ରଥଯାତ୍ରାରେ ବିଭ୍ରାଟ ହେଲେ ଅଧିକାରୀ ଦାୟୀ ରହିବେ

0

ପୁରୀ : ରଥଯାତ୍ରାରେ ବିଭ୍ରାଟ ସୃଷ୍ଟି ହେଲେ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୋମବାର ଆଲୋଚନା କରିଛନ୍ତି। ପୌରସଂସ୍ଥାର ନଳାସଫା କାର୍ଯ୍ୟ ଅନୁଧ୍ୟାନ ପାଇଁ ୨ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୩୦ଟି ୱାର୍ଡରେ ଥିବା ୨୫୬ ନଳା ମଧ୍ୟରୁ ରବିବାର ସନ୍ଧ୍ୟାସୁଦ୍ଧା ୨୦୧ଟିର ସଫେଇ କାର୍ଯ୍ୟ ସରିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ପ୍ରକାଶ କରିଛନ୍ତି। ୫ତାରିଖ ସୁଦ୍ଧା ଅବିଶିଷ୍ଟ ୫୫ଟି ନଳାସଫା ଶେଷହେବ ବୋଲି ସେ ସୂଚନା ଦେଇଛନ୍ତି। ବାଙ୍କିମୁହାଣକୁ ସଂଯୋଗ କରିଥିବା ଗଣାମଲ୍ଲସାହି, ରେଡକ୍ରସ ରୋଡ୍‍, ଧୋବାସାହି ଏବଂ ହେରାଗୋହିରୀ ସାହି ନଳାସଫାରେ ଅବହେଳା ଯୋଗୁଁ ବୈଠକରେ ଉଦ୍‍ବେଗ ପ୍ରକାଶ ପାଇଛି।
ଏଥିଯୋଗୁଁ ଅସରାଏ ବର୍ଷାହେଲେ ବଡ଼ଦାଣ୍ଡରେ କୃତ୍ରିମ ବନ୍ୟା ହେବାର ଆଶଙ୍କା ଥିବା କେତେକ ସଭ୍ୟ ପ୍ରକାଶ କରିଛନ୍ତି। ବଡ଼ଦାଣ୍ଡ ଦୁଇପାର୍ଶ୍ବ ନଳା ସମେତ ଡାକ୍ତରଖାନା ଛକରୁ ମୂଷାନଈକୁ ସଂଯୋଗ କରିଥିବା ନଳାସଫା କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଡ୍ରେନେଜ ଓ ସ୍ୱେରେଜ ବିଭାଗ କାର୍ଯ୍ୟରେ ଅଧିକାଂଶ ସଭ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମୁଦ୍ରକୂଳ ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ମ୍ୟାନହୋଲ ଚାମ୍ବର ଗୁଡିକରୁ ନର୍ଦମା ଜଳ ଭାସୁଥିବା ଅଭିଯୋଗ ହୋଇଛି। ବାଙ୍କିମୁହାଣରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇନାହିଁ। ଡ୍ରେନେଜ ଡିଭିଜନ ଦ୍ୱାରା ପ୍ରାୟ ୧୧୫କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦କି.ମି ବର୍ଷାଜଳ ନିଷ୍କାସନ ନଳା ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ଏହି ଦୁଇ ବିଭାଗ କାର୍ଯ୍ୟରେ ଜିଲାପାଳ ଶ୍ରୀ ଅଗ୍ରୱାଲ ଅସନ୍ତୋଷ ପ୍ରକାଶ କରିବା ସହ ୩ଦିନ ଭିତରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି।
ଶ୍ରୀଜୀଉଙ୍କ ରଥଯାତ୍ରା ଆଉ ୧୧ଦିନ ବାକିଥିବା ବେଳେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡ ମରାମତି କରାଯାଇ ନାହିଁ। ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟିହେବା ସହ ରାସ୍ତା ଦୁଇପାର୍ଶ୍ବରେ ପଙ୍କ ଓ ପାଣି ଜମାହୋଇ ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ରାସ୍ତା ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ତାହାକୁ ମରାମତି କରାଯାଇ ନାହିଁ। ଜନସ୍ୱାସ୍ଥ୍ୟ ଡିଭିଜନ ପକ୍ଷରୁ ୨୦୦ଷ୍ଟାଣ୍ଡପୋଷ୍ଟ ଏବଂ ୨୮ ଗୋଟି ଟ୍ୟାଙ୍କର ଯୋଗେ ଲୋକଙ୍କୁ ପାନୀୟଜଳ ଯୋଗାଯିବ ବୋଲି ନିର୍ବାହୀଯନ୍ତ୍ରୀ ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି। ପାଣିପାଉଚ ସଂଖ୍ୟା ହ୍ରାସ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ପୁରୀକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ମରାମତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ହରପ୍ରସାଦ ପଟ୍ଟନାୟକ, ଡେପୁଟି କଲେକ୍ଟର ସୁମନ୍ତ କର, ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ସହକାରୀ ପ୍ରକଳ୍ପ ନିର୍ଦେଶକ ପ୍ରସନ୍ନ କୁମାର ଦାଶ, ଜରୁରୀକାଳୀନ ବିଭାଗ ଅଧିକାରୀ ଇତିଶ୍ରୀ ନାୟକ, ପୌରସଂସ୍ଥା ଏନ୍‍ଫୋର୍ସମେଣ୍ଟ ଅଫିସର ଶ୍ୟାମସୁନ୍ଦର ମହାପାତ୍ର, ସ୍ୱେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀ ପି.କେ ଦେ ବୈଠକରେ ଉପସ୍ଥିତ ଥିଲେ।

kalyan agarbati
Leave A Reply