ଆସ୍ଥା ଓ ବିଶ୍ୱାସର ଅନ୍ୟତମ ଶୈବ ପୀଠ ବାବା ବିଶେଶ୍ୱର ମନ୍ଦିରରେ ଶୈବ ଭକ୍ତଙ୍କ ବିପୁଳ ସମାଗମ

ରେଙ୍ଗାଲିକ୍ୟାମ୍ପ: ଶ୍ରାବଣ ମାସ ରେ ପ୍ରତ୍ୟେକ ଶୈବ ପୀଠ ମାନଙ୍କରେ ଶୈବ ଭକ୍ତ/କାଉଡ଼ିଆ ମାନଙ୍କର ଭିଡ ଜମିଥାଏ। କାହିଁ କେତେ କେତେ ଦୂରରୁ କଳସୀରେ ଜଳ ଭରି ଖାଲି ପାଦରେ ଚାଲି ଚାଲି ଯାଇଥାନ୍ତି ଶ୍ରଦ୍ଧା ଓ ଭକ୍ତିର ସହିତ । ବର୍ଷା ହେଉ କି ଖରା ସେଥି ପ୍ରତି ତିଳେହେଲେ ଶୋଚନା ନ ଥାଏ ସେମାନଙ୍କ ମନରେ । କିନ୍ତୁ ଶୈବ ପୀଠମାନଙ୍କ ମଧ୍ୟରୁ ସାଧାରଣତଃ ଯେଉଁ ଗୁଡ଼ିକ ପ୍ରସିଦ୍ଧ ବା ଉଭା ଲିଙ୍ଗ, ସେଇଠାରେ ଲୋକଙ୍କ ଆସ୍ଥା ଅଧିକ ରହିଥାଏ । ସେ ଭିତ୍ତିରେ ପଶ୍ଚିମ ଓଡ଼ିଶାରେ ରହିଛି ଆଠଟି ଉଭା ମନ୍ଦିର। ଯାହା ଅଷ୍ଟ ଶମ୍ଭୁ ରୂପେ ପରିଚିତ। ଏହି ଅଷ୍ଟଶମ୍ଭୁ ମଧ୍ୟରେ ବାବା ବିଶ୍ୱେଶ୍ୱର ଶିବ ମନ୍ଦିର ଅନ୍ୟତମ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ର ୫୩ ନଂ ଜାତୀୟ ରାଜପଥ କଡ଼ରେ ଏହା ଅବସ୍ଥିତ। ଶୈବ ଶାକ୍ତ ଓ ବୈଷ୍ଣବ ପରମ୍ପରାର ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ ଏହିଠାରେ। ୧୫୪୯ ମସିହାରୁ ଚୌହାନ ମାନଙ୍କ ସମୟ କାଳରେ ଏହି ମନ୍ଦିର ଗୁଡ଼ିକ ସୁନ୍ଦର୍ ଭାବରେ ଗଢା ହୋଇଥିଲା। ଶ୍ରାବଣର ଶେଷ ସୋମବାର ଦିନ ଏହି ପୀଠରେ ପ୍ରାତଃ ୩ ଟାରୁ ଏହି ଭକ୍ତଙ୍କ ଲମ୍ଭା ଧାଡ଼ିକୁ ଦେଖିଲେ ଏହି ପୀଠର ମାହାତ୍ମ୍ୟ ଆପେ ଆପେ ଜାଣିହେବ।
ଏହି ଶୈବ ପୀଠର ଅନେକ ଜନଶ୍ରୁତି ରହିଛି। ମାନସିକ ସିଦ୍ଧି ପାଇଁ ଏଠାକୁ ଅଞ୍ଚଳ ତଥା ଦୂର ଦୁରାନ୍ତରରୁ ଏମିତି କି ଅନ୍ୟ ଜିଲାମାନଙ୍କରୁ ମଧ୍ୟ ଗୋଟିଏ ଦିନ ପୂର୍ବରୁ ପହଞ୍ଚି ଯାଇଥାଆନ୍ତି କାଉଡ଼ିଆମାନେ।
ନିର୍ମାଣ ଶୈଳୀ ଦୃଷ୍ଟିରୁ ଏହି ମନ୍ଦିର ଅନ୍ୟ ମନ୍ଦିର ତୁଳନାରେ ସାମାନ୍ୟ ଭିନ୍ନ ପରିଲକ୍ଷିତ ହୁଏ। ଭକ୍ତଙ୍କ କହିବା ଅନୁଯାୟୀ ଥରେ ରାଜା ଅଶ୍ୱାରୋହଣ ସମୟରେ ଅଶ୍ବଟି ଝୁଣ୍ଟିପଡିଥିଲା, ଯାହା ଦ୍ୱାରା ରାଜା ତଳେ ପଡ଼ିଯାଇଥିଲେ। ରାଜା କ୍ରୋଧିତ ହୋଇ ଅଶ୍ବ ଖୁଣ୍ଟି ପଡ଼ିଥିବା ସ୍ଥାନକୁ ଖୋଲି ତାକୁ ସମତୁଲ କରିବାକୁ କହିଥିଲେ। କିନ୍ତୁ ଖୋଲିବା ବେଳେ ଓଁ ଲେଖା ଥିବା ଏକ ଲିଙ୍ଗ ବାହାରିଥିଲା। ଲିଙ୍ଗକୁ ଦେଖି ଲୋକଙ୍କ ର ବିଶ୍ୱାସ ହେଲା, ବାବା ତାଙ୍କର ଦୁଃଖ ହରଣ କରିବା ପାଇଁ ସ୍ବୟଂ ଆବିର୍ଭାବ ହୋଇଛନ୍ତି। ସେଇ ବିଶ୍ୱାସର ପ୍ରତୀକ ସ୍ବରୂପ ବାବା ବିଶ୍ୱେଶ୍ୱର ନାମରେ ନାମିତ କରାଗଲା। ସେଇ ଲିଙ୍ଗକୁ ନେଇ ସ୍ଥାପନା କରାଗଲା। ପରବର୍ତ୍ତୀ ସମୟରେ ମନ୍ଦିର ତୋଳା ଯାଇ ବାବା ବିଶେଶ୍ୱରଙ୍କୁ ସେଇଠି ପୂଜା କରାଗଲା।
