ବାସ ଖଣ୍ଡିଏ ପାଇଁ ସଂଗ୍ରାମ କରୁ କରୁ ଆଖି ବୁଜି ଦେଲେ ଧନମତି !!!
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଗାଆଁ ର ମାହାଲିପଡ଼ାରେ ରହୁଥିଲେ ଧନମତି । ନାଆଁ ଧନମତି, କିନ୍ତୁ ରହିବା ପାଇଁ ବାସ ଟିଏ ନ ଥିଲା । ଆଠାନବେ ବର୍ଷରେ ଆଖିବୁଜିଦେଲେ । ୨୦୦୭ ମସିହାରୁ ସ୍ଵାମୀ ଆରପାରିକୁ ଯାଇଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ସେ ନିସହାରା ହୋଇ ଯାଇଥିଲେ । ସ୍ବାମୀ ବଞ୍ଚିଥିବା ଦିନରୁ ସମ୍ପର୍କୀୟଙ୍କ ଘରେ ଆଶ୍ରା ନେଇ ଆସୁଥିଲେ । ଅଖା ସୂତାରୁ ପଘା, ଶିକୁଳି, ଦଉଡ଼ି ଆଦି ତିଆରି କରି ସେ ପେଟ ପୋଷୁଥିଲେ । ଶରୀର ସୁସ୍ଥ ଥିବା ବେଳେ ଦିନକୁ ୬/୮ ଟି ପଘା ବା ଶିକୁଳି ତିଆରି କରି ପାରୁଥିଲେ ।କିନ୍ତୁ ପରିଣତ ବୟସରେ ଆଖି ସହ ଶରୀର ବି ଦୁର୍ବଳ ହୋଇ ପଡିବା ପରେ ତାହା କମିଯାଇଥିଲା ।କିନ୍ତୁ ତଥାପି ସେ ହାରି ନ ଥିଲେ ଜୀବନର ସଂଗ୍ରାମରେ । ଖଟିଆରେ ବସି ପଘା ତିଆରି କରି ପେଟ ପୋଷିବାର ସଂଘର୍ଷ ଜାରି ରଖିଥିଲେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ।
୧୯୮୬ ମସିହାରୁ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ମାସକୁ ୭୦୦ ଟଙ୍କା ଓ ପାଞ୍ଚ କେଜି ଚାଉଳ ପାଉଥିଲେ । ହେଲେ ବାସ ନଥିବାରୁ ସେ ଲିଖିତ ଭାବରେ ଅନେକ ଥର ବ୍ଲକ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା, କେହି ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ନ ଥିଲେ । କରୋନା ସମୟରେ ଲୋକଙ୍କ ଠାରୁ ଏହି କଥା ଶୁଣି ଦୁଇ ତିନି ଜଣ କର୍ମଚାରୀ ଧନମତିଙ୍କ ପାଖରେ ପହଞ୍ଚି କେବଳ ସାନ୍ତ୍ବନା ଦେଇ ଚାଲି ଆସିଥିଲେ । ଅତାବିରା ବ୍ଲକରେ କେବଳ ବଡ ବଡିଆଙ୍କ ପାଇଁ ସବୁ ସରକାରୀ ସୁବିଧା ରହିଥିବା ବେଳେ ଏହିପରି ଗରିବ ଅସହାୟ ବୃଦ୍ଧା ଖୋଲା ଆକାଶ ତଳେ ଆଶ୍ରୟ ନେଉଥିଲେ ।
ଧନମତି ଜୀବନ ତମାମ ବାହାରେ ଧାନ ବିଲକୁ ଲାଗି ରହିଥିବା ତାଳପତ୍ରର ଛାତ ତଳେ ଥିବା ଏକ ଖଟିଆ କୁ ଦୁଃଖ ସୁଖର ସାଥୀ କରି ନେଇଥିଲେ । ଏମିତିକୁ ଖଟିଆରେ ବିଷାକ୍ତ ସରୀସୃପ ମଧ୍ୟ ଚଢ଼ି ଯାଉଥିଲେ । କିନ୍ତୁ ଧନମତିଙ୍କୁ କିଛି କ୍ଷତି କରୁ ନଥିଲେ । ତେଣୁ ଯେଉଁଠି ମଣିଷ ତାଙ୍କ ଦୁଃଖ ଭୁଝି ପାରୁ ନଥିଲା , ସେଠି ସରୀସୃପ ଆଦି ଅନ୍ୟ ଜୀବ ମାନେ ତାଙ୍କର ଦରଦୀ ସାଜି ସମବେଦନା ଜଣାଉଥିଲେ । ଶେଷରେ ସେଇ ଖଟିଆ ହିଁ ତାଙ୍କୁ ଶେଷ ସାହାରା ଦେଇଥିଲା । ଧନମତି ଙ୍କ ପାଇଁ ବାସ ଖଣ୍ଡିଏ ପାଇଁ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ନିକଟରେ ପହଞ୍ଚି ଆଶ୍ଵାସନା ଦେଇଥିଲେ । ତେବେ ବାସହୀନ ହୋଇ ଆଖିବୁଜିଲେ ଧନମତୀ, ହେଲେ ବାସ ଖଣ୍ଡେ ପାଇଁ ଦେଖିଥିବା ସପ୍ନ ତାଙ୍କର ସପ୍ନ ହୋଇ ରହିଗଲା । ଧନମତି ଙ୍କ ପରି ଅନେକ ଅସହାୟ ମଣିଷ ଆଜି ବି ରହିଛନ୍ତି, କିନ୍ତୁ ସରକାରଙ୍କ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଜିଲା ପ୍ରଶାସନ ପକ୍ଷରୁ ଏଭଳି ଅସହାୟ ବ୍ୟକ୍ତିଙ୍କ ଚିହ୍ନଟ କରି ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।
Comments are closed.