Patra electronics

ପ୍ରତିଶ୍ରୁତି ପୂରଣର ଉପାୟ ଜଣାଇବ ଦଳ

ବଦଳିବ ନିର୍ବାଚନ ଆଚରଣବିଧି

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଘୋଷଣା କରାଯାଉଥିବା ବିଭିନ୍ନ ମାଗଣା ଯୋଜନାକୁ ନେଇ ବିତର୍କ ଲାଗି ରହିଥିବାବେଳେ ନିର୍ବାଚନ ଆୟୋଗ (ଇସି) ଏହା ଉପରେ ହସ୍ତକ୍ଷେପ କରିବାକୁ ଯାଉଛନ୍ତି। ରାଜନୈତିକ ଦଳଗୁଡିକୁ ମାଗଣା ଯୋଜନା ଘୋଷଣାରୁ ଦୂରେଇ ରଖିବା ଲାଗି ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ଆଚରଣ ବିଧିରେ ସଂଶୋଧନ ଆଣିବାକୁ ଯୋଜନା କରିଛନ୍ତି। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ବିଭିନ୍ନ ଯୋଜନାଗୁଡିକୁ କିପରି ପୂରଣ କରିବେ ତାର ବୈଧ ସୂଚନା ଭୋଟରଙ୍କୁ ପ୍ରଦାନ କରିବେ। ଯୋଜନା କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଅର୍ଥର ଉତ୍ସ, ସମୟ ଓ ଉପାୟ ବାବଦରେ ଭୋଟରଙ୍କୁ ଅବଗତ କରାଇବେ। ଯେପରିକି ଯୋଜନା ବାବଦ ଅର୍ଥ କେଉଁଠାରୁ ଆସିବ। ଯୋଜନା ପାଇଁ ସରକାର ନୂଆ ଟିକସ ବ୍ୟବସ୍ଥା କରିବେ କି ? କିମ୍ବା ଅନ୍ୟ କୌଣସି ଯୋଜନା ବାବଦ ଅର୍ଥ କମ୍‌ ଏହାର ଭରଣା କରିବେ। ନିର୍ବାଚନ ଆଚରଣ ବିଧିରେ ଏପରି ସଂଶୋଧନ ପ୍ରସ୍ତାବ ଉପରେ ଇସି ରାଜନୈତିକ ଦଳଗୁଡିକ ଠାରୁ ମତାମତ ଲୋଡିଛନ୍ତି। ଏଥିପାଇଁ ଇସି ଜାତୀୟ ଓ ରାଜ୍ୟସ୍ତରର ଆଞ୍ଚଳିକ ରାଜନୈତିକ ଦଳଗୁଡିକ ନିକଟକୁ ପତ୍ର ଲେଖିଛନ୍ତି। ପତ୍ରରେ ସଂଶୋଧନ ପ୍ରସ୍ତାବ ଉପରେ ରାଜନୈତିକ ଦଳଗୁଡିକୁ ଅକ୍ଟୋବର ୧୯ ସୁଦ୍ଧା ମତାମତ ଦେବାକୁ କୁହାଯାଇଛି।
ନିର୍ବାଚନ ଆୟୋଗ କହିଛନ୍ତି ଯେ କେତେକ ରାଜନୈତିକ ଦଳ ଭୋଟରଙ୍କୁ ମିଥ୍ୟା ଓ କଳ୍ପନା ବାହାରର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରୁଛନ୍ତି। ଏହାଦ୍ବାରା ଭୋଟର ନିରାଶ ହେଉଛନ୍ତି। ତେଣୁ ରାଜନୈତିକ ଦଳଗୁଡିକୁ ମିଥ୍ୟା ପ୍ରତିଶ୍ରୁତିରୁ ଦୂରେଇ ରଖିବା ଲାଗି ଆଚରଣ
ବିଧିରେ ପରିବର୍ତ୍ତନ ଅଣାଯିବ। ପ୍ରସ୍ତାବିତ ପରିବର୍ତ୍ତନରେ ନିର୍ବାଚନ ଆଚରଣବିଧି ପାର୍ଟ ୮ର ଏକ ନୂଆ ଅଂଶ ଯୋଡାଯିବ। ପାର୍ଟ ୮ ନିର୍ବାଚନ ଇସ୍ତାହାର ନିୟମାବଳୀକୁ ଦର୍ଶାଇଥାଏ। ନିକଟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପଣ୍ଡା କହିଥିଲେ ଯେ ରାଜନୈତିକ ଦଳଗୁଡିକର ଫମ୍ପା ପ୍ରତିଶ୍ରୁତି ପ୍ରଦାନ ପ୍ରସଙ୍ଗରେ ଇସି ନିରବ ଦ୍ରଷ୍ଟା ସାଜିବା ଠିକ୍ ନୁହେଁ। ଏହି ପ୍ରସଙ୍ଗରେ ଇସି ହସ୍ତକ୍ଷେପ କରିବା ଜରୁରୀ। ଅନ୍ୟପଟେ ନିର୍ବାଚନ ଆଚରଣ ବିଧିରେ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବିତ ସଂଶୋଧନକୁ ବିରୋଧୀ ରାଜନୈତିକ ଦଳଗୁଡିକ ସମାଲୋଚନା କରିଛନ୍ତି। ବିରୋଧୀ ଦଳଗୁଡିକ କହିଛନ୍ତି ଯେ ଇସିଙ୍କ ପ୍ରସ୍ତାବ ଗଣତନ୍ତ୍ରର କଫିନ ଉପରେ ଆଉ ଏକ କଣ୍ଟା ପିଟାଯିବା ସଦୃଶ। କଂଗ୍ରେସ କହିଛି ଯେ ମାଗଣା ଯୋଜନାକୁ ରୋକିବା ଇସିଙ୍କ କାମ ନୁହେଁ। ଆପ୍ କହିଛି ଯେ ଲୋକଙ୍କୁ ମାଗଣାରେ ବିଜୁଳି, ପାଣି, ସ୍ବାସ୍ଥ୍ୟସେବା ଓ ପାଠପଢା ସୁବିଧା ଯୋଗାଇ ଦେବା ସରକାରଙ୍କ ଦାୟିତ୍ବ। ଏହାକୁ ମାଗଣା ଯୋଜନା ବୋଲି କୁହାଯାଇପାରିବ ନାହିଁ। ନିର୍ବାଚନ ସମୟରେ ମାଗଣା ଯୋଜନା ଘୋଷଣା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ସମସ୍ୟାର ସମାଧାନ ନିମନ୍ତେ ସମସ୍ତ ପକ୍ଷଙ୍କୁ ନେଇ ଆଲୋଚନା କରିବା ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ମାଗଣା ଯୋଜନା କାର୍ଯ୍ୟକାରୀ କରାଯିବା ଦ୍ବାରା ଦେଶର ବିକାଶ ହୋଇପାରୁ ନାହିଁ।

Comments are closed.