‘ସମାଜ’ ପ୍ରଭାବ : ସହରର ପାନୀୟ ଜଳ ସଂକଟ ଦୂର ହେବ, ମନ୍ତ୍ରୀଙ୍କ ସମୀକ୍ଷା

୪୫ କୋଟି ଟଙ୍କା ମଞ୍ଜୁର

ଆଠଗଡ :  ଆଠଗଡ ସହରର ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥିବା ନେଇ ଗତ ଏପ୍ରିଲ ୪ତାରିଖ (ସୋମବାର) ‘ସମାଜ’ରେ ଖବର ପ୍ରସାରଣ ପରେ ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜନସ୍ୱାସ୍ଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ କରି ସହରର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ‘ସମାଜ’ରେ ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ନବ ନିର୍ବାଚିତ କେତେକ ପାରିଷଦ ଏ ସଂପର୍କରେ ଅବଗତ କରି ପାନୀୟ ଜଳ ସଂକଟରୁ କିପରି ଆଠଗଡବାସୀ ରକ୍ଷା ପାଇବେ ସେଥିପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଉପନଗରପାଳ ନିର୍ବାଚନ ପାଇଁ ଏନଏସିର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଉପସ୍ଥିତ ଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ତୁରନ୍ତ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ନବକିଶୋର ସାମଲ ଏବଂ ଆଠଗଡର କନିଷ୍ଠ ଯନ୍ତ୍ରୀ ଇଂ ପୃଥ୍ୱୀରାଜ ପଣ୍ଡାଙ୍କୁ ଡକାଇ ଆଲୋଚନା କରିଥିଲେ। ପୂର୍ବରୁ ଆଠଗଡ ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମହାନଦୀରୁ ପାନୀୟ ଜଳ ଯୋଗାଣ କ୍ଷମତାକୁ ଦୁଇଗୁଣ କରିବା ଏବଂ ସହରରେ ବହୁ ପୂର୍ବରୁ ବିଛାଯାଇଥିବା ପ୍ଲାଷ୍ଟିକ ପାଇପଗୁଡିକୁ ବଦଳାଇ ଲୁହା ପାଇପ ଲଗାଇବା ଓ ଅଧିକ ସୁଉଚ୍ଚ ପାଣିଟାଙ୍କି ନିର୍ମାଣ କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ସହିତ ୪୫କୋଟି ଟଙ୍କାର ଆକଳନ ରାଜ୍ୟସରକାରଙ୍କ ନିକଟକୁ ପଠାଯାଇଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଉଦ୍ୟମକ୍ରମେ ଏହି ପ୍ରସ୍ତାବକୁ ସରକାର ଗ୍ରହଣ କରି ୪୫କୋଟି ଟଙ୍କା ମଞ୍ଜୁର କରିଥିବା ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ ।

ପୂର୍ବରୁ ୨୦୧୫ ମସିହାରେ ମହାନଦୀରୁ ଆଠଗଡ ସହରକୁ ଜଳ ଯୋଗାଣ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ତାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଥିଲା। ତେବେ ସେହି ପ୍ରକଳ୍ପ ଜରିଆରେ ମହାନଦୀରୁ ଆସୁଥିବା ଜଳ ଆଠଗଡରେ ସ୍ଥାପିତ ବିଶୋଧନା ଗାରରେ ବିଶୋଧନ କରାଯାଇ ଲୋକଙ୍କୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିଲେ ମଧ୍ୟ ତାହା ଆବଶ୍ୟକତା ଠାରୁ ଯଥେଷ୍ଟ କମ୍‍ ଥିଲା। ତେଣୁ ବହୁ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଗଭୀର କୂପରୁ ଜଳ ଯୋଗାଣ ଅବ୍ୟାହତ ରହିଥିବାରୁ ସମଗ୍ର ସହରକୁ ଜଳ ଯୋଗାଇ ହେଉଥିଲା। ଏବେ କିନ୍ତୁ ସେ ସବୁ ଗଭୀର କୂପରେ ଜଳସ୍ତର ବହୁମାତ୍ରାରେ ହ୍ରାସ ପାଇଥିବାରୁ ଅନେକ ସ୍ଥାନରେ ଆଉ ଗଭୀର କୂପରୁ ଜଳ ଯୋଗାଣ କରାଯାଇ ପାରୁନାହିଁ । ତେଣୁ ସହରରେ ପାନୀୟ ଜଳ ସଂକଟ ଅଧିକାଂଶ ଅଞ୍ଚଳରେ ଦେଖା ଦେବା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରୀ ସ୍ୱାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ଆଠଗଡ ସହରାଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏକ ନୂତନ ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରି ଆକଳନ ସହିତ ସରକାରଙ୍କ ନିକଟକୁ ପଠାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ପ୍ରସ୍ତାବ ମଞ୍ଜୁର ହେବା ପରେ ଏବେ ଟେଣ୍ଡର ପ୍ରକ୍ରିୟା ସରିବା କ୍ଷଣି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଫୁଲବାଡିଠାରେ ମହାନଦୀରୁ ଜଳ ଉତ୍ତୋଳନ ପାଇଁ ନୂତନ କୂପ ଖନନ, ଉଚ୍ଚ ଶକ୍ତି ସଂପନ୍ନ ପାଣି ପମ୍ପ ଲଗାଇବା ଏବଂ ସେଠାରେ ଏକ ବିଶୋଧନାଗାର ନିର୍ମାଣ କରି ଆଠଗଡକୁ ଲୁହାପାଇପ ଯୋଗେ ଜଳ ଯୋଗାଣ ଓ ଆହୁରି ଅଧିକ ସଂଖ୍ୟାରେ ସୁଉଚ୍ଚ ପାଣିଟାଙ୍କି ନିର୍ମାଣ ପାଇଁ ଏହି ପ୍ରକଳ୍ପରେ ବ୍ୟବସ୍ଥା କରାଯାଇଛି । ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଜଳ ଯୋଗାଣ ପାଇଁ ଅତିକମରେ ୨ବର୍ଷ ସମୟ ଲାଗିବାକୁ ଥିବାରୁ ତା ପୂର୍ବରୁ ଆଠଗଡବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ପାଇଁ କେତେକ ନୂତନ ଗଭୀର କୂପ ଖନନ କରି ଜଳ ଯୋଗାଣ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଜଳ ସଂକଟ କିଛିଟା ଦୂର ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି । ମହାନଦୀରୁ ପ୍ରସ୍ତାବିତ ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଆଠଗଡ ସହରରେ ବସବାସ କରୁଥିବା ପ୍ରାୟ ୨୨ହଜାର ଲୋକ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।

Comments are closed.