ମୁମ୍ବଇ : ଦୀର୍ଘ ୫ ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଯାହା ଆଶା କରାଯାଉଥିଲା ଯେ, ସୁଧ ହାର ୨୫ ବେସିକ୍ ପଏଣ୍ଟ ହ୍ରାସ ହୋଇପାରେ, ତାହା ହିଁ ହୋଇଛି। ଫଳରେ ସୁଧ ହାର ୬.୨୫ %କୁ ହ୍ରାସ ପାଇଛି। ଏହି ହ୍ରାସ ପରେ ଗୃହ ଓ କାର୍ ଋଣ ଇଏମ୍ଆଇ ହ୍ରାସ ପାଇବ। ଏଥିସହ ସ୍ଥାୟୀ ଜମା ଉପରେ ସୁଧ ହାର ହ୍ରାସ ପାଇବା ସହ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ମଧ୍ୟ ସୁଧ କମିପାରେ ବୋଲି ପୂର୍ବାନୁମାନ କରାଯାଉଛି। ବୁଧବାର ଆର୍ବିଆଇର ଏମ୍ପିସି ବୈଠକ ଆରମ୍ଭ ହୋଇ ଶୁକ୍ରବାର ଶେଷ ହେବା ପରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହା ଘୋଷଣା କରିଛନ୍ତି।
ଶେଷଥର ପାଇଁ ୨୦୨୦ରେ କୋଭିଡ୍ ତାଲାବନ୍ଦ ସମୟରେ ଅର୍ଥ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ସୁଧ ହାର ୪%କୁ ହ୍ରାସ କରାଯାଇଥିଲା। ପରେ ୭ଥର ସୁଧ ହାର ବଢ଼ାଯାଇ ୬.୫%ରେ ସ୍ଥିର ଥିଲା। ଏହାର ୫ ବର୍ଷ ପରେ ସୁଧ ହାର ହ୍ରାସ କରାଯାଇଛି। ପୂର୍ବରୁ ନିଆଯାଇଥିବା ମୁଦ୍ରା ନୀତି ଦ୍ୱାରା ମୁଦ୍ରାସ୍ପୀତି ହ୍ରାସ ପାଉଥିବାବେଳେ ବୈଶ୍ବିକ ଅନିଶ୍ଚିତତାରୁ ଅଭିବୃଦ୍ଧି ମନ୍ଥର ହେଉଥିବାରୁ ୨୫ ବେସିକ୍ ପଏଣ୍ଟ ସୁଧ ହାର ହ୍ରାସ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ମାଲହୋତ୍ରା କହିଛନ୍ତି। ୨୦୨୫-୨୬ରେ ମଧ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଇ ଆର୍ବିଆଇର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ୨୦୨୪-୨୫ର ଦ୍ବିତୀୟ ତ୍ରୟମାସରେ ଦେଶର ଆର୍ଥିକ ଅଭିବୃଦ୍ଧି ସର୍ବନିମ୍ନ ସ୍ତରରୁ ଧୀରେ ଧୀରେ ସୁଧୁରୁଥିବାବେଳେ ଏହା ଗତବର୍ଷର ୮.୨% ଅଭିବୃଦ୍ଧି ସ୍ତରରୁ କମ୍ ରହିବ ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି।
ତଥାପି, ବିଶ୍ୱ ପ୍ରତିକୂଳ ପରିସ୍ଥିତି ଅଭିବୃଦ୍ଧିକୁ ପ୍ରଭାବିତ କରିଚାଲିଛି ଏବଂ ନିମ୍ନଗାମୀ ହେବାର ବିପଦ ସୃଷ୍ଟି କରୁଛି। ସେ ଆହୁରି କହିଛନ୍ତି ଯେ ବିଶ୍ବରେ ଉଦୀୟମାନ ବଜାରଗୁଡ଼ିକରେ ପୁଞ୍ଜି ପ୍ରବାହ ହ୍ରାସ, ମୁଦ୍ରାର ତୀବ୍ର ମୂଲ୍ୟ ହ୍ରାସ ଏବଂ କଠୋର ଆର୍ଥିକ ପରିସ୍ଥିତି ଦେଖାଦେଇଛି। ତେଣୁ ବିଶ୍ୱ ପ୍ରତିକୂଳ ପରିସ୍ଥିତି ଅଭିବୃଦ୍ଧି ଉପରେ ଚାପ ପକାଇପାରେ। ଆର୍ବିଆଇର ମୁଦ୍ରା ନୀତି କମିଟିରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସହ ଡ. ନଗେଶ କୁମାର, ସୌଗତ ଭଟ୍ଟାଚାର୍ଯ୍ୟ, ପ୍ର. ରାମ୍ ସିଂହ,
