www.samajalive.in
Monday, December 15, 2025
16.1 C
Bhubaneswar

ଗ୍ଲୋବାଲ ମେୟର ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବେ ସ୍ଥାନ ପାଇଲା ରାଉରକେଲା

ବିଶ୍ବର ୫୦ ଚମ୍ପିଆନ୍ ସହର ମଧ୍ୟରେ ଗ୍ଲୋବାଲ୍ ଇନୋଭେସନ୍ ପ୍ରତିଯୋଗିତାରେ ଅଗ୍ରଗତି କରିବାକୁ ରାଉରକେଲା ମନୋନୀତ

ରାଉରକେଲା : ୨୦୨୧ ଗ୍ଲୋବାଲ୍ ମେୟର୍ସ ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବେ ମନୋନୀତ ହୋଇଥିବା ୫୦ ଟି ଚାମ୍ପିଅନ୍ ସହର ମଧ୍ୟରୁ ରାଉରକେଲା ଅନ୍ୟତମ। ଏହା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଯାହା କୋଭିଡ -୧୯ ମହାମାରୀ ସମୟରେ ସହରଗୁଡିକ ଦ୍ୱାରା ବିକଶିତ ହୋଇଥିବା ବହୁ ଉଚ୍ଚକୋଟୀର ଚିନ୍ତାଧାରାକୁ ଚିହ୍ନଟ କରିଥାଏ ଏବଂ ତ୍ୱରାନ୍ୱିତ କରିଥାଏ। ଏହି ସର୍ବପ୍ରଥମ ଗ୍ଲୋବାଲ୍ ମେୟର୍ସ ଚ୍ୟାଲେଞ୍ଜରେ ୯୯ ଟି ଦେଶ ଦ୍ୱାରା ୬୩୦ ରୁ ଅଧିକ ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ସେଥିରୁ ୫୦ ଟି ଶ୍ରେଷ୍ଠ ସହରୀ ଉଦ୍ଭାବନ ମୂଳକ ପ୍ରସ୍ତାବ ପ୍ରତିଯୋଗିତାର ପରବର୍ତୀ ପର୍ୟ୍ୟାୟ ନିମନ୍ତେ ଚିହ୍ନଟ ହୋଇଛନ୍ତି।

- Advertisement -

ମେୟର ଚ୍ୟାଲେଞ୍ଜର ଫାଇନାଲିଷ୍ଟ ଭାବରେ ରାଉରକେଲା ସହର ବର୍ତ୍ତମାନ ପ୍ରତିଯୋଗିତାର ଚାରିମାସ ବିଶିଷ୍ଟ ଚାମ୍ପିଅନ୍ ପର୍ୟ୍ୟାୟକୁ ଉନ୍ନୀତ ହୋଇଛି। ଜୁନ୍ ରୁ ଅକ୍ଟୋବର ପର୍ୟ୍ୟନ୍ତ, ୫୦ ଫାଇନାଲିଷ୍ଟ ସହର ବ୍ଲୁମବର୍ଗ ଏବଂ ଏହାର ଅଗ୍ରଣୀ ଅଭିନବ ବିଶେଷଜ୍ଞଙ୍କ ନେଟୱାର୍କରୁ ବୈଷୟିକ ସହାୟତା ସହିତ ନିଜ ପ୍ରସ୍ତାବକୁ ଆହୁରି ମଜବୁତ କରିପାରିବ। ୫୦ ଟି ସହର ମଧ୍ୟରୁ ପନ୍ଦରଟି ସହର ଶେଷରେ ଗ୍ରାଣ୍ଡ ପୁରସ୍କାର ଜିତିବେ, ପ୍ରତ୍ୟେକଙ୍କୁ ୧ ମିଲିୟନ୍ ଡଲାର୍ ଏବଂ ସେମାନଙ୍କର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ବୈଷୟିକ ସହାୟତା ମିଳିବ। ୨୦୨୨ ପ୍ରାରମ୍ଭରେ ଗ୍ରାଣ୍ଡ ପୁରସ୍କାର ବିଜେତା ମାନଙ୍କ ନାଁ ଘୋଷିତ ହେବ।

ବ୍ଲୁମବର୍ଗ ଫିଲାନ୍ତ୍ରପିସର ପ୍ରତିଷ୍ଠାତା ତଥା ନ୍ୟୁୟର୍କ ସହରର ୧୦୮ ତମ ମେୟର ମାଇକେଲ ଆର. ବ୍ଲୁମବର୍ଗ କହିଛନ୍ତି ଯେ, ବର୍ତମାନ ସ୍ଥିତିରେ ଏହି ୫୦ ଟି ସହର କୋରନା ମହାମାରୀ ସତ୍ୱେ ଅତ୍ୟନ୍ତ ନିଷ୍ଠାର ସହ ସୃଜନାତ୍ମକ ଓ ସାହସିକ ପଦକ୍ଷେପ ନେଵାଲାଗି ଚିନ୍ତା କରିଛନ୍ତି। ଏହି ସବୁ ସହର ଗୁଡିକୁ ସେମାନଙ୍କ ଉତ୍କୃଷ୍ଟ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରିବା ଦିଗରେ ଆମେ ସହାୟତା କରିବୁ।

