ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୬ ଅଭିଯୁକ୍ତ ଗିରଫ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲାରେ ଏବେ ନିଶା ଦ୍ରବ୍ୟର ଚୋରା ଚାଲାଣ ଜୋର୍ ଧରିଥିବା ବେଳେ ଆଜି ପୁଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହା ବ୍ୟତୀତ ୬ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ପୁଲିସ ସୂତ୍ରରୁ ଜଣା ପଡ଼ିଛି ଯେ ବୌଦ୍ଧ ଜିଲାର କଣ୍ଟାମାଳ ଥାନା ଅଞ୍ଚଳରୁ ସମ୍ବଲପୁର ଜିଲାର ଜମନ କିରା ଅଞ୍ଚଳକୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା । ବିଶ୍ବସ୍ତ ସୂତ୍ରରୁ ଏହି ଖବର ପାଇ ବରଗଡ଼ ଏସପି ରାହୁଲ ଜୈନଙ୍କ ନିର୍ଦେଶରେ ଏସଡିପିଓ ଦୀପକ ଗୋଛାୟତ ଓ ଅତାବିରା ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନ ଏହି ଚୋରା ଚାଲାଣକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲେ। ଏହି ଦଳ ଗୋଡଭଗା _ ତୁରୁମ ୫୪ ନଂ ରାଜ୍ୟ ରାଜ ପଥରେ ଥିବା ଭାଲୁଡୁଙ୍ଗୁରି ନିକଟସ୍ଥ ରୁଚି ଢ଼ାବା ପାଖରେ ଗତକାଲି ଠାରୁ ଛକି ରହିଥିଲେ। ଗୋଟିଏ କାରକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରିବା ବେଳକୁ କାରରେ ଥିବା ସମସ୍ତେ ଦୌଡ଼ି ପଳାଇବା ଉଦ୍ୟମ କରିଥିଲେ। ମାତ୍ର ପୁଲିସ ପଛରେ ଗୋଡ଼ାଇ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା ।

 

prayash

ଏହି କାରରେ୬୬ କେଜି ୧୦୦ ଗ୍ରାମ ଗଞ୍ଜେଇ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା ଯାହାର ମୂଲ୍ୟ ପ୍ରାୟ ତିନି ଲକ୍ଷ ପଚାଶ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହା ସହ ନଗଦ ୧୦୦୦ ଟଙ୍କା, ୬ ଟି ମୋବାଇଲ, ଗୋଟିଏ ବାଇକ୍ ଓ ଉକ୍ତ କାରକୁ ମଧ୍ୟ ପୁଲିସ ଜବତ କରିଛି ।ଏହି ଚୋରା ଚାଲାଣରେ ଲିପ୍ତ ଛଅ ଜଣ ଅଭିଯୁକ୍ତଙ୍କ ନାମରେ ଅତାବିରା ଥାନାରେ କେସ ନଂ ୮୩/ ତା ୪/୩/୨୦୨୨ ଧାରା ୨୦(ବି)/୨୯ ଏନଡିପିଏସ ଧାରା ୧୯୮୫ରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେମାନଙ୍କ ବେଲ ନାମଞ୍ଜୁର ହେବାରୁ ସେମାନଙ୍କୁ ବରଗଡ଼ ଜେଲକୁ ପଠାଯାଇଛି। ପୁଲିସର ଏହି ସ୍ୱତନ୍ତ୍ର ଦଳରେ ଏଏସଆଇ ମହେନ୍ଦ୍ର ତାଣ୍ଡି, ଏସଆଇ ଯାଦବ ବାଗ, ଏଏସଆଇ ଲଳିତ ନାଗ, କନଷ୍ଟେବଳ ସୁରେଶ ସାହୁ ଓ ଅଶୋକ ବିଶି ପ୍ରମୁଖ ରହିଥିଲେ। କାରକୁ ଯାଞ୍ଚ ବେଳେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବନାଥ ସାହୁ ମାଜିଷ୍ଟ୍ରେଟ ଦାୟିତ୍ବରେ ଉପସ୍ଥିତ ଥିଲେ।

kalyan agarbati

Comments are closed.