ରତ୍ନଭଣ୍ଡାର ସୁରକ୍ଷା ନେଇ ଓଡ଼ିଆ ଜାତି ବିବ୍ରତ : ଧର୍ମେନ୍ଦ୍ର

0

ନୂଆଦିଲ୍ଲୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିବା ଓ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ନେଇ ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ମନ ଆନ୍ଦୋଳିତ। ଗତ ଅପ୍ରେଲ ୪ ତାରିଖରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାରର ସୁରକ୍ଷା ଯାଞ୍ଚ ଦିନଠାରୁ ରତ୍ନଭଣ୍ଡାରର ଚାବି ହଜିବା ସରକାର ଓ ପ୍ରଶାସନର ନଜରକୁ ଆସିଛି। ଦୀର୍ଘ ୨ ମାସ ଅତିକ୍ରମ ହୋଇସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବା ରାଜ୍ୟ ସରକାର ଘଟଣାକୁ ଲୋକଲୋଚନକୁ ଆଣିବା ପରିବର୍ତ୍ତେ ଲୁଚାଇ ରଖିବା ମହାପ୍ରଭୁଙ୍କ ଭକ୍ତ ମଣ୍ଡଳୀରେ ରତ୍ନଭଣ୍ଡାର ସମ୍ପତ୍ତିର ସୁରକ୍ଷା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ଟ୍ୱିଟ୍‌ ମାଧ୍ୟମରେ ନିଜର ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଛୋଟଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ଆଗକୁ ଆସି ବାରମ୍ବାର ବୟାନ ଦିଅନ୍ତି। ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗ ଯେତେବେଳେ ସମ୍ପୂର୍ଣ୍ଣ ଓଡ଼ିଆ ଜାତିକୁ ରତ୍ନଭଣ୍ଡାରର ସୁରକ୍ଷା ନେଇ ସନ୍ଦେହ ତିଆରି କରୁଛି ସେତେବେଳେ ମୁଖ୍ୟମନ୍ତ୍ରୀଙ୍କର ଦୀର୍ଘଦିନର ନିରବତା ଓଡ଼ିଆଙ୍କ ମନରେ ସନ୍ଦେହର ମାତ୍ରାକୁ ଆହୁରି ଘନୀଭୂତ କରୁଛି।
ରତ୍ନଭଣ୍ଡାର ଚାବି ନେଇ ରାଜ୍ୟର ଆଇନ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କ ବୟାନରେ ତାଳମେଳ ନ ରହିବା ଜନସାଧାରଣଙ୍କ ମନରେ ଆହୁରି ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମନ୍ଦିର ପରିଚାଳନା କମିଟିର ମିନିଟ୍ସରେ “୧୯୭୦ ମସିହାରୁ ଆଜି ପର୍ଯ୍ୟନ୍ତ ଭିତର ଭଣ୍ଡାର ଘର ଚାବି ଜମା ରହିବା କିମ୍ବା ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଟ୍ରେଜେରିରୁ ଚାବି ଅଣାଯିବାର କୌଣସି ପ୍ରମାଣ ନାହିଁ” ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ୧୯୭୦ ମସିହାରୁ ଯଦି ଟ୍ରେଜେରିରେ ଚାବି ନାହିଁ; ତେବେ ୧୯୭୮ ଓ ୧୯୮୫ରେ କେଉଁଠୁ ଚାବି ଆଣି ଭଣ୍ଡାର ଖୋଲାଯାଇଥିଲା ତାହା ସନ୍ଦେହର କୁହେଳିକାକୁ ଆହୁରି ତୀବ୍ର କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply