BJD Bijuli 480×75 Mob

ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ନାହିଁ : ରାଜନାଥ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ଅଧୀନରେ ଦଳିତ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଏସ୍‌ଟି/ଏସ୍‌ସି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାଏର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ତ୍ୱରିତ୍‌ ଗିରଫ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇବା ପରେ କେନ୍ଦ୍ର ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଚାହୁଁଥିବା ବିଭିନ୍ନ ମହଲରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଲୋକସଭାରେ ବିବୃତ୍ତି ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସଂରକ୍ଷଣ ନୀତି ପ୍ରତ୍ୟାହାର ନେଇ ଯେଉଁ ଆଲୋଚନା ହେଉଛି ତାହା ସମ୍ପୂର୍ଣ୍ଣ ଗୁଜବ। ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ କେନ୍ଦ୍ର ଧୀରସ୍ଥିର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଉକ୍ତ ରାୟର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି ବୋଲି ରାଜନାଥ ଦର୍ଶାଇଥିଲେ। ମାତ୍ର ସେ ବିବୃତ୍ତି ଦେବାକୁ ଆସନରୁ ଉଠି ଛିଡା ହେବା ମାତ୍ରେ ବିରୋଧିମାନେ ନ୍ୟାୟ ପ୍ରଦାନ ଦାବିରେ ସ୍ଲୋଗାନ ଦେଇଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଟର୍ଣ୍ଣି ଜେନେରାଲ ନିଜ ମତ ଉପସ୍ଥାପନ କରିଛନ୍ତି ବୋଲି ଦର୍ଶାଇ ତୃଣମୂଳ କଂଗ୍ରେସ ଏମ୍‌ପି କଲ୍ୟାଣ ବାନାର୍ଜୀ ବିଜେପିକୁ ସମାଲୋଚନା କରିଥିଲେ। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ବିଜେପିକୁ ସମାଲୋଚନା ପୂର୍ବକ ଏସ୍‌ସି/ଏସ୍‌ଟି ଆଇନରେ ପରିବର୍ତ୍ତନ ହୋଇସାରିଥିବା ଦର୍ଶାଇଥିଲେ। ଅନ୍ୟ ବିରୋଧୀ ଦଳଗୁଡିକ କାବେରୀ ନଦୀ ଜଳ ବିବାଦ ସମେତ ଅନ୍ୟ ବହୁ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। ଫଳରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାର କାର୍ଯ୍ୟକ୍ରମ ଆଗେଇବା ନେଇ ବାଚସ୍ପତି ଅକ୍ଷମତା ପ୍ରକାଶ କରିବା ସହ ଗୃହକୁ ଦିନକ ପାଇଁ ମୁଲତବି ରଖିଥିଲେ।

Leave A Reply