ଧୀରେ ଧୀରେ ଏହି ଘଟଣା ଚାରିଆଡ଼େ ପ୍ରଚାରିତ ହେଲା। ଲୋକେ ନିଜ ନିଜର ମାନସିକ ରଖିଲେ ଓ କାଳକ୍ରମେ ତାହା ପୂରଣ ହେବାରୁ ଲୋକଙ୍କ ଆସ୍ଥା ଆହୁରି ବଢାଇବାରେ ଲାଗିଲା। ଆଜି ଏହି ମନ୍ଦିରର କାୟାକଳ୍ପ ଦିନକୁ ଦିନ ବଦଳିବାରେ ଲାଗିଛି। ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ, ବିଭିନ୍ନ ପ୍ରକାରର ମାଙ୍ଗଳିକ କାର୍ୟ୍ୟ ପାଇଁ ମଣ୍ଡପ, ଭୋଗ ଘର, ରୋଷେଇ ଶାଳ ଆଦିର ନିର୍ମାଣ ଅତି ସୁନ୍ଦର ଭାବରେ କରାଯାଇଛି। ମନ୍ଦିରର ପ୍ରବେଶ ଦ୍ବାର ମଧ୍ୟ ଅତି ସୁନ୍ଦର ହୋଇଛି। ଏହି ମନ୍ଦିରର ଆଉ ଏକ ବିଶେଷତ୍ବ ହେଲା, ମନ୍ଦିର ପରିସରରେ ଥିବା ପୋଖରୀରେ ରଙ୍ଗବେରଙ୍ଗର ମାଛ। ଏହି ମାଛ ମାନଙ୍କୁ କେହି ମାରନ୍ତି ନାହିଁ। ପ୍ରବଳ ସଂଖ୍ୟାରେ ମାଛ ଥିବା ଯୋଗୁ ଛୋଟ ଶିଶୁ ତଥା ବଡ ଲୋକଙ୍କ ମଧ୍ୟ ଦେଖିବାର ଇଚ୍ଛା ରହିଥାଏ। ଏହା ବ୍ୟତୀତ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଥିବାରୁ ଯାନବାହାନ ରେ ଯିବା ଆସିବା କରିବା ଅତ୍ୟନ୍ତ ସହଜ ହୋଇଥାଏ। ବସ୍ ରେ ବି ଜଣେ ଆସି ମନ୍ଦିର ସମ୍ମୁଖରେ ଓହ୍ଲାଇ ପାରୁଛି ।ତେଣୁ ଅନ୍ୟ ମନ୍ଦିର ତନାରେ ଏହି ମନ୍ଦିର ରେ ପ୍ରବଳ ଭିଡ଼ ପ୍ରାୟ ଦେଖିବାକୁ ମିଳେ।
ଆଜି ଶ୍ରାବଣ ଶେଷ ସୋମବାର ଦିନ ଆଶାତୀତ ଭିଡ଼ ଜମିଥିଲା। ମନ୍ଦିର କମିଟି ତଥା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କ୍ଷୀରି , ଖିଚିଡି, ଚା ,ତଥା ବିଭିନ୍ନ ପ୍ରକାରର ମିଷ୍ଟାନ ବିତରଣ କରାଯାଇଥିଲା । ଶୈବ ଭକ୍ତଙ୍କୁ ସେବା ଦେଇ ପୁଣ୍ୟ ଅର୍ଜନ କରିବା ମଧ୍ୟ ଭଗବାନଙ୍କ ପ୍ରତି ଏକ ପ୍ରକାର ନିଷ୍କାମ ଭକ୍ତି କୁହାଯାଇପାରେ। ତେବେ ଆସନ୍ତା ଶ୍ରାବଣ ପୂର୍ଣ୍ଣିମା ପର୍ୟ୍ୟନ୍ତ ଏହି ଶୈବ ପୀଠରେ ଭିଡ଼ ଜମି ରହିବ। ସେଥିପାଇଁ ମନ୍ଦିର କମିଟି ଓ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comments are closed.