ଦଣ୍ଡା କାର୍ଯ୍ୟ ଅନୁକୂଳ

0

ପୁରୀ : ଶ୍ରୀଜୀଉଙ୍କ ନବଦିନ ଯାତ୍ରା ପାଇଁ ରଥଖଳାରେ ଚାଲିଛି ତିନି ରଥ ନିର୍ମାଣ। ଶନିବାର ଭୋଇ ସେବାୟତମାନେ ବିଶ୍ୱକର୍ମାଙ୍କୁ କାଠ ଯୋଗାଇ ଦେବାପରେ ଦଣ୍ଡା କାର୍ଯ୍ୟ ଅନୁକୂଳ ହୋଇଛି। ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥ ମୁଖ୍ୟ ବିଶ୍ୱକର୍ମା କୃଷ୍ଣ ମହାରଣାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତିନି ରଥର ଦଣ୍ଡା ନିର୍ମାଣ କାର୍ଯ୍ୟ। ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ୪୦ଫୁଟିଆ ୯ଖଣ୍ଡ କାଠରେ ବିଶ୍ୱକର୍ମାମାନେ କଟାକାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ବଳଭଦ୍ରଙ୍କ ରଥ ପାଇଁ ୯ଟିରୁ ୫ଦଣ୍ଡା ହଣା ଚାଲିଛି। ଅନ୍ୟ ୪ଟିର କାର୍ଯ୍ୟ ରବିବାରଠାରୁ ଆରମ୍ଭ ହେବ। ସୁଭଦ୍ରାଙ୍କ ରଥ ପାଇଁ ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ଅପେକ୍ଷାରେ ରହିଛି। ଏହାସହ ନନ୍ଦିଘୋଷ ରଥର ୧୪ନାହାକା ପାଇଁ କାଠ କଟାଯାଇଛି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଅଖ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ରଥର ୧୬ ଚକ ପାଇଁ ୮ଟି ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ତାଳଧ୍ୱଜ ରଥର ୧୪ ଚକ ପାଇଁ ୭ଟି ଅଖ ନିର୍ମାଣ ସମାପ୍ତ ହୋଇଛି। ଦର୍ପଦଳନ ରଥର ୧୨ଟି ଚକପାଇଁ ୬ଟି ଅଖ ଆବଶ୍ୟକ ଥିବାବେଳେ ୪ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରବିବାର ଆଉ ୨ଟି ଅଖ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟ ବିଶ୍ୱକର୍ମା ପ୍ରକାଶ କରିଛନ୍ତି। ତାଳଧ୍ୱଜ ରଥର ଜଳଯନ୍ତ୍ର କାମ ଜାରି ରହିଛି। ଜଳଯନ୍ତ୍ରରେ ପାର୍ଶ୍ୱ ଦେବଦେବୀଙ୍କୁ ସ୍ଥାପନ କରାଯାଏ। ତାଳଧ୍ୱଜ ଓ ନନ୍ଦିଘୋଷ ରଥ ପାଇଁ ୧୯ଟି ଲେଖାଏଁ ଓ ଦେବଦଳନ ରଥ ପାଇଁ ୧୫ଟି ଜଳଯନ୍ତ୍ର ଏବଂ ଗୁଜ ଲାଗିଥାଏ। ଗୁଜରେ ମୂର୍ତ୍ତି ଖୋଦେଇ କାମରେ ବ୍ୟସ୍ତ ଅଛନ୍ତି ରୂପକାର ସେବାୟତ। ତିନି ରଥ ପାଇଁ ଯୋଖା କାମ ଜାରି ରହିଛି। ନନ୍ଦିଘୋଷ ରଥର ୧୬ଟି କୋଣରେ ୧୬ଟି ଯୋଖା ଲଗାଯିବ। ନାହାକା, ଗୁଜ, କୁଡୁକା, ଓରା ଓ ଖମ୍ବି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଦୋଳବେଦୀ କୋଣରେ କମାର ସେବକ କଣ୍ଟାକବ୍‍ଜା ନିର୍ମାଣ କରୁଛନ୍ତି। ମହାରଣାଙ୍କ ଦ୍ୱାରା ବିନ୍ଧକାର୍ଯ୍ୟ ଆଗେଇ ଚାଲିଛି। ମୁହାଣ୍ଟ, ଚଉତା ବିନ୍ଧକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ନାଟଗୁଡୁ ଓ ପଟାଗୁଜ ପାଇଁ କାମ ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କ ଭଉଁରି ତିଥିରେ ପରମ୍ପରା ଅନୁଯାୟୀ ତିନି ରଥର ତିନୋଟି ଅଖରେ ୬ଗୋଟି ଚକ ଡେରା ଯାଇଥିଲା। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପାଇଁ ୧୬, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ନିମନ୍ତେ ୧୪ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୧୨ଟି ଚକ ଆବଶ୍ୟକ। ୨୧ଟି ଅଖରେ ୪୨ଟି ଚକ ସଂଯୋଗ କରାଯିବ।

Leave A Reply