ଦଳୀୟ କର୍ମୀଙ୍କ ସହ ମନ୍ତ୍ରୀ ଅତନୁଙ୍କ ପଦଯାତ୍ରା, ଜୋର୍ ଧରୁଛି ପ୍ରଚାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡିର ପ୍ରଚାର ସେତିକି ଜୋର୍ ଧରିଛି । ଦଳୀୟ କର୍ମୀଙ୍କ ସହ ସମବାୟ ଯୋଗାଣ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଏହାକୁ ଆହୁରି ଜୋରଦାର କରିଛନ୍ତି । ରବିବାର ଅତାବିରା ୱାର୍ଡ ନଂ ୫, ୮, ୯ ଓ ୧୦କୁ ଯାଇ ସେଠାରେ ପଦଯାତ୍ରା କରି ୱାର୍ଡର ସମସ୍ୟା ଓ ବିକାଶ ବିଷୟରେ ପଚାରି ବୁଝିଥିଲେ । ସଭା ସମିତି ମାଧ୍ୟମରେ ଦଳୀୟ କର୍ମୀମାନଙ୍କୁ ଅଞ୍ଚଳର ବିକାଶ ପାଇଁ କର୍ମବୀର ସାଜି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଦିନ ଥିଲା ୱାର୍ଡବାସୀଙ୍କ ସମସ୍ୟା ପାଇଁ ଏପରିକି ସାମାନ୍ୟ ନଳକୂପଟିଏ ପାଇଁ ଲୋକେ ବାରମ୍ବାର ପଞ୍ଚାୟତ ଅଫିସ, ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଥିଲେ । କିନ୍ତୁ ବିଜେଡି ଶାସନ ଚାଲିବା ଦିନଠାରୁ ଆଜି ପ୍ରତି ଘରେ ଘରେ ପାନୀୟ ଜଳ ଯୋଗାଣ, ଘର ସମ୍ମୁଖରେ କଂକ୍ରିଟ ରାସ୍ତା ଆଉ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ଆଉ କୌଣସି କାରଣ ପାଇଁ କେଉଁଠିକୁ ଯିବାକୁ ପଡୁନି, ପ୍ରଶାସନ ପହଞ୍ଚି ଯାଉଛି ଲୋକଙ୍କ ପାଖରେ। ଏହାହିଁ ବିଜେଡି କ୍ରିୟାକଳାପର ପ୍ରତିଫଳନ ବୋଲି ମନ୍ତ୍ରୀ ସାଧାରଣ ଜନତାଙ୍କ ଆଗରେ ଉଦବୋଧନ ଦେଇଥିଲେ। ଭୋଟରଙ୍କ ମଧ୍ୟରେ ଏହା ବିଶେଷ ପ୍ରଭାବ ପକାଇଛି। କିନ୍ତୁ ୱାର୍ଡ ନଂ ୫ , ୧୧, ୧ ଓ ୨ରେ ପ୍ରତ୍ୟେକ ଦଳୀୟ କର୍ମୀମାନଙ୍କ କଡା ନଜର ରହିଅଛି। ପ୍ରତ୍ୟେକ ଦଳ ନିଜ ନିଜର ପ୍ରୟାସ ଚଲେଇଛନ୍ତି ଭୋଟରମାନଙ୍କ ସମର୍ଥନ ହାତେଇବା ପାଇଁ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜୀବନ ବିନ୍ଦୁର ସଭାପତି ଗୌରହରି ମିଶ୍ର, ରାଜ୍ୟ ପଣ୍ୟାଗାର ନିଗମ ସଭାପତି ମହେନ୍ଦ୍ର ବଢେଇ, ଏନଏସି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ପ୍ରମୁଖ ମଧ୍ୟ ପ୍ରଚାରରେ ସାମିଲ ହୋଇ ଭୋଟରମାନଙ୍କ ସମର୍ଥନ ସାଉଁଟିଥିବା ଦେଖିବାକୁ ମିଳିଛି। ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ପ୍ରଚାର ପ୍ରସାରରେ ଅବଲମ୍ବନ କରି ଚାଲିଛନ୍ତି ରାଜନୈତିକ ରଣନୀତି ।

Comments are closed.