ବଟ୍ଲରଙ୍କ ଶତକ, ଚହଲଙ୍କ ହ୍ୟାଟ୍ରିକ୍ ; ରାଜସ୍ଥାନ ବିଜୟୀ
ପୁଣେ : ଚଳିତ ଆଇପିଏଲ୍ରେ ଜୋସ୍ ବଟ୍ଲର ବ୍ୟକ୍ତିଗତ ୨ୟ ଶତକ ହାସଲ କରିଛନ୍ତି। ପୁଣି ୟୁଜବେନ୍ଦ୍ର ଚହଲ ଚଳିତ ସଂସ୍କରଣରେ ପ୍ରଥମ ହ୍ୟାଟ୍ରିକ୍ ନେଇଛନ୍ତି। ଫଳରେ ସୋମବାରର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। କଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ୭ ରନ୍ରେ ରାଜସ୍ଥାନ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ୫ ୱିକେଟରେ ୨୧୭ ରନ୍ କରିଥିଲା। ପରେ ଆରୋନ୍ ଫିଞ୍ଚ୍ ଓ ଅଧିନାୟକ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ସତ୍ତ୍ବେ କେକେଆର୍ ୨ଟି ବଲ୍ ବାକିଥାଇ ୨୧୦ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ରାଜସ୍ଥାନ ୬ଷ୍ଠ ମ୍ୟାଚ୍ରେ ୪ର୍ଥ ବିଜୟ ହାସଲ କରିଛି। କଲକାତା ୭ମ ମ୍ୟାଚ୍ରେ ୪ର୍ଥ ପରାଜୟ ଭୋଗିଛି। ରାଜସ୍ଥାନର ୨୧୭ ରନ୍ ଚଳିତ ଆଇପିଏଲ୍ରେ ଅଦ୍ୟାବଧି ସର୍ବାଧିକ ଦଳଗତ ସ୍କୋର୍।
୨୧୮ ରନ୍ ବିଶାଳ ବିଜୟଲକ୍ଷ୍ୟର ପିଛା କରିଥିବା କଲକାତା ନାଇଟ୍ ରାଇଡର୍ସ ପ୍ରଥମ ବଲ୍ରେ ୱିକେଟ ହରାଇଥିଲା। ସୁନୀଲ ନାରାୟଣ ରନ୍ଆଉଟ୍ ହୋଇଥିଲେ। ପରେ ଆରୋନ୍ ଫିଞ୍ଚ୍ ଓ ଶ୍ରେୟାସ ଆୟର ବିସ୍ଫୋରକ ବ୍ୟାଟିଂକରି ୯ ଓଭରରେ ୧୦୭ ରନ୍ ଯୋଗ କରିଥିଲେ। ଫିଞ୍ଚ୍ ଆକ୍ରମଣ କରି ମାତ୍ର ୨୮ ବଲ୍ରୁ ୨ଟି ଛକା ଓ ୯ଟି ଚୌକା ସହ ୫୮ ରନ୍କରି ଆଉଟ୍ ହୋଇଥିଲେ। ନୀତୀଶ ରାଣା ୧୧ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ରନ୍ କରିଥିଲେ। ଆେନ୍ଦ୍ର ରସେଲ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ। ଭେଙ୍କଟେଶ ଆୟର ୬ ରନ୍ କରିଥିଲେ। ତେବେ ଗୋଟିଏ ପଟୁ ଶ୍ରେୟାସ ଆୟର ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ତେବେ ୧୭ଶ ଓଭରରେ ଶ୍ରେୟାସ ଆଉଟ୍ ହେବା କେକେଆର୍ ପାଇଁ ଶକ୍ତ ଧକ୍କା ଥିଲା। ଶ୍ରେୟାସ ୫୧ ବଲ୍ରୁ ୪ଟି ଛକା ଓ ୭ଟି ଚୌକା ସହ ୮୫ ରନ୍ କରିଥିଲେ। ଶ୍ରେୟାସଙ୍କ ୱିକେଟ ସହ ୟୁଜବେନ୍ଦ୍ର ଚହଲ କ୍ରମାଗତ ୩ଟି ବଲ୍ରେ ୩ଟି ୱିକେଟ ନେଇ ହ୍ୟାଟ୍ରିକ୍ ପୂରଣ କରିଥିଲେ। ଚହଲଙ୍କ ପରବର୍ତ୍ତୀ ୨ଟି ବଲ୍ରେ ଶିବମ୍ ମାଭି ଓ ପ୍ୟାଟ୍ କମିନ୍ସ ଆଉଟ ହୋଇଥିଲେ। ପରେ ଉମେଶ ଯାଦବ ଆସି ବିସ୍ଫୋରକ ବ୍ୟାଟିଂକରି ୧୮ଶ ଓଭରରୁ ୨୦ ରନ୍ ନେଇଥିଲେ। ଶେଷ ଓଭରରେ ୧୧ ରନ୍ ଆବଶ୍ୟକ ଥିବା ବେଳେ ଓବେଡ୍ ମ୍ୟାକ୍କୟ ଶେଷ ୨ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଉମେଶ ୯ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୧ ରନ୍ କରିଥିଲେ। ୟୁଜବେନ୍ଦ୍ର ଚହଲ ହ୍ୟାଟ୍ରିକ୍ ସହ ୫ଟି ଓ ଓବେଡ୍ ମ୍ୟାକ୍କୟ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି କଲକାତା ନାଇଟ୍ ରାଇଡର୍ସ ଫିଲ୍ଡିଂ ନେବା ପରେ ଆରମ୍ଭରୁ ଜୋସ୍ ବଟ୍ଲର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦେବଦତ୍ତ ପାଡିକଲଙ୍କ ସହ ବଟ୍ଲର ପ୍ରଥମ ୱିକେଟ ପାଇଁ ୯.୪ ଓଭରରେ ୯୭ ରନ୍ ଯୋଗକରି ବଡ଼ ସ୍କୋର୍ର ମୂଳଦୁଆ ପକାଇଥିଲେ। ବାମହାତି ପାଡିକଲ ୧୮ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍କରି ଆଉଟ ହୋଇଥିଲେ। ବଟ୍ଲର ଓ ଅଧିନାୟକ ସଞ୍ଜୁ ସାମ୍ସନ ୨ୟ ୱିକେଟ ପାଇଁ ମାତ୍ର ୩୪ ବଲ୍ରୁ ୬୭ ରନ୍ ଯୋଡ଼ିଥିଲେ। ସାମ୍ସନ ୧୯ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୩୮ ରନ୍ କରିଥିଲେ। ୧୭ଶ ଓଭରରେ ଆଉଟ ହୋଇଥିବା ଜୋସ୍ ବଟ୍ଲର ୬୧ ବଲ୍ରୁ ୫ଟି ଛକା ଓ ୯ଟି ଚୌକା ସହ ୧୦୩ ରନ୍ ଯୋଡ଼ିଥିଲେ। ଶେଷଆଡ଼କୁ ସିମ୍ରନ୍ ହେତ୍ମେୟର ନିସ୍ତୁକ ପ୍ରହାର କରି ୧୩ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍କରି ଅପରାଜିତ ଥିଲେ। ସୁନୀଲ ନାରାୟଣ ମାତ୍ର ୨୧ ରନ୍ଦେଇ ୨ଟି ୱିକେଟ ନେଇଥିଲେ।
Comments are closed.