ଛୋଟ ପନିପରିବା ଏବଂ ଫଳ ବିକ୍ରେତା ଏବଂ କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସମାଧାନ କରିବା ପାଇଁ ରାଉରକେଲା ନିଜ ପ୍ରକଳ୍ପ ପ୍ରସ୍ତାବରେ ଉଲ୍ଲେଖ କରିଛି। ସହରରେ ମହିଳା ଫେଡେରେସନ୍ ଦ୍ୱାରା ସୌର ଚାଳିତ କୋଲ୍ଡ ଷ୍ଟୋରେଜ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଛି। ଇଲେକ୍ଟ୍ରିକ୍ ଯାନ ମାଧ୍ୟମରେ ନାଗରିକଙ୍କ ଦ୍ୱାରରେ ତାଜା ଫଳ ଏବଂ ପନିପରିବା ବଣ୍ଟନ ଏବଂ ବିତରଣ କରିବା ନିମନ୍ତେ ପରିଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପ୍ରକଳ୍ପ ପାଇଁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ମାର୍ଗଦର୍ଶନରେ ଉପାୟୁକ୍ତ ସୁଧାଂଶୁ କୁମାର ଭୋଇ ଏବଂ ପ୍ରଶାନ୍ତ କୁମାର ନାୟକ ପ୍ରକଳ୍ପ ପରିକଳ୍ପନା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ କୋଏଲ ଫ୍ରେଶର ମୁଖ୍ୟ ଆଶୁତୋଷ ନାୟକଙ୍କ ନେତୃତ୍ୱରେ ଏନଆଇଟି ରାଉରକେଲାର ଶ୍ରୀତମ ଦାଶ, ସୂର୍ୟ୍ୟନୁ କୁମାର, କୋମାରାଭୋଲୁ ବିନୟ, ସୀମା ପ୍ରିୟଙ୍କା, ଅରୁଣାଭ ଶର୍ମା, ବିନିତ ମଲିକ, ସତ୍ୟମ ସୋନି, ଏମଡି ଶାକିଲ କାହାନ, ସୟଦ ଫହିମ ଅଲି, ୟଶ ଯାଦବ, ଶ୍ରେଷ୍ଠ ସାହୁଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି।

ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ଦିବ୍ୟଜ୍ୟୋତି ପରିଡା କହିଛନ୍ତି ଯେ,୨୦୨୧ ରୁ ୨୦୩୦ ହେଉଛି ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ଦିଗରେ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିବା ଏବଂ କୋଭିଡ଼ ପରବର୍ତ୍ତୀ ସମୟରେ ସହରୀ ଜୀବନ ଶୈଳୀର ପରିବର୍ତ୍ତନକୁ ଅଭିନବ ଉପାୟ ମାଧ୍ୟମରେ ଏକୀକରଣ କରି ଏହାର ସମାଧାନ କରିବା। ସମସ୍ତ ପ୍ରମୁଖ ହିତାଧିକାରୀଙ୍କ ପାଇଁ ଏହି ଅବଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଆମ ପୃଥିବୀର ଭବିଷ୍ୟତ ସ୍ଥିର କରିବ। ଆମର ଆଗାମୀ ପିଢ଼ିର ଭାଗ୍ୟ ଆମ ହାତରେ ଅଛି ଏବଂ ଆମକୁ ଆମର ସର୍ବୋତ୍ତମ ପ୍ରୟାସ କରିବାକୁ ପଡିବ।

