ପଥ ପ୍ରସ୍ତୁତ, ଗଡ଼ିବ ରଥ
ଶନିବାର ରୁକୁଣା ରଥଯାତ୍ରା । ଦୁଇବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବାକୁ ଯାଉଛି ମହାମିଳନ` ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଏକାମ୍ର କ୍ଷେତ୍ର। ବିନା କୌଣସି ବାଧକରେ ପଥରେ ରଥ ଦଉଡ଼ି ଟାଣି ଆଶିଷ ପାଇବେ ଶ୍ରଦ୍ଧାଳୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ଣ ସାଢ଼େ ୩ଟାରେ ରଥଟଣା। ୫ଦିନ ବ୍ୟାପୀ ରଥଯାତ୍ରା ହେବାକୁ ଥିବାବେଳେ ୧୩ରେ ହେବ ବାହୁଡ଼ା।
ନେତ୍ରୋତ୍ସବରେ ରଥ ପ୍ରତିଷ୍ଠା
ଭୁବନେଶ୍ବର : ଚୈତ୍ରମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନେତ୍ରୋତ୍ସବ ପାଳିତ ହୋଇଛି। ଚଳିତ ବର୍ଷ ମହାରଣା ସେବାୟତ ରଥ ନିର୍ମାଣ ସାରିବା ପରେ ଦର୍ଜି ସେବାୟତ ରଥରେ କପଡ଼ା ବାନ୍ଧିଥିଲେ। ସନ୍ଧ୍ୟା ଧୂପ ପରେ ରଥ ପ୍ରତିଷ୍ଠା ପାଇଁ ମରୀଚି କୁଣ୍ଡରୁ ପାଣି ଆଣି ରଥଖଳାରେ ପହଞ୍ଚାଇବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିର କୁଳ ପୁରୋହିତ, ପୁରୀ ରାଜଗୁରୁ ଓ ୧୮ଜଣ କ୍ଷେତ୍ରବାସୀ ସେବାୟତଙ୍କୁ ନେଇ ପ୍ରତିଷ୍ଠା ହୋଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପୂଜା ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ରଥ ପ୍ରତିଷ୍ଠା ପରେ ସମର୍ଥା ସେବାୟତ ରଥରେ ନେତ ବାନ୍ଧିଥିଲେ।
ପଞ୍ଚବକ୍ର ଦେବ ରଥ ତଦାରଖ କଲେ
ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ନିର୍ଦେଶକ୍ରମେ ମନ୍ଦିର ଦକ୍ଷିଣ ଘରେ ପୂଜା ପାଉଥିବା ପଞ୍ଚବକ୍ର ମହାଦେବ ରଥ ତଦାରଖ କରିଥିଲେ। ପୂଜାପଣ୍ଡା ଓ ପତ୍ରି ସେବାୟତ ପଞ୍ଚବକ୍ରଙ୍କୁ ଧରି ରଥଖଳାରେ ପହଞ୍ଚିଥିଲେ। ପୂଜାପଣ୍ଡା ସେବାୟତ ଦିଅଁଙ୍କୁ ସିଂହାସନରେ ବିରାଜମାନ କରିବା ପରେ ପତ୍ରି ସେବକ ରଥ ଉପରେ ଭୋଗ ବାଢ଼ି ଦେଇଥିଲେ। ପୂଜାପଣ୍ଡା ସେବାୟତ ଭୋଗ ଲଗାଇ ସାରିବା ପରେ ଦିଅଁଙ୍କୁ ହାତରେ ଧରି ରଥ ଚତୁଃପାର୍ଶ୍ବ ବୁଲାଇ ଦେଖାଇଥିଲେ। ସମର୍ଥା ସେବାୟତ ରଥରେ ନେତ ବାନ୍ଧିଛନ୍ତି କି ନାହିଁ, ଦର୍ଜି ସେବାୟତ ରଥରେ କପଡ଼ା ଠିକ୍ ଭାବେ ବାନ୍ଧିଛନ୍ତି କି ନାହିଁ, ରଥକାମ ସମ୍ପୂର୍ଣ୍ଣ ସରିଛି କି ନାହିଁ ଏ ସମସ୍ତ କାର୍ଯ୍ୟ ତଦାରଖ କରି ପଞ୍ଚବକ୍ର ଦେବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ଆଲୋଚନା କରିଥିଲେ। ରଥ ପ୍ରସ୍ତୁତି ସରିଛି। ଆସନ୍ତାକାଲି (ଅଶୋକାଷ୍ଟମୀ) ରଥଯାତ୍ରାରେ ବିଜେ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଶୁଣି ସାରିବା ପରେ ମନ୍ଦିରରେ ବଡ଼ସିଂହାର ବେଶ ହୋଇ ପହଡ଼ ପଡ଼ିଥିଲା।
ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ସମ୍ପର୍କରେ
ଅଯୋଧ୍ୟାର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ରାବଣକୁ ଯୁଦ୍ଧରେ ହତ୍ୟା କରି ସୀତାଙ୍କୁ ଉଦ୍ଧାର କରିଥିଲେ । ରାବଣ ଜଣେ ନୈଷ୍ଠିକ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ନିକଟକୁ ଯାଇଥିଲେ। ତାଙ୍କ କଥା ଅନୁସାରେ ଶ୍ରୀରାମଚନ୍ଦ୍ର ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ବରରେ ଶ୍ରୀଲିଙ୍ଗରାଜଙ୍କୁ ପ୍ରତିଦିନ ପୂଜା କରିବା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପ୍ରସନ୍ନ କରିଥିଲେ। ସେ ସମୟରେ ପ୍ରଭୁ ରାମଚନ୍ଦ୍ର ମହାପ୍ରଭୁଙ୍କୁ ପ୍ରତିବର୍ଷ ରାମେଶ୍ବର ମନ୍ଦିରରେ ଦର୍ଶନ ଦେବାକୁ ଅନୁରୋଧ କରିଥିଲେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାମେଶ୍ବରଙ୍କ ଅନୁରୋଧ ରକ୍ଷା କରି ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରଥାରୁଢ଼ ହୋଇ ରାମେଶ୍ବର ମନ୍ଦିରକୁ ଆସିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ଦେବୀ ରୁକ୍ମିଣୀ ଓ ପ୍ରଭୁ ଦୋଳଗୋବିନ୍ଦ ରଥାରୁଢ଼ ହୋଇ ଆସୁଥିବାରୁ ଏହାକୁ ରୁକୁଣା ରଥଯାତ୍ରା କିମ୍ବା ଅଶୋକାଷ୍ଟମୀ ଯାତ୍ରା ବୋଲି କୁହାଯାଏ। ଦିଅଁଙ୍କର ଏହି ଯାତ୍ରା ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥାଏ।
Comments are closed.