ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଭୋଟ ବାକ୍ସରେ ବନ୍ଦ ୪୬୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ
ରେଙ୍ଗାଲି: ରେଙ୍ଗାଲି ବ୍ଳକରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଜି ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ଆଜି ଏଠାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ୪୬୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇ ରହିଛି।
ଆଜି ପୋଲିଂ ବୁଥମାନଙ୍କରେ ସକାଳ ୭ଟାରୁ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଭୋଟର ମାନଙ୍କର ଭିଡ ଲାଗି ରହିଥିଲା। ସକାଳୁ ବର୍ଷା ହେବା ଫଳରେ ପୋଲିଂ ବୁଥକୁ ପହଞ୍ଚିବା ପାଇଁ ଭୋଟରମାନେ ଅସୁବିଧାର ସମ୍ୁଖିନ ହୋଇଥିବା ଦେଖିବାକୁ ମିଳିଥିଲା। ୨ଶହରୁ କମ୍ ଭୋଟର ଥିବା ବ୍ଳକର କେତେକ ବୁଥରେ ଦିନ ୧୨ଟା ସୁଦ୍ଧା ମତଦାନ ସରିଯାଇଥିଲା। ଅପରପକ୍ଷରେ ୩୦୦ ରୁ ୮୦୦ ଭୋଟର ଥିବା ଭୋଟଦାନ କେନ୍ଦ୍ରରେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା।
ଲଇଡା ଗ୍ରାମ ପଞ୍ଚାୟତର ରଙ୍ଗଟିକ୍ରା ଗ୍ରାମର ବହୁ ସଂଖ୍ୟକ ଭୋଟରଙ୍କ ନାମ ଭୋଟର ତାଳିକାରେ ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଫେରିଯାଇଥିଲେ। ଅନେକ ନୁଆ ଯୁବ ଭୋଟରଙ୍କ ନାମ ମଧ୍ୟ ତାଳିକା ରେ ନଥିବାରୁ ସେମାନେ ଭୋଟ୍ ଦେବା ସୁଯୋଗରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହେଉଛି। ଠେଲକୋଲୋଇ ଗ୍ରାମ ପଞ୍ଚାୟତର ପ୍ରାୟ ୫୦/୬୦ ଜଣ ଭୋଟରଙ୍କ ନାମ ଭୋଟର ତାଳିକାରେ ନଥିବାରୁ ସେମାନେ ଭୋଟ୍ ଦେବା ଅଧିକାରରୁ ବଞ୍ଚିତ ହୋଇଥିବା ଜଣାପଡିଛି।
Comments are closed.