www.samajalive.in
Monday, December 8, 2025
13.1 C
Bhubaneswar

ଅତ୍ୟାଧୁନିକ ପ୍ରଣାଳୀରେ ହେବ ରତ୍ନଭଣ୍ଡାର ଯାଞ୍ଚ

ପୁରୀ : ଅତ୍ୟାଧୁନିକ ପ୍ରଣାଳୀରେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଟିକିନିଖି ଯାଞ୍ଚ କରାଯିବ। ବୈଷୟିକ ସହାୟତା ପାଇଁ ଆଇଆଇଟି କିମ୍ବା ଅନ୍ୟ କୌଣସି ସଂସ୍ଥାକୁ ରାଜ୍ୟ ସରକାର ମନୋନୀତ କରିବେ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ସେମାନଙ୍କ ସହାୟତାରେ ଭିତର ଏବଂ ବାହାର ରତ୍ନଭଣ୍ଡାର ଯାଞ୍ଚ କରିବ। ଆବଶ୍ୟକ ହେଲେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ମାର୍ଗଦର୍ଶିକା (ଏସଓପି)ରେ ଶ୍ରୀମନ୍ଦିର ପରିଚାଳନା କମିଟି ସୋମବାର ମୋହର ମାରିଛି। ଏହାକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ରତ୍ନଭଣ୍ଡାର ଭିତରୁ ମହାପ୍ରଭୁଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାରଗୁଡ଼ିକ ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଥିବାରୁ ସେଠାରେ ରହିଥିବା ପୁରୁଣା ଆଲମାରି ଓ ସିନ୍ଦୁକଗୁଡ଼ିକର ଆବଶ୍ୟକ ମରାମତି ସହ ସ୍ଥାନାନ୍ତର ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ପୃଥକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଭୂସମ୍ପତ୍ତି ପରିଚାଳନା ଅଧିନିୟମ ଚିଠା (ଡ୍ରାଫ୍ଟ) ପ୍ରସ୍ତୁତ କରାଯାଇଛି। କମିଟି ବୈଠକରେ ତାହାକୁ ଅନୁମୋଦନ କରାଯାଇଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ପ୍ରଭୁଙ୍କ ଭୂସମ୍ପତ୍ତିଗୁଡ଼ିକୁ ଅବରୋଧମୁକ୍ତ କରାଯିବ ବୋଲି ଡଃ ପାଢ଼ୀ କହିଛନ୍ତି। ସେ କହିଲେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେମାନଙ୍କ ସୁପାରିସକୁ ଭିତ୍ତିକରି ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ମାଧ୍ୟମରେ କିଣା ଯାଇଥିବା ୩୫ଟି ଶୀତତାପ ନିୟନ୍ତ୍ରିତ ବ୍ୟାଟେରୀ ଚାଳିତ ମିନି ବସ୍ ଓଏସଆରଟିସି କିମ୍ବା ଅନ୍ୟ କୌଣସି ସଂସ୍ଥା ଦ୍ବାରା ପରିଚାଳନା କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନରେ ଖାଲିଥିବା ଅନୁମୋଦିତ କିରାଣୀ ଏବଂ ଅନ୍ୟ ପଦବୀ ଗୁଡ଼ିକ ସରକାରଙ୍କ ଅଧିକୃତ ସଂସ୍ଥା ଦ୍ୱାରା ପୂରଣ କରାଯିବ ବୋଲି ସେ କହିଛନ୍ତି। ଅର୍ପଣ ଚାଉଳର ଉପଯୋଗ ସମ୍ପର୍କରେ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ। ଏଥିପାଇଁ ବିଭିନ୍ନ ସେବକ ନିଯୋଗ ସହ ଆଲୋଚନା ପାଇଁ ମୁଖ୍ୟ ପ୍ରଶାସକ ଏବଂ ଜିଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ମହାପ୍ରଭୁଙ୍କ ଖଣିଗୁଡ଼ିକୁ ଏଣିକି ଖଣି ଅଧିକାରୀଙ୍କ ଦ୍ବାରା ନିଲାମ ତଥା ପରିଚାଳନା ପାଇଁ ସ୍ଥିର କରାଯାଇଛି। ଅଧିକ ଖଣି ଉତ୍ତୋଳନ କରିଥିବା ଏବଂ ନିଲାମ ଅର୍ଥ ବାକି ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ କିଛି ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସିଂହଦ୍ବାର ଥାନା ନିଜସ୍ବ ଗୃହ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ବୈଠକରେ ଅନୁରୋଧ କରିଛନ୍ତି। ଏ ବିଷୟରେ ଆଲୋଚନା କରାଯାଇଛି। ଏହି ଥାନାକୁ ଏକ ଆଦର୍ଶ ଥାନାରେ ପରିଣତ କରିବା ପାଇଁ ମତ ପ୍ରକାଶ ପାଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧିକ୍ଷକ ଡ. ଡି. ବି ଗଡ଼ନାୟକ, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଡଃ ଦୁର୍ଗା ପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଜଗନ୍ନାଥ କର, ଅନନ୍ତ ତିଆଡି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories