ସ୍କୁଲରେ ନାମଲେଖା କମିଛି ୩୭ ଲକ୍ଷ
ନୂଆଦିଲ୍ଲୀ : ବିଗତ ଏକ ବର୍ଷରେ ଦେଶର ସରକାରୀ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ୩୭ ଲକ୍ଷ ହ୍ରାସ ପାଇଛି ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ମନ୍ତ୍ରଣାଳୟ ଅଧୀନସ୍ଥ ୟୁଡିଆଇଏସଇ (ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫର୍ମେସନ ସିଷ୍ଟମ ଫର୍ ଏଡୁକେସନ) ପ୍ଲସ ରିପୋର୍ଟ ମୁତାବକ ୨୦୨୨-୨୩ ଓ ୨୦୨୩-୨୦୨୪ ଶିକ୍ଷାବର୍ଷରେ ଦେଶରେ ସରକାରୀ ସ୍କୁଲ ସଂଖ୍ୟା ୧.୪୬୬ ନିୟୁତରୁ ୧.୪୭୧ ନିୟୁତକୁ (ପ୍ରାୟ ୫୦୦୦) ବୃଦ୍ଧି ପାଇଛି। ତେବେ ଏହି ସମୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ୨୫୧.୭ ନିୟୁତରୁ ୧୪୮ ନିୟୁତକୁ ହ୍ରାସ ପାଇଥିବା ଜଣାପଡିଛି। ତେବେ ଲିଙ୍ଗଭିତ୍ତିକ, ସାମାଜିକ ବର୍ଗୀକରଣ ଏବଂ ଶିକ୍ଷାସ୍ତରରେ ନାମଲେଖା ସଂଖ୍ୟା ଏତେଟା ହ୍ରାସ ପାଇନଥିବା କୁହାଯାଇଛି। ଉଦାହରଣ ସ୍ବରୂପ
ବିଗତ ଏକ ବର୍ଷରେ ନୂଆ ଛାତ୍ରୀଙ୍କ ସଂଖ୍ୟା ୧.୬ ନିୟୁତ ଏବଂ ଛାତ୍ରଙ୍କ ସଂଖ୍ୟା ୨.୧ ନିୟୁତ ହ୍ରାସ ପାଇଛି। ଅପରପକ୍ଷରେ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨.୫ ନିୟୁତ ହାସ ପାଇଥିବାବେଳେ ତଫସିଲଭୁକ୍ତ ଜାତି (ଏସ୍ସି)ଙ୍କ ସଂଖ୍ୟା ୧.୨ ନିୟୁତ ଏବଂ ଆଦିବାସୀ )ଏସ୍ଟି) ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ ଲକ୍ଷ ହ୍ରାସ ପାଇଛି। ଏହି ସମୟରେ ମୁସଲମାନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ କମିଥିବାବେଳେ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩ ଲକ୍ଷ ହ୍ରାସ ପାଇଛି। ତେବେ ଏହି ସମୟରେ ପାଠପଢା ଅଧାରୁ ସ୍କୁଲ ଛାଡିଥିବା (ଡ୍ରପ୍ ଆଉଟ) ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଶୁଭ ସଙ୍କେତ ବୋଲି କୁହାଯାଇଛି। ସରକାରୀ ସ୍କୁଲରେ ନାମଲେଖା ଏବଂ ଛାତ୍ରବୃତ୍ତି ପାଇବା ପ୍ରସଙ୍ଗରେ ଅଧିକ କାଗଜପତ୍ରର ଆବଶ୍ୟକତା ପଡୁଥିବାରୁ ଅଧିକାଂଶ ଛାତ୍ର ପାଠ ଅଧାରୁ ସ୍କୁଲ ଛାଡୁଥିବା ରିପୋର୍ଟରେ ଦର୍ଶାଯାଇଛି। ସରକାର ଏଥିପ୍ରତି ଉଚିତ ଧ୍ୟାନ ଦେଲେ ସ୍ଥିତିରେ ଉନ୍ନତି ଘଟିବ ବୋଲି ଦଳିତ ମାନବାଧିକାର ଜାତୀୟ ଅଭିଯାନର ମୁଖପାତ୍ର ବୀଣା ପାଲିକଲ କହିଛନ୍ତି। ଦେଶରେ ଥିବା ୧.୪୭୨ ନିୟୁତ ସ୍କୁଲ, ୯.୮ ନିୟୁତ ଶିକ୍ଷକ ଏବଂ ୨୪୮ ନିୟୁତ ଛାତ୍ରଛାତ୍ରୀଙ୍କ ତଥ୍ୟକୁ ଆଧାର କରି ୟୁଡିଆଇଏସ୍ଇ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
Comments are closed.