ରାଉରକେଲା ମହାନଗର ନିଗମ ଏହି ମୁହୂର୍ତ୍ତର ମହତ୍ତ୍ୱକୁ ବୁଝିଛି ଏବଂ ଜଳବାୟୁ ପରିବର୍ତ୍ତନ ହ୍ରାସ ସହ ସହରବାସୀଙ୍କୁ ସ୍ୱଚ୍ଛ ଶକ୍ତି, ନିର୍ମଳ ବାୟୁ ଏବଂ ନିର୍ମଳ ଖାଦ୍ୟ ଯୋଗାଇବା ଦିଗରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛି। ସ୍ଥାୟୀ ବିକାଶ ସମାଧାନ କାର୍ଯ୍ୟକାରୀ କରିବା ପାଇଁ ଆମକୁ ବିଶ୍ୱର ୫୦ ଟି ଚାମ୍ପିଅନ୍ ସହର ମଧ୍ୟରୁ ଗୋଟିଏ ଭାବରେ ଦାୟିତ୍ୱ ଦେଇଥିବାରୁ ବ୍ଲୁମବର୍ଗ ଟିମ କୁ ମୁଁ ଧନ୍ୟବାଦ ଦେଉଛି। ବର୍ତ୍ତମାନ, ଆମର ପ୍ରକଳ୍ପ ମାଧ୍ୟମରେ ସୌର ଶକ୍ତି ପ୍ରଣାଳୀ, ଵୈଦ୍ୟୁତିକ ଯାନ ପ୍ରଣାଳୀ ଏବଂ ସହରର ଜନସଂଖ୍ୟାକୁ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ମହିଳା ସଂଗଠନର ଯୋଗଦାନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ପାଇଁ କୋଏଲ୍ ଫ୍ରେସ୍ (ଏକ ଏଗ୍ରି-ଟେକ୍ ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ଷ୍ଟାର୍ଟ ଅପ୍) ସହିତ, ଆମେ ପରବର୍ତ୍ତୀ ସ୍ତରର ଆହ୍ଵାନ ପାଇଁ ପ୍ରସ୍ତୁତ ହେଉଅଛୁ। ଆମର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ସହଯୋଗର ସହ କାର୍ୟ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଆମେ ନିଶ୍ଚିତ ଯେ ଏହିପରି ପ୍ଲାଟଫର୍ମ ଆମ ମଡେଲକୁ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ ଯାହା ଭବିଷ୍ୟତରେ ବିକାଶଶୀଳ ଦେଶର ଅନେକ ସହର ପାଇଁ ଏକ ଉଦାହରଣ ହୋଇପାରେ ବୋଲି ଶ୍ରୀ ପରିଡା କହିଛନ୍ତି ”

ଏହି ୫୦ ଟି ଚାମ୍ପିଅନ୍ ସିଟି ମହାମାରୀର ଚାରିଟି ଗୁରୁତ୍ୱପୂର୍ଣ୍ଣ ଆହ୍ବାନକୁ ସମାଧାନ କରି ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିଥିଲେ। ସେଗୁଡିକ ହେଲା: ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି; ସ୍ୱାସ୍ଥ୍ୟ ଏବଂ ମଙ୍ଗଳ; ଜଳବାୟୁ ଓ ପରିବେଶ; ଏବଂ ଉତ୍ତମ ଶାସନ ଓ ସମାନତା। ବ୍ଲୁମବର୍ଗ ବୋର୍ଡ ସଦସ୍ୟ ମେଲୋଡି ହୋବସନ, ସହକାରୀ-ସିଇଓ ତଥା ଅଧ୍ୟକ୍ଷ, ଆରିଏଲ ଇନଭେଷ୍ଟମେଣ୍ଟ ଏବଂ ଆନ୍ତର୍ଜାତୀୟ ଉଦ୍ଧାର କମିଟିର ସଭାପତି ମିଳିତ ଭାବରେ ସିଟି ଫାଇନାଲିଷ୍ଟ ନିର୍ଣ୍ଣୟ ପାଇଁ ଆବେଦନଗୁଡିକର ମୂଲ୍ୟାଙ୍କନ କରିଥିଲେ।

ବ୍ଲୁମବର୍ଗ ସରକାରୀ ଇନୋଭେସନ୍ ମୁଖ୍ୟ ଜେମ୍ସ ଆଣ୍ଡରସନ କହିଛନ୍ତି ଯେ ଏହା ଚ୍ୟାଲେଞ୍ଜର ଏକ ରୋମାଞ୍ଚକର ପର୍ଯ୍ୟାୟ, ସହରମାନଙ୍କୁ ଏହା ସେମାନଙ୍କର ଉଦ୍ଭାବନକୁ ଆହୁରି ଉଚ୍ଚତାରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ୧୫ ଟି ଶ୍ରେଷ୍ଠ ସହର ଶେଷରେ ପୁରସ୍କାର ରାଶି ଗ୍ରହଣ କରିବେ, ଅନ୍ୟ ସହର ଗୁଡିକ ସେମାନଙ୍କର ଧାରଣା ଏବଂ ଜୀବନମାନର ଉନ୍ନତି ପାଇଁ ସେମାନଙ୍କର ସାମର୍ଥ୍ୟକୁ ଉନ୍ନତ କରିବା ପାଇଁ ବିଶ୍ୱ ସ୍ତରୀୟ ସମର୍ଥନ ଓ ସହଯୋଗ ପାଇବେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories