ନକଲି ଚାବି ଆଣିଲେ କେଉଁଠୁ ?

0

ଭୁବନେଶ୍ୱର  : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସତ୍ୟକୁ ବାରମ୍ବାର ଲୁଚାଇବାକୁ ସରକାର ଚେଷ୍ଟା କରୁଛନ୍ତି। ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବା କିମ୍ବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପରିବର୍ତ୍ତନ କରି ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ସତ୍‌ ସାହସ ଥିଲେ ସରକାର ବିଜେପି ପକ୍ଷରୁ ଦିଆଯାଇଥିବା ଏତଲାକୁ ଗ୍ରହଣ କରନ୍ତୁ ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହାସହିତ ନକଲି ଚାବି ଲୋକଲୋଚନକୁ ଆଣିଥିବା ପୁରୀ ଜିଲାପାଳଙ୍କୁ ପ୍ରଥମେ ଗିରଫ କରନ୍ତୁ ବୋଲି ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି।
ଗୁରୁବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ନିୟମାନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଟ୍ରେଜେରୀରେ ରହିବାର ବ୍ୟବସ୍ଥା ଥିଲେ ହେଁ ୧୯୭୦ ମସିହାରୁ ଚାବି ଟ୍ରେଜେରୀକୁ ଫେରି ନଥିଲା। ୧୯୭୮ ଏବଂ ୧୯୮୫ ମସିହାରେ ଖୋଲାଯାଇଥିବା ରତ୍ନଭଣ୍ଡାରର ଚାବି କେଉଁଠୁ ଏବଂ କିପରି ଆସିଲା ତାହା ସନ୍ଦେହ ସୃଷ୍ଟି କରିଛି। ସେହିପରି ଗତକାଲି ପୁରୀ ଜିଲାପାଳ ଯେଉଁ ନକଲି ଚାବି ରେକର୍ଡରୁମ୍‌ରୁ ବାହାରିଲା ବୋଲି ଦର୍ଶାଇଛନ୍ତି ତାହା ଅସଲି କି ନକଲି ସେ ଜାଣିଲେ କିପରି ଏହାକୁ ସରକାର ସ୍ପଷ୍ଟ କରନ୍ତୁ। ଏପ୍ରିଲ ୪ ତାରିଖରୁ ଚାବି ହଜିବା ଜାଣି ମୁଖ୍ୟମନ୍ତ୍ରୀ କୌଣସି ମତାମତ ନଦେବା ଏବଂ ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌ ନ୍ୟାୟରେ ପ୍ରଶାସକ ପ୍ରଦୀପ ଜେନାକୁ ବଦଳି କରି ନୂଆ ପ୍ରଶାସକଙ୍କୁ ନିଯୁକ୍ତି ଦେବା ଘଟଣା ସଂପୂର୍ଣ୍ଣ ଭାବେ ସରକାରଙ୍କ କାର୍ଯ୍ୟକଳାପକୁ ସନ୍ଦେହ ଘେରକୁ ଟାଣୁଛି। ହଜାରେ ବର୍ଷରୁ ଉର୍ଦ୍ଧ ଜଗନ୍ନାଥ ସଂସ୍କୃତି ଏବଂ ପରଂପରାର ପ୍ରତୀକ ସମଗ୍ରଓଡିଆ ଜାତିର କୋଠ ସଂପତି ରତ୍ନଭଣ୍ଡାର ଚାବି ହଜିଯିବା ଚଳିତ ସହସ୍ରାଦ୍ଧୀ (ମିଲେନିୟମ)ର ସବୁଠୁ ବଡ ଘୋଟାଲା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସେ କହିଛନ୍ତି ଯେ ରତ୍ନଭଣ୍ଡାର ଚାବି ହଜିବା ଏବଂ ଗତକାଲି ଅଚାନକ ଏକ ନକଲି ଚାବି ମିଳିବା ଘଟଣା ଏକ ସୁକଳ୍ପିତ ଯୋଜନା ମାଧ୍ୟମରେ ଘଟି ଚାଲିଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ୧୯୬୦ ଶ୍ରୀମନ୍ଦିର ଆଇନ ଆଇନାନୁଯାୟୀ ରତ୍ନ ଭଣ୍ଡାରରେ ୨ଟି ତାଲା ପଡି ଜଉମୁଦ କରାଯିବାର ବ୍ୟବସ୍ଥା ରହିଛି। ଜଉମୁଦରେ ମନ୍ଦିର ପ୍ରଶାସନର ସଦସ୍ୟମାନେ ଦସ୍ତଖତ କରିବେ ଏବଂ ସେ ଚାବିକୁ ମନ୍ଦିର ପ୍ରଶାସକ ସରକାରୀ ଟ୍ରେଜେରୀରେ ରଖିବୋ ଏଭଳି ନିୟମ ଉଲ୍ଲେଖ ଥିବା ସମୟରେ କେଉଁ ପରିସ୍ଥିତିରେ ଏକ ନକଲି ଚାବି ରେକର୍ଡ ରୁମରୁ ମିଳିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି ବିଜେପି ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ସିଂହଦ୍ୱାରା ଥାନାରେ ଏତଲା ଦେବା ପାଇଁ ଯାଇଥିଲେ ମଧ୍ୟ ୪ଘଣ୍ଟାର ଅପେକ୍ଷା ପରେ ଥାନା ଅଧିକାରୀ ଏତଲା ରଖିଥିଲେ ମଧ୍ୟ କାହା ଚାପରେ ରେଜିଷ୍ଟର ଏତଲା ପଞ୍ଜୀକରଣ ହୋଇନାହିଁ ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି। ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଏବଂ ବିଜେପି ନେତା ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply