www.samajalive.in
Sunday, December 14, 2025
19.1 C
Bhubaneswar

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରଥଯାତ୍ରା ଆୟୋଜନ

ମାଞ୍ଚେଷ୍ଟର – ଇଂଲଣ୍ଡର ତୃତୀୟ ବୃହତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଦ୍ଵିତୀୟ ରଥଯାତ୍ରା ଉତ୍ସବ ଖୁବ ଯାକଜକମ ଓ ଜୋରଦାର ଢଙ୍ଗରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସକାଳୁ ଚାରି ଦିଅଁ ବିରାଜମାନ କରୁଥିବା ଗୀତାଭବନ ଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଯଥାବିଧି ରୀତିନୀତି ସମ୍ପନ୍ନ କରାଯାଇଥିଲା। ରଥଯାତ୍ରା ଦୃଷ୍ଟିରୁ ଗୀତା ଭବନକୁ ବେଶ୍ ଚିତ୍ତାକର୍ଷକ ଭାବରେ ସଜାଯାଇଥିବା ଦେଖାଯାଇଥିଲା। ଘୋଷଯାତ୍ରାରେ ସାମିଲ ହେବା ପାଇଁ ଉପସ୍ଥିତ ପ୍ରାୟ ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଅନନ୍ୟ ଉଦ୍ଦୀପନାର ସ୍ପଷ୍ଟ ସୂଚନା ମିଳିଥିଲା। ଦିନ ୧୨.୪୫ ମିନିଟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା।

ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ବନି ସହ ଭଜନ କୀର୍ତ୍ତନର ମୃଦ୍ୟୁମନ୍ଦ ନାଦ ମଧ୍ୟରେ ଶ୍ରଦ୍ଧାଳୁ ମାନେ ହାତରେ ନଚାଇ ନଚାଇ ଦିଅଁ ମାନଙ୍କୁ ରଥ ଉପରକୁ ନେଇଥିଲେ। ବିଶେଷ କରି ଏଠାରେ ମହିଳା ମାନେ ରୋଷଣୀ କରି ମାଆ ସୁଭଦ୍ରାଙ୍କର ପହଣ୍ଡି ବିଜେ କରାଉଥିବାର ଅନୁପମ ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଥିଲା। ଗୀତାଭବନ ସାମ୍ନାରେ ଦଣ୍ଡାୟମାନ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ରଥଟିକୁ ମାଇକ ଓ ତାଙ୍କର ସାଥୀ ସ୍ୱେଚ୍ଛାସେବୀମାନେ ନିର୍ମାଣ କରିଥିବା ଜଣାଯାଇଛି। ରଥରେ ଶୋଭା ପାଉଥିବା ମନୋରମ ପଟ୍ଟଚିତ୍ରକୁ ବିବେକ ବାବୁ ଓ ପ୍ରଜ୍ଞାନ ବାବୁ ଅଙ୍କନ କରିଥିଲେ। ଗୀତା ଭବନର ବରିଷ୍ଠ ଟ୍ରଷ୍ଟି ରାଜ କୌଶଳ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ଅପରାହ୍ନ ଗୋଟାଏ ପନ୍ଦର ମିନିଟରେ ରଥଟଣା ଆରମ୍ଭ କରାଯାଇଥିଲା। ରାଜକୀୟ ଠାଣିରେ ମାଞ୍ଚେଷ୍ଟରର ରାଜରାସ୍ତାରେ ଗଡି ଚାଲିଥିବା ଆକର୍ଷଣୀୟ ରଥଟିକୁ ୱିଲବ୍ରହମ ରୋଡ, ସେଣ୍ଟୱେରବ୍ରୋ ରୋଡ, ବ୍ରଣ୍ଟିଂହମ୍ ରୋଡ ଓ ୱିଦିନଟଙ୍ଗରୋଡ ଆଦି ଦେଇ ପରିକ୍ରମା କରାଯାଇ ପୁଣି ଗୀତା ଭବନ ନିକଟକୁ ଫେରାଇ ଅଣାଯାଇଥିଲା। ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ମାଞ୍ଚେଷ୍ଟର ଗୋର୍ଟନର ସାଂସଦ ଆଫଜଲ୍ ଖାନ, ଷ୍ଟକପୋର୍ଟର ସାଂସଦ ନଭେନ୍ଦୁ ମିଶ୍ର ଏବଂ ପ୍ରଖ୍ୟାତ ଚିକିତ୍ସାବିତ ଡଃ ବିଭୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶୀ, ଭାରତନାଟ୍ୟମ୍ ଏବଂ ଶିଶୁ ମାନଙ୍କ ଦ୍ଵାରା ପରିବେଷିତ ରାଧାକୃଷ୍ଣ ନୃତ୍ୟ ଏବଂ ସୁମଧୁର ଭଜନ ଗାୟନ ଅର୍ନ୍ତଭୁକ୍ତ ଥିଲା।

- Advertisement -

ଉଦୀୟମାନ ନୃତ୍ୟାଙ୍ଗନା ନିରୁଶ୍ରୀ ମହାନ୍ତିଙ୍କ ଦ୍ୱାରା ପରିବେଷିତ ମନମୁଗ୍ଧକର ଓଡ଼ିଶୀ ନୃତ୍ୟ, ଉତ୍ସବର ପ୍ରଧାନ ଆକର୍ଷଣ ଥିଲା। ବାହୁଡ଼ା ଦିନ ପର୍ଯ୍ୟନ୍ତ ମାଉସୀମା ମନ୍ଦିରରେ ଦିଅଁ ମାନଙ୍କୁ ଅନ୍ନଭୋଗ ପରଷା ଯିବ ବୋଲି ସଙ୍ଗଠକ ମାନଙ୍କ ସୂତ୍ରରୁ ପ୍ରକାଶ। ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମୁଖ୍ୟ ଆୟୋଜକ ମଣ୍ଡଳୀର ସଦସ୍ୟ ଯଥା ଡଃ ଶିବ ସେନାପତି, ରେଖା ସେନାପତି, ଶିବ ରଂଜନ ବିଶ୍ଵାଳ, ବିଷ୍ଣୁ ଦାଶ, ବିବେକ ବାବୁ, ଜୀବନ ପାଣିଗ୍ରାହୀ ଏବଂ ଦୁର୍ଗେଶ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ମହୋତ୍ସବର ଅଦ୍ଭୁତପୂର୍ବ ସଫଳତା ପଛରେ ମାଞ୍ଚେଷ୍ଟର୍ କାଉନସିଲ, ମାଞ୍ଚେଷ୍ଟର୍ ପୁଲିସ ଏବଂ ରାଜମାର୍ଗ କର୍ତ୍ତୃପକ୍ଷଙ୍କର ଆକୁଣ୍ଠ ସହଯୋଗ ଓ ସଂପୃକ୍ତି ପାଇଁ ଆୟୋଜକମାନେ, ଏହି ସଂସ୍ଥାଗୁଡିକୁ କୃତଜ୍ଞତା ଜ୍ଞାପନ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories