ଦୂରଦର୍ଶନରେ ରଥଯାତ୍ରା ସିଧାପ୍ରସାରଣ
ଅନ୍ୟାନ୍ୟ ବୈଦ୍ୟୁତିକ ଗଣମାଧ୍ୟମକୁ ଲାଇଭ୍ କମନ୍ ଫିଡ୍
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ସମ୍ପାଦନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ତଥା କର୍ମଚାରୀ ନିଷ୍ଠାପର ଭାବରେ ନିୟୋଜିତ ହେବେ। ଗୁରୁବାର ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏକ ବୈଠକରେ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ସମୀକ୍ଷା କରିଥିଲେ। ରଥଯାତ୍ରା ଏଥର ମଧ୍ୟ ଦୂରଦର୍ଶନ ଜରିଆରେ ସିଧାପ୍ରସାରଣ କରାଯିବ। ଅନ୍ୟାନ୍ୟ ବୈଦ୍ୟୁତିକ ଗଣମାଧ୍ୟମକୁ ଲାଇଭ୍ କମନ୍ ଫିଡ୍ ଯୋଗାଇ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ରଥଯାତ୍ରାର ବିଶ୍ୱପ୍ରସିଦ୍ଧିକୁ ଦୃଷ୍ଟିରେ ରଖି ପ୍ରଚାର, ବିଜ୍ଞାପନ ଓ ପ୍ରଦର୍ଶନୀ ଇତ୍ୟାଦି ନେଇ ବିଶେଷ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଭାଗୀୟ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ବିଭାଗ ତରଫରୁ ହେବାକୁ ଥିବା ଦୂରଦର୍ଶନ ଜରିଆରେ ସିଧାପ୍ରସାରଣ, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ବିଭିନ୍ନ ପ୍ରକାଶନର ରଥଯାତ୍ରା ବିଶେଷାଙ୍କ ବିକ୍ରୟ, ଫଟୋଚିତ୍ର ପ୍ରଦର୍ଶନୀ, ବିଜ୍ଞାପନ ପ୍ରସାରଣ ସହିତ ହୋର୍ଡ଼ିଂ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗ ଉପରେ ଅବଗତ କରାଇଥିବାବେଳେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ରଥଯାତ୍ରା ଦିନ ଉଭୟ ପତ୍ରିକାର ବିଶେଷାଙ୍କ ସଂଖ୍ୟା ଲୋକାର୍ପିତ ହେବ ବୋଲି ଉଲ୍ଲେଖ କରିଥିଲେ। ବୈଠକରେ ନିର୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ଯୁଗ୍ମ ନିର୍ଦେଶକ, ଉପନିର୍ଦେଶକ, ସହକାରୀ ନିର୍ଦେଶକ, କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ। ସହକାରୀ ନିର୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.