୨୦୨୦-୨୧ରେ ଅର୍ଥନୈତିକ ଅଭିବୃଦ୍ଧି ୧.୯ ଆକଳନ

- ରିଜର୍ଭ ବ୍ୟାଙ୍କ ଘୋଷଣା କଲା ୧ଲକ୍ଷ କୋଟିର ଆର୍ଥିକ ପ୍ରୋତ୍ସାହନ

ମୁମ୍ବଇ: କରୋନା ମହାମାରୀ କାରଣରୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥନୀତି। ଏହାକୁ ସୁଧାରିବା ସହ ଛୋଟ ଛୋଟ ବ୍ୟବସାୟୀ, ଲଘୁ ଉଦ୍ୟୋଗୀ, କୃଷକ ଓ ଗରିବଙ୍କୁ ସହଜ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉଦ୍ୟମ ଆରମ୍ଭ କରିଛି। ଦ୍ୱିତୀୟ ଦଫା ଆର୍ଥିକ ପ୍ରୋତ୍ସାହନ ସ୍ବରୁପ ଏକ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ବ୍ୟାଙ୍କଗୁଡ଼ିକୁ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏହାଦ୍ବାରା ବ୍ୟାଙ୍କଗୁଡ଼ିକ ଏ ସବୁ ଉଦ୍ୟୋଗ କ୍ଷେତ୍ରକୁ ସହଜ ଋଣ ଯୋଗାଇବାରେ ସକ୍ଷମ ହୋଇପାରିବେ। ଏପରିକି ୯୦ ଦିନର ଏନ୍‌ପିଏ କଟକଣାକୁ ମଧ୍ୟ କୋହଳ କରି ଋଣ ଗ୍ରହିତାଙ୍କ ସୁଝିବା ସମୟକୁ ବଢ଼ାଇଦିଆଯାଇଛି। ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ପ୍ରଦାନ ପାଇଁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୧.୯ ପ୍ରତିଶତ ହେବା ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆକଳନ କରିଛି। ତେବେ ସେହି ସମୟରେ ଆମେରିକା ଭଳି ବିକଶିତ ରାଷ୍ଟ୍ରର ଅଭିବୃଦ୍ଧି ହାର ୧ ପ୍ରତିଶତରୁ କମ୍‍ ରହିବା ଏବଂ ଆମେରିକା ସମେତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଗୁଡିକର ଅଭିବୃଦ୍ଧି ହାର ବିଯୁକ୍ତ ସ୍ଥିତିକୁ ଖସିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଚୀନରେ ଅଭିବୃଦ୍ଧି ୧% ପାଖାପାଖି ହେବା ଆକଳନ କରାଯାଇଛି। ତେଣୁ ତୁଳନାତ୍ମକ ଭାବେ ଭାରତର ଅର୍ଥନୀତି ଭଲ ସ୍ଥିତିରେ ରହିଛି। ୨୦୨୧-୨୨ରେ ଭାରତର ଅର୍ଥନୀତି ପୂର୍ବ ସ୍ଥିତିକୁ ଫେରିବା ସହିତ ଏହା ପ୍ରାୟ ୭.୪% ହୋଇପାରେ ବୋଲି ଆଇଏମଏଫ୍‍ର ଆକଳନକୁ ଉଦ୍ଧାରକରି ଶ୍ରୀ ଦାସ କହିଛନ୍ତି। ଏଥିସହିତ କରୋନା ଭୂତାଣୁ ସଂକ୍ରମଣଜନିତ ତାଲାବନ୍ଦ ପରିସ୍ଥିତିରେ ଅର୍ଥନୀତିକୁ ସହାୟକ ହେବାଭଳି କେତେକ ଆର୍ଥିକ ପ୍ରୋତ୍ସାହନ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଘୋଷଣା କରିଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଦେଶରେ ଖାଦ୍ୟାନ୍ନର ଅଭାବ ନାହିଁ। ୯୧% ଏଟିଏମ୍‌ ମଧ୍ୟ ସଚଳ ରହିଛି। ଭାରତୀୟ ଅର୍ଥନୀତି ଅନ୍ୟ ରାଷ୍ଟ୍ର ଭଳି ଖରାପ ସ୍ଥିତିରେ ନାହିଁ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରିଭର୍ସ ରେପୋ ରେଟ୍‍ରେ ୨୫ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ସମ୍ପ୍ରତି ରିଭର୍ସ ରେପୋ ୪%ରୁ ୩.୭୫%କୁ ହ୍ରାସପାଇଛି। ଫଳରେ ବ୍ୟାଙ୍କଗୁଡିକ ଆଉ ଏଭଳି କମ୍‍ ସୁଧରେ ସେମାନଙ୍କ ଅର୍ଥକୁ ରିଜର୍ଭ ବ୍ୟାଙ୍କ ନିକଟରେ ମହଜୁଦ ନରଖି କର୍ପୋରେଟ ବଣ୍ଡ୍‍ ଆଦିରେ ନିବେଶ କରିବା ଅଥବା ବିଭିନ୍ନ କ୍ଷେତ୍ରପାଇଁ ଋଣ ଯୋଗାଇଦେବାକୁ ପସନ୍ଦ କରିବେ। ପୂର୍ବରୁ ଆରବିଆଇ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଦ୍ୱାରା ଏପ୍ରିଲ ୧୫ତାରିଖ ସୁଦ୍ଧା ଦେଶର ବ୍ୟାଙ୍କଗୁଡିକ ନିକଟରେ ୬.୯ ଲକ୍ଷ କୋଟି ଟଙ୍କା ଉପଲବ୍ଧ ହେଉଥିବା ଶ୍ରୀ ଦାସ କହିଛନ୍ତି। ଉକ୍ତ ଅର୍ଥକୁ ଯେଭଳି ଋଣ ଆକାରରେ ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟକୁ ଅଣାଯାଇପାରିବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ରିସର୍ଭ ରେପୋ ହ୍ରାସ କରିବାକୁ ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ମାର୍ଚ୍ଚ ଶେଷ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅର୍ଥ ବ୍ୟବସ୍ଥାକୁ ୩.୭୪ ଲକ୍ଷ କୋଟି ଟଙ୍କା ଯୋଗାଇଦେବାକୁ ପଦକ୍ଷେପ ନେଇଥିଲା।

ତାହାସହିତ ଏହା ନାବାର୍ଡ, ସିଡ୍‍ବି ଏବଂ ଏନଏଚବି ପାଇଁ ୫୦ହଜାର କୋଟି ଟଙ୍କା ପୁନଃ ପାଣ୍ଠିଯୋଗାଣ ନିଷ୍ପତ୍ତି ନେଇଛି। ସେଥିମଧ୍ୟରୁ ନାବାର୍ଡକୁ ୨୫ହଜାର କୋଟି, ସିଡ୍‍ବିକୁ ୧୫ହଜାର କୋଟି ଏବଂ ନ୍ୟାସନାଲ ହାଉସିଂ ବ୍ୟାଙ୍କ (ଏନଏଚବି)କୁ ୧୦ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ। ନାବାର୍ଡକୁ ପ୍ରଦାନ କରାଯାଉଥିବା ଅର୍ଥ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି), ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଅର୍ଥ ଲଗାଣକାରୀ ଅନୁଷ୍ଠାନଗୁଡିକୁ ପୁନଃ ପାଣ୍ଠିଯୋଗାଣ ଉଦ୍ଦେଶ୍ୟରେ ବିନିଯୋଗ କରାଯିବ। ଏନପିଏ ନିମନ୍ତେ ରହିଥିବା ୯୦ଦିନ ସର୍ତ୍ତକୁ ମଧ୍ୟ ରିଜର୍ଭ ବ୍ୟାଙ୍କ କୋହଳ କରିଛି। ପୂର୍ବ ଘୋଷଣା ମୁତାବକ ଏହା ସମସ୍ତ ଋଣ ପରିଶୋଧ ନିମନ୍ତେ ୯୦ଦିନ ସମୟ ଦେବାକୁ ସମସ୍ତ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଅର୍ଥଲଗାଣକାରୀ ସଂସ୍ଥାଗୁଡିକୁ ଅନୁମତି ଦେଇଥିଲା। ତେଣୁ ଏନପିଏ ସର୍ତ୍ତ କ୍ଷେତ୍ରରେ ଉକ୍ତ ୯୦ଦିନ ସମୟ କୋହଳ କରିବାକୁ ରିଜର୍ଭ ବ୍ୟାଙ୍କ କହିଛି। ତେବେ ଏହିଭଳି ଏନପିଏ ଆକାଉଣ୍ଟଗୁଡିକ କ୍ଷେତ୍ରରେ ୧୦ ପ୍ରତିଶତ ପାଣ୍ଠି ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି। ଉକ୍ତ ଅର୍ଥ ଆଉ ବ୍ୟାଙ୍କ ପକ୍ଷରୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ବିନିଯୋଗ କରାଯାଇପାରିବ ନାହିଁ। ଅଣବ୍ୟାଙ୍କିଙ୍ଗ ଅର୍ଥଲଗାଣ ସଂସ୍ଥା ପକ୍ଷରୁ ରିଅଲ୍‍ଟି କମ୍ପାନୀଗୁଡିକୁ ଯୋଗାଇ ଦିଆଯାଇଥିବା ଋଣ ପାଇଁ ବ୍ୟବସାୟିକ ବ୍ୟାଙ୍କଗୁଡିକ ଭଳି ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି ଗଭର୍ଣ୍ଣର ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି। ଆବଶ୍ୟକସ୍ଥଳେ ରିଜର୍ଭ ବ୍ୟାଙ୍କ ଅଧିକ ଆର୍ଥିକ ପଦକ୍ଷେପ ନେବ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.