ଲଘୁଶସ୍ୟକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ :ରାଜ୍ୟପାଳ
ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ-୨୦୨୩ ଉଦ୍ଯାପିତ
ଭୁବନେଶ୍ୱର: ମିଲେଟସ ଆମ ଭାରତର ପରମ୍ପରିକ ଖାଦ୍ୟ। ଏହି ଲଘୁଶସ୍ୟକୁ ବିଶ୍ୱରେ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଶୁଷ୍କ ଅଞ୍ଚଳ ଏବଂ ବହୁ କମ ରାସାୟନିକ ସାର ବ୍ୟବହାରରେ ମିଲେଟ ଚାଷ ହୋଇଥାଏ। ଚାଉଳ ଏବଂ ଗହମ ତୁଳନାରେ ଏଥିରେ ଅଧିକ ସୂକ୍ଷ୍ମ ପୋଷକ ତତ୍ତ୍ୱ ରହିଛି ଏବଂ ପ୍ରୋଟିନ୍ର ମାତ୍ରା ମଧ୍ୟ ଅଧିକ। ଏହିସବୁ ବିଶେଷ ଗୁଣ ଯୋଗୁଁ ମିଲେଟସକୁ ଜଳବାୟୁ ସ୍ମାର୍ଟ ଫସଲ ଭାବରେ ସାଧାରଣରେ ଅଭିହିତ କରାଯାଏ ବୋଲି ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରଠାରେ ଆୟୋଜିତ ଅନ୍ତର୍ଜାତୀୟ ମିଲେଟସ ସମ୍ମିଳନୀ ଅବସରରେ କହିଛନ୍ତି।
ଆଜି କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଏହି ଲଘୁଶସ୍ୟକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ। ଲଘୁଶସ୍ୟକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରହିଆସିଛି। ନୀତି ଆୟୋଗ ଏବଂ ଭାରତ ସରକାର ଓଡ଼ିଶା ମିଲେଟ ମିଶନକୁ ବିଭିନ୍ନ ରାଜ୍ୟରେ ପ୍ରୟୋଗ କରିବା ପାଇଁ ଏକ ମଡେଲ ଭାବରେ ଚିହ୍ନଟ କରିଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓଡ଼ିଶା ମିଲେଟ ମିଶନକୁ ଏପରି ଏକ ମଡେଲ ଭାବରେ ଚିହ୍ନଟ କରିଛନ୍ତି, ଯାହାକୁ ପୂରା ଭାରତ, ଆଫି୍ରକା ଓ ଦକ୍ଷିଣ ବିଶ୍ୱରେ ପ୍ରୟୋଗ କରାଯାଇପାରିବ। ଏଥି ସହିତ ରାଜ୍ୟପାଳ ଶ୍ରୀ ଦାସ ବିଶ୍ୱାସ ପ୍ରକଟ କରିଥିଲେ ଯେ ଏହି ଅନ୍ତର୍ଜାତୀୟ ସମ୍ମିଳନୀରୁ ବାହାରିଥିବା ନିଷ୍କର୍ଷରୁ ପ୍ରସ୍ତୁତ ନୀତି ରୋଡ୍ମ୍ୟାପ୍ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ମିଲେଟସର ଭବିଷ୍ୟତ ରୂପରେଖ ପ୍ରଦାନ କରିବ।
ରାଜ୍ୟପାଳ ଶ୍ରୀ ଦାସ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଭବ୍ୟ ଆୟୋଜନ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରଶଂସା କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ମିଲେଟସକୁ ପହଞ୍ଚାଇବା କ୍ଷେତ୍ରରେ ହେଉଥିବା ଆମର ପ୍ରୟାସକୁ ସମର୍ଥନ କରୁଥିବା ହିତାଧିକାରୀ ଓ ସଂଗଠନମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏଥି ସହିତ ମାନ୍ୟବର ରାଜ୍ୟପାଳ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ଭାରତ ସରକାରଙ୍କ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଓ ଭାରତର ସବୁ ରାଜ୍ୟ ଏବଂ ହିତାଧିକାରୀଙ୍କ ନିକଟରେ ରାଗିର ମହତ୍ତ୍ୱ ସଂପର୍କରେ ସନ୍ଦେଶ ପହଞ୍ଚାଇବା ଦିଗରେ ବ୍ୟାପକ ଅଭିଯାନ ସଂପର୍କରେ ଆଲୋକପାତ କରିଥିଲେ।
ଉଦ୍ଯାପନୀ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ପୁଷ୍ଟିଶସ୍ୟ ମାଣ୍ଡିଆ ରାଜ୍ୟ କୃଷିର ଏକ ଅଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି। ଓଡ଼ିଶା ମିଲେଟସ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମିଲେଟସର ଉତ୍ପାଦନ, ପ୍ରକ୍ରିୟାକରଣ ଓ ଲୋକଙ୍କ ଖାଦ୍ୟଥାଳିରେ ପରଷା ଯିବାକୁ ଏକ ନୂଆ ଦିଗ ଦେଇଛି। ଏଥି ସହିତ ଚାଷୀ ଭାଇ ଓ ଭଉଣୀମାନଙ୍କର ଆୟବୃଦ୍ଧି ଓ ମହିଳା ସଶକ୍ତିକରଣ ଦିଗରେ ଏହା ଏକ ପ୍ରମୁଖ ଅସ୍ତ୍ର ଭାବରେ ସାବ୍ୟସ୍ତ ହୋଇଛି।
ଉତ୍ସବର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ ମାଣ୍ଡିଆର ପୌଷ୍ଟିକତା ସଂପର୍କରେ ଲୋକମାନେ ଅଧିକରୁ ଅଧିକ ସଚେତନ ହେବା ଓଡ଼ିଶା ମିଲେଟସ ମିଶନର ସଫଳତା ଦିଗରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ କହିଲେ ଯେ ଓଡ଼ିଶା ମିଲେଟସ ମିଶନ ପରି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭାରତବର୍ଷରେ ନେତୃତ୍ୱ ପ୍ରଦାନ କରୁଛି।
ଉତ୍ସବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍ ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରଚାରପ୍ରସାର ଓ ଲୋକଙ୍କ ଖାଦ୍ୟଥାଳିରେ ମାଣ୍ଡିଆ ପହଞ୍ଚାଇବା ଦିଗରେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ଫିକିର ସଭାପତି ଶୁଭ୍ରକାନ୍ତ ପଣ୍ଡା ମାଣ୍ଡିଆର ପ୍ରଚାର ପ୍ରସାର ଦିଗରେ ଓଡ଼ିଶା ମିଲେଟସ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ।
ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉଦ୍ୟାନ କୃଷି ନିର୍ଦେଶକ ରୋହିତ କୁମାର ଲେଙ୍କା ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଉପଲକ୍ଷେ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ମିଲେଟ ବିଶେଷାଙ୍କ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।
ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଉପସ୍ଥିତ ଥିଲେ। ଏଥି ସହିତ ‘ରିପୋର୍ଟସ ଅନ୍ ମିଲେଟ୍ ଆଣ୍ଡ ଏସ୍ଡିଜି’କୁ ମଧ୍ୟ ରାଜ୍ୟପାଳ ଉନ୍ମୋଚିତ କରିଥିଲେ। ଏହି ସମ୍ମିଳନୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.