ଡ. ରାଜୀବ ରଞ୍ଜନ ଏବଂ ଏମ୍. ରାଜେଶ୍ବର ରାଓ ରେପୋ ରେଟ୍ ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି।
ରେପୋ ରେଟ୍ ହେଉଛି ଯେଉଁ ହାରରେ ଆର୍ବିଆଇ ବାଣିଜ୍ୟିକ ବ୍ୟାଙ୍କକୁ ଋଣ ପ୍ରଦାନ କରିଥାଏ। ରେପୋ ରେଟ୍ ବୃଦ୍ଧି ହେଲେ ବ୍ୟାଙ୍କ ପାଇଁ ଋଣ ପାଇବା ମହଙ୍ଗା ହୋଇଥାଏ। ଫଳରେ ବ୍ୟାଙ୍କ ବିଭିନ୍ନ ପ୍ରକାର ଋଣ ବାବଦ ସୁଧ ବୃଦ୍ଧି କରି ଏହି ବୋଝକୁ ସେମାନଙ୍କ ଗ୍ରାହକଙ୍କ ଉପରେ ପକାଇଥାନ୍ତି। ଅନ୍ୟପକ୍ଷରେ ରେପୋ ରେଟ୍ କମିଲେ ଆର୍ବିଆଇ କମ୍ ସୁଧରେ ବ୍ୟାଙ୍କକୁ ଋଣ ପ୍ରଦାନ କରିଥାଏ। ଫଳରେ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ କମ୍ ସୁଧରେ ଋଣ ପ୍ରଦାନ କରନ୍ତି। ତେବେ ଏହାର ସିଧା ସଳଖ ଲାଭ ଗୃହ ଋଣ ଓ କାର୍ ଋଣ ଉପରେ ପଡ଼ିଥାଏ। କାରଣ ଏହି ପ୍ରକାର ଋଣ ଉପରେ ସୁଧ ହାର ପରିବର୍ତ୍ତନଶୀଳ ରହିଥାଏ। ଏହାର ଅର୍ଥ ଋଣ ସୁଝିବା ମଧ୍ୟରେ ଯଦି ବ୍ୟାଙ୍କ ସୁଧ ହାର ହ୍ରାସ କରେ କିମ୍ବା ବୃଦ୍ଧି କରେ, ତେବେ କାର୍ ଓ ଗୃହ ଋଣ ଉପରେ ସୁଧ ହ୍ରାସ କିମ୍ବା ବୃଦ୍ଧି ପାଇବ। ଅନ୍ୟପକ୍ଷରେ ବ୍ୟକ୍ତିଗତ ଋଣ େକ୍ଷତ୍ରରେ ସୁଧ ହାର ସ୍ଥିର ରହିଥିବାରୁ ଋଣ ସୁଝିବା ସମୟରେ ସୁଧ ହାର କମିଲେ ବା ବଢ଼ିଲେ ଏହା ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ତେଣୁ ବର୍ତ୍ତମାନ ସ୍ଥିତିରେ କାର୍ ଓ ଗୃହ ଋଣ ନେଇଥିବା ବ୍ୟକ୍ତିଙ୍କ ଇଏମ୍ଆଇ ହ୍ରାସ ପାଇବ। ତେବେ ବ୍ୟାଙ୍କଗୁଡ଼ିକ ଏହି ସୁଧ ହାର ହ୍ରାସକୁ କେବେଠାରୁ ଲାଗୁ କରିବେ ତାହା ବ୍ୟାଙ୍କ ଉପରେ ନିର୍ଭର କରେ।
ରେପୋ ହାର ହ୍ରାସ ପରେ ନା’ କେବଳ ବ୍ୟାଙ୍କ ଋଣ ଉପରେ କମ୍ ସୁଧ ନେବ; ବରଂ ବିଭିନ୍ନ ଜମା ଯୋଜନା ଉପରେ ମଧ୍ୟ କମ୍ ସୁଧ ପ୍ରଦାନ କରିବ। ତେଣୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଗାମୀ ଆର୍ଥିକ ବର୍ଷରେ କ୍ଷୁଦ୍ର ସଞ୍ଚୟ ଯୋଜନା ର ସୁଧ ହାର ହ୍ରାସ କରିବାକୁ ବିଚାର କରିପାରେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ପିପିଏଫ୍, ଏନ୍ଏସ୍ସି, କିଷାନ ବିକାଶ ପତ୍ର, ଓ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିସହ ସ୍ଥାୟୀ ଜମା ଉପରେ ମଧ୍ୟରେ ସୁଧ ହାର ହ୍ରାସ ହୋଇପାରେ। ଏହା ଦ୍ବାରା ବିଶେଷକରି ବରିଷ୍ଠ ନାଗରିକ ପ୍ରଭାବିତ ହେବେ। ତେଣୁ ବ୍ୟାଙ୍କ ସ୍ଥାୟୀ ଜମା ଉପରେ ସୁଧ ହାର ହ୍ରାସ କରିବା ପୂର୍ବରୁ ନିବେଶକ ସ୍ଥାୟୀ ଜମା ଆକାଉଣ୍ଟ ଖୋଲିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
କମିବ ଗୃହ ଓ କାର୍ ଋଣ କିସ୍ତି
Popular Categories



