କନ୍ଦରପୁର ରାସ୍ତା ଦୁର୍ଘଟଣାକୁ ନେଇ ଉପଜିଲାପାଳଙ୍କୁ ଦାବିପତ୍ର
ଆଠଗଡ : ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତା ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ଉକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ରାସ୍ତା ନିର୍ମାଣ ସମୟରେ କନ୍ଦରପୁର ଗ୍ରାମବାସୀ ରାସ୍ତା ପ୍ରଶସ୍ତିକରଣ ଓ ନବୀକରଣ କାମକୁ ନେଇ ବାରମ୍ବାର ଆପତ୍ତି ଉଠାଇଥିଲେ ମଧ୍ଯ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଓ ଠିକାସଂସ୍ଥା ଆଦୌ କର୍ଣ୍ଣପାତ କଲେ ନାହିଁ । ଫଳରେ ଗତ ୪ତାରିଖରେ ଉକ୍ତ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇଜଣ କଲେଜ ପଢୁଆ ନାବାଳକ ଛାତ୍ରଙ୍କ ଅମୂଲ୍ଯ ଜୀବନ ଚାଲିଗଲା । ଏହାକୁ ନେଇ କନ୍ଦରପୁର ଗ୍ରାମବାସୀଙ୍କ ମଧ୍ଯରେ ଏପର୍ଯ୍ୟନ୍ତ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏ ସମ୍ପର୍କରେ ଏକ ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର କନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ଯରେ ମୁଖ୍ଯ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗ୍ରାମ୍ୟ ରାସ୍ତାକୁ ଉଚ୍ଚା ଓ ମୁଖ୍ଯ ରାସ୍ତା ସହ ସମତୁଲ କରିବା, ସମସ୍ତ ଗ୍ରାମ୍ଯ ସଂଯୋଗୀ ରାସ୍ତା ଓ ଅତ୍ଯଧିକ ବୁଲାଣି ରାସ୍ତା ନିକଟରେ ବଡ ବଡ ସୂଚନା ଫଳକ ଲଗାଇବା, ସେସବୁ ସ୍ଥାନରେ ଗତି ନିରୋଧକ ବ୍ୟବସ୍ଥା କରିବା ସହ ରାସ୍ତା କଡରେ ଝୁଲି ରହିଥିବା ଗଛ ଡାଳ ନିୟମିତ କାଟିବା, ବସ ରହଣି ସ୍ଥାନକୁ ଯଥେଷ୍ଟ ଓସାରିଆ କରିବା, ଆଠଗଡରୁ କନ୍ଦରପୁର ପର୍ଯ୍ୟନ୍ତ ରାସ୍ତା ନବୀକରଣ ବା ମରାମତି କରିବା ଏବଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଉକ୍ତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଆଦି ଅନ୍ତର୍ଭୁକ୍ତ। କନ୍ଦରପୁର ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ମୋହନ ଖଟୁଆ, ପୂର୍ବତନ ସରପଞ୍ଚ ବିଚିତ୍ରନନ୍ଦ ସେଠି, ପୂର୍ବତନ ସମିତିସଭ୍ଯ ମାନସ ସାହୁ, ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ସାହୁ,ଫ୍ରେଣ୍ଡସ କ୍ଲବ ସଭାପତି ଇଂ ପ୍ରିୟବ୍ରତ ଦାସ, ମଙ୍ଗୁଳି ଦଳାଇ, ମନୋରଞ୍ଜନ ଦଳାଇ, ସନ୍ତୋଷ କୁମାର ସାହୁ, ଜୟନ୍ତ କୁମାର ପ୍ରଧାନଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ସାତଦିନ ମଧ୍ୟରେ ଦାବି ପୂରଣ ନହେଲେ କନ୍ଦରପୁର ଦେଇ ଯାଇଥିବା ମୁଖ୍ୟ ରାସ୍ତା ଅଚଳ କରିଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେମାନଙ୍କ ଦାବି ସମ୍ପର୍କରେ ସହୃଦୟତାର ସହ ବିଚାର କରାଯିବ ବୋଲି ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଥିଲେ ।
Comments are closed.