ଆଇଏଏସ୍‌ ସ୍ତରରେ ଅଦଳବଦଳ ଅରିନ୍ଦମ ପୌର ପ୍ରଶାସନ ନିର୍ଦେଶକ

ଭୁବନେଶ୍ବର:ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ନୂଆବର୍ଷ ଆରମ୍ଭରୁ ପ୍ରଶାସନିକ ସ୍ତରରେ ପରିବର୍ତ୍ତନ ହୋଇଛି। ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିବା ୨୦୧୧ ବ୍ୟାଚ୍ ଆଇଏଏସ୍‌ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇ ଭୁବନେଶ୍ବର ପୌର ପ୍ରଶାସନ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ସେ ଦାୟିତ୍ବ ତୁଲାଇବେ। ତେବେ ତାଙ୍କ ପୂର୍ବ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇ ନଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

prayash

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିସି ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସାଧାରଣ ଉଦ୍ୟୋଗ ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଟି. ଆଓଙ୍କୁ ଯୋଜନା ଏବଂ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ଇପିକଲ ପରିଚାଳନା ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଶ୍ରୀ ପୁନିଆ ଏହି ଦାୟିତ୍ବ ନେବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଭାବେ ଏନବିଏସ୍‌ ରାଜପୁତଙ୍କ ଅତିରିକ୍ତ ନିଯୁକ୍ତି ବାତିଲ ହେବ। କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ବୟନ ଓ ହସ୍ତତନ୍ତ ନିର୍ଦେଶକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଡାକୁଆଙ୍କୁ ପୌର ପ୍ରଶାସନ ନିର୍ଦେଶକ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି।

Comments are closed.