିଲା ।
ଅପରାହ୍ନରେ ୫ଟାରେ ଠାକୁର ମାନଙ୍କୁ ହାତୀବେଶ କରାଯାଇଥିବା ବେଳେ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପରମ୍ପରା ଅନୁଯାଇ ରାତି ୧୧ଟାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଅଧରପଣା ଲାଗି କରାଯାଇଥିଲା । ଶନିବାର ରାତ୍ର ଚତୁର୍ଥ ପ୍ରହରରେ ମା’ କାଳୀଙ୍କୁ ପୂଜା କରାଯିବା ପରେ ପ୍ରତି ଜାଗା ଘରୁ ନାଗାଯାତ୍ରା ଆସି ଚତୁର୍ଦ୍ଧାମୂର୍ତ୍ତୀଙ୍କ ସମ୍ମୁଖରେ ନୃତ୍ୟ କରି ଆଜ୍ଞାମାଳ ନେବା ପରେ ରବିବାର ଓ ସୋମବାର ରାତିରେ ରୂପଦେଇପୁରର ଓଡିଶା ପ୍ରସିଦ୍ଧ ନାଗାଯାତ୍ରା ଅନୁଷ୍ଠିତ ହେବ ବୋଲି ମନ୍ଦିରର ମୁଖପାତ୍ର ଆଇନଜୀବୀ ସତ୍ୟପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି । ଚଳିତ ବର୍ଷ “ବଲ୍ଲଭ ଜାଗା ଦି ସାଇଲେଣ୍ଟ ବଏଜ୍‌‌’ ପକ୍ଷରୁ ୧୪ଫୁଟ ଉଚ୍ଚତାର ରୂପାରେ ନିର୍ମିତ ନାଗା ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ସୂଚନା ମିଳିଛି ।
ଫଟୋ ଆଟାଚ୍‌‌ ଅଛି ।

Comments